ଆଜି ଉତ୍କଳ ଦିବସ; ସାରା ରାଜ୍ୟରେ ଉତ୍ସବର ମାହୋଲ

ଭୁବନେଶ୍ୱର: ଆଜି ଉତ୍କଳ ଦିବସ । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷାଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା। ଆଜି ଓଡ଼ିଆ ତଥା ଓଡ଼ିଶାବାସୀଙ୍କ ଲାଗି ଏକ ଗର୍ବ କରିବାର ଦିନ। ଯେଉଁମାନଙ୍କର ଅଦମ୍ୟ ସାଧନା, ପ୍ରଚେଷ୍ଟା ଲାଗି ଓଡ଼ିଶା ଭାଷାଭିତ୍ତିରେ ସ୍ୱତନ୍ତ୍ର ପରିଚୟ ପାଇପାରିଛି ସେମାନଙ୍କୁ ଆଜି ସମସ୍ତେ ମନେ ପକାଉଛନ୍ତି।

୧୯୩୬ ପୂର୍ବରୁ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ନଥିଲା । ପଶ୍ଚିମରେ ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିବା ବେଳେ ଉତ୍ତରରେ ବାଲେଶ୍ୱରରେ ବଙ୍ଗଳାର ପ୍ରଭାବ, କେତେକ ଅଞ୍ଚଳ ବିହାରରେ, ଦକ୍ଷିଣରେ ଗଂଜାମ ମାଡ୍ରାସ୍ ପ୍ରେସିଡେନ୍ସି ଅଧୀନରେ ଥିଲା । ହେଲେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସ କବି ଫକୀର ମୋହନ ସେନାପତି, ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପରି ବୀରପୁତ୍ର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା ପାଇଁ ସଂଘର୍ଷ କରିଥିଲେ।

ଏହି ବୀରପୁତ୍ରଙ୍କ ସଂଘର୍ଷରେ ୧୯୦୩ରେ ପ୍ରଥମେ ଗଠନ ହେଲା ଉତ୍କଳ ସମ୍ମିଳନୀ । ଜୋରଦାର ସଂଗ୍ରାମ ପରେ ୧୯୩୬ ଏପ୍ରିଲ ୧ରେ ଗଠନ ହେଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ । ଏହି ଦିନକୁ ମନେପକାଇବା ପାଇଁ ପ୍ରତିବର୍ଷ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି ।

ଉତ୍କଳ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଓଡିଶାର ଅନନ୍ୟ ସାଂସ୍କୃତିକ ଐତିହ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ, ସ୍ଥାପତ୍ୟ, ହସ୍ତକଳା ଓ ନୃତ୍ୟ ପାଇଁ ଏ ଦେଶ ଗର୍ବିତ ବୋଲି ରାଷ୍ଟ୍ରପତି ଟୁଇଟ୍ କରିଛନ୍ତି। ଏଥିସହିତ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉତ୍କଳ ଦିବସରେ ଶୁଭକାମନା ଜଣାଇଛନ୍ତ। ଦେଶର ପ୍ରଗତି ପାଇଁ ଓଡିଶାର ଜନସାଧାରଣଙ୍କର ଅବଦାନ ଅତୁଳନୀୟ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ଜନସାଧାରଣଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଓଡିଶା ଦିବସରେ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ସହ ଆମ ଭାଷା, ସାହିତ୍ୟ ଓ ସଂସ୍କୃତି ଗୌରବ ବୃଦ୍ଧି କରିଥିବା ମହାପୁରୁଷ ମାନଙ୍କ ପ୍ରତି ସମ୍ମାନ ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ଓଡ଼ିଆ ଭାଇ, ଭଉଣୀମାନଙ୍କୁ ଶୁଭକାମନା ଜଣାଇବା ସହ ସୁସ୍ଥ ଓ ସମୃଦ୍ଧ ଓଡିଶା ଗଠନ ପାଇଁ ସଂକଳ୍ପ କରିବାକୁ ଆହ୍ୱାନ ଦେଇଛନ୍ତି। ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଲାଗି ଜୀବନ ଉତ୍ସର୍ଗ କରିଥିବା ସଂଗ୍ରାମୀ ତଥା ମହାପୁରୁଷମାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

You might also like