ଆଜି ଲକଡାଉନ୍‌ର ଦ୍ୱିତୀୟ ଦିନ: ଅମାନିଆଙ୍କ ଉପରେ ପୋଲିସର ସ୍ୱତନ୍ତ୍ର ନଜର

ଚିନ୍ତା ବଢାଉଛି ଆନ୍ଧ୍ର

  • ଆଜି ଲକଡାଉନ୍‌ ଦ୍ୱିତୀୟ ଦିନ
  • ଅମାନିଆଙ୍କୁ ସାବାଡ଼୍‌ କରୁଛି ପୋଲିସ୍‌
  • ସେପଟେ ସୀମାରେ ଚାଲିଛି ଜୋରଦାର ବ୍ଲକିଂ ଓ ଚେକିଂ

ଭୁବନେଶ୍ୱର: କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବା ପାଇଁ ରାଜ୍ୟରେ ଲାଗୁ ହୋଇଥିବା ୧୪ ଦିନିଆ ଲକଡାଉନ୍‌ର ଆଜି ଦ୍ୱିତୀୟ ଦିନ। କରୋନା ଭୂତାଣୁର ଦ୍ୱିତୀୟ ଲହର ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଲକଡାଉନ୍‌ ଘୋଷଣା କରିଥିବା ବେଳେ ଏହାକୁ କଡାକଡି ଭାବେ ପାଳନ କରିବାକୁ ରହିଛି ନିର୍ଦ୍ଦେଶ। ଆସନ୍ତା ୧୯ ତାରିଖ ସକାଳ ଯାଏ ସାରା ରାଜ୍ୟରେ ଲକଡାଉନ୍‌ କଟକଣା ବଳବତ୍ତର ରହିବ। ଲୋକଙ୍କ ଭିଡ଼ ନିୟନ୍ତ୍ରଣ କରି ସଂକ୍ରମଣ ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି। କେବଳ ମେଡିକାଲ ଓ ଅତ୍ୟାବଶକୀୟ ସେବା ବ୍ୟତୀତ ଅନ୍ୟ ସବୁ ଆତଯାତ ବନ୍ଦ ରହିଛି।

ଲକଡାଉନ୍‌ସମୟରେ ବାହାରେ ବୁଲିବା ଉପରେ ସଂପୂର୍ଣ୍ଣ ରୋକ ଲଗାଯାଇଛି। ତେବେ ଲୋକଙ୍କ ଲାଗି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି। ଏହି ସମୟ ମଧ୍ୟରେ ଲୋକେ ପନିପରିବା ସହ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଇ ପାରିବେ। କେବଳ ସହରାଞ୍ଚଳ ନୁହେଁ ସାରା ରାଜ୍ୟରେ ଏହି କଟକଣା କଡାକଡି ଭାବେ ପାଳନ କରାଯାଉଛି। ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯିବା ସହ ଯାଞ୍ଚ ଚାଲିଛି। ଜିଲ୍ଳା ମୁଖ୍ୟାଳୟ ସମେତ ସମସ୍ତ ବ୍ଲକରେ କଡାକଡି ଭାବେ ଲକଡାଉନ୍‌ ନିୟମ ପାଳନ ପାଇଁ ପୋଲିସ ମୁତୟନ କରାଯାଇଛି। ଅମାନିଆଙ୍କ ଉପରେ ନଜର ରଖିବାକୁ କଠୋର ହୋଇଛି ପୋଲିସ। ଅକାରଣେ ବାହାରେ ବୁଲୁଥିବା ଅମାନିଙ୍କୁ ଲକଡାଉନ୍‌ର ପ୍ରଥମ ଦିନରେ ଗତକାଲି ତାଗିଦ କରାଯାଇଥିଲା। ଲକଡାଉନ୍‌ ପାଳନ ପାଇଁ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଛନ୍ତି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ। ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ନେଇ ଖାଉଟି ମାନେ ଭୟଭୀତ ନ ହେବାକୁ ଜିଲ୍ଲାପାଳମାନେ ପରାମର୍ଶ ଦେଇଛନ୍ତି ।

ସେପଟେ, ଆନ୍ଧ୍ର ଷ୍ଟ୍ରେନକୁ ନେଇ ଚିନ୍ତା ବଢ଼ିବା ପରେ ସଜାଗ ହୋଇଛନ୍ତି ରାଜ୍ୟ ସରକାର। ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆନ୍ଧ୍ରକୁ ସଂଯୋଗ କରିଥିବା ରାୟଗଡ଼ା ଜିଲ୍ଲାର ୧୩ଟି ପ୍ରବେଶ ପଥକୁ ପ୍ରଶାସନ ପକ୍ଷରୁ ସିଲ୍ କରିଦିଆଯାଇଛି। ସୀମାରେ ଗାଡ଼ିମୋଟରକୁ କଡ଼ାକଡ଼ି ଯାଞ୍ଚ କରାଯାଉଛି। ପରିଚୟ ପତ୍ର ଥିଲେ ଜରୁରୀ ସେବାରେ ଥିବା ଲୋକଙ୍କୁ ଛଡ଼ାଯାଉଛି। ଯେଉଁମାନେ ଆନ୍ଧ୍ରପଟୁ ଆସୁଛନ୍ତି ସେମାନଙ୍କ ଟିକାକରଣ ଓ ଆରଟିପିସିଆର୍‌ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲାପାଳ ନିଜେ ସୀମାରେ ସ୍ଥିତି ଅନୁଧ୍ୟାନ କରିବା ସହ କାର୍ଯ୍ୟରତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଆନ୍ଧ୍ରପଟୁ ଯେପରି କୌଣସି ସଂକ୍ରମିତ ବ୍ୟକ୍ତି ଓଡ଼ିଶା ନ ଆସିପାରନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

You might also like