ଭୁବନେଶ୍ୱର : ଆଜି ପହିଲି ରଜ । ଓଡ଼ିଶାର ଏହି ଗଣପର୍ବ ପାଇଁ ଉତ୍ସବମୁଖର ପୁରପଲ୍ଲୀ । ଘରେ ଘରେ ପିଠା ଓ ମିଠାର ଆସର। ଝିଅ ବୋହୂ ରଜ ଦୋଳି ଖେଳ ସାଙ୍ଗକୁ ମିଠା ପାନର ମଜା ନେଉଛନ୍ତି। ରଜ ଅବସରରେ ଦୋଳି, ପାନ, ଝୋଟି ଓ ହୁଳୁହୁଳି ଆଦି ପ୍ରତିଯୋଗିତାର ମଧ୍ୟ ଆୟୋଜନ ହେଉଛି। ଆଜିଠୁ ୩ ଦିନ ଧରି ସାରା ରାଜ୍ୟରେ ଚାଲିବ ରଜ ମଉଜ।
ପୁରୀ ଜିଲ୍ଲା ବ୍ରହ୍ମଗିରିର ପ୍ରସିଦ୍ଧ ବାଲିହରଚଣ୍ଡୀ ପୀଠରେ ଧୂମ୍ଧାମରେ ଚାଲିଛି ରଜ ପର୍ବ। ପରମ୍ପରା ଅନୁସାରେ ମାଆ ବାଲିହରଚଣ୍ଡୀ ରଜସ୍ୱଳା ହୋଇ କୁମାରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏଠାରେ ରଜ ପର୍ବର ସ୍ୱତନ୍ତ୍ରତା ହେଉଛି-ଛାପା ପରମ୍ପରା। ଆଖପାଖ ଅଞ୍ଚଳର ଶହେରୁ ଅଧିକ ଗାଁ ଲୋକେ ଏଠାରେ ଛାପା ଅର୍ଥାତ୍ ଅସ୍ଥାୟୀ ଶିବିର କରି ରହିଥାନ୍ତି। ଏକାଠି ଭୋଜି କରି ଖାଇବା ସହ ବିଭିନ୍ନ ଖେଳ ଆଦିରେ ମଜ୍ଜି ରହନ୍ତି।
ସେହିପରି ବନ୍ଦର ନଗରୀ ପାରାଦୀପରେ ମଧ୍ୟ ରଜପର୍ବର ମାହୋଲ। ନୂଆବଜାର ଗୋପବନ୍ଧୁ ଷ୍ଟାଡିୟମରେ ପାରାଦୀପ ବନ୍ଦର ଆୟୋଜନ କରିଛି ରଜ ମହୋତ୍ସବ। ତିନି ଦିନ ବ୍ୟାପି ହେବାକୁ ଥିବା ଏହି ରଜ ମହୋତ୍ସବରେ ତାସ ଖେଳ ଠାରୁ ନେଇ ଦ୍ରୁତ ଚାଲି ପ୍ରତିଯୋଗୀତା ବି ହେବ।
କଟକ ଜିଲ୍ଲା ବାଙ୍କୀରେ ଜମୁଛି ରଜ ମହୋତ୍ସବ। ଝିଅମାନେ ହାତରେ ମେହେନ୍ଦୀ, ପାଦରେ ଅଳତା ଲଗାଇ ସଜେଇ ହୋଇ ରଜ ପର୍ବ ପାଳୁଛନ୍ତି। ଏହାସହ ଦୋଳି ଖେଳର ଭରପୁର ମଜା ନେଉଛନ୍ତି ସମସ୍ତେ ।
ଯାଜପୁର ଜିଲ୍ଲା କଦମପାଳ ଗାଁରେ ରଜ ଉତ୍ସବର ଧୂମ ଦେଖିବାକୁ ମିଳିଛି। ଘରେ ଘରେ ପିଠାପଣାର ଆସର। ଦୋଳି ଖେଳର ମଜା ନେଉଛନ୍ତି ପିଲାଠୁ ବୟସ୍କ। ୩ ଦିନ ବ୍ୟାପୀ ଏଠାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।