ଅଣାୟତ୍ତ କରୋନା ସ୍ଥିତି, ଚିନ୍ତା ବଢାଉଛି ସୀମାନ୍ତ ଜିଲ୍ଲା

ଆସନ୍ତାକାଲିଠୁ ୪୫ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଟିକା

  • ରାଜ୍ୟରେ ପୁଣି ୩ଶହ ମୁହାଁ ଦୈନିକ ସଂକ୍ରମଣ
  • ୨୪ ଘଣ୍ଟାରେ ୨୯୭ ନୂଆ ପଜିଟିଭ ଚିହ୍ନଟ
  • କଳାହାଣ୍ଡିରୁ ସର୍ବାଧିକ ୫୭ ଆକ୍ରାନ୍ତ ଚିହ୍ନଟ ପରେ ବଢ଼ିଲା ଚିନ୍ତା
  • ଆସନ୍ତାକାଲିଠୁ ୪୫ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଟିକା

ଭୁବନେଶ୍ୱର: ରାଜ୍ୟରେ ବେକାବୁ ହେଲାଣି କରୋନା ମହାମାରୀ। କ୍ରମାଗତ ବଢୁଥିବା ଦୈନିକ ସଂକ୍ରମଣ ଯୋଗୁଁ ଗତ ୧୦ ଦିନ ମଧ୍ୟରେ ୨ହଜାର ପଜିଟିଭ୍ ସାମ୍ନାକୁ ଆସିବା ସହ ଆଜି ଏବର୍ଷର ରେକର୍ଡ ଭାଙ୍ଗିଛି କରୋନା ଗ୍ରାଫ୍। କେବଳ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୨୯୭ ରୋଗୀ ଚିହ୍ନଟ କରାଯାଇଛି। ତାହାରି ଭିତରେ ସୀମାନ୍ତ ଛତିଶଗଡ଼ ଚିନ୍ତା ବଢ଼ାଇବା ସହ କଳାହାଣ୍ଡିରେ ଭୟ ବଢ଼ାଉଛି ସ୍ଥିତି। ଏସବୁ ଭିତରେ କାଲିଠୁ ସୀମାନ୍ତ ୯ଟି ଜିଲ୍ଲା ସହ ରାଜ୍ୟବ୍ୟାପି ଆରମ୍ଭ ହେଉଛି ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ ଅଭିଯାନ। ଏଥିପାଇଁ ଚୁଡାନ୍ତ ହୋଇସାରିଛି ପୂର୍ବ ପ୍ରସ୍ତୁତି।

ରାଜ୍ୟରେ ମାଡ଼ିଗଲାଣି କି କରୋନାର ଦ୍ୱିତୀୟ ଲହର ? ବିଗିଡ଼ିବାକୁ ବସିଲାଣି କି ସଂକ୍ରମଣର ସ୍ଥିତି ? କାରଣ ନା ତଳକୁ ଖସୁଛି କୋଭିଡ୍ ଗ୍ରାଫ୍, ନା ସ୍ଥିତିରେ ଆସୁଛି ସୁଧାର। ଗ୍ରୀଷ୍ମ ପ୍ରବାହର ଲହଡ଼ି ଭିତରେ ଗତ ୧୦ ଦିନର ଉପରମୁହାଁ ତଥ୍ୟ ଭୟ ବଢ଼ାଉଛି। ଚଳିତ ମାର୍ଚ୍ଚ ୨୨ରୁ କ୍ରମାଗତ ଜାରି ରହିଥିବା ଟ୍ରିପଲ୍ ଡିଜିଟ୍ ଟ୍ରେଣ୍ଡ ତଳକୁ ଖସିବାର ନାଁ ଧରୁନି। ମାର୍ଚ୍ଚ ୨୨ରେ ଥିଲେ ୧୪୬ ପଜିଟିଭ୍। କିନ୍ତୁ ଏବର୍ଷର ରେକର୍ଡ ଭାଙ୍ଗି ଆଜି ୨୯୭କୁ ଛୁଇଁଛି ପଜିଟିଭ ସଂଖ୍ୟା । ଗତ ୧୦ ଦିନ ମଧ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ହଜାର ଟପିଯାଇଛି।

ତେବେ ମାର୍ଚ୍ଚ ଶେଷ ସୁଦ୍ଧା ୩ଶହ ମୁହାଁ ହୋଇଥିବା କରୋନା ରୋଗୀଙ୍କ ସଂଖ୍ୟା ଏପ୍ରିଲ୍ ବେଳକୁ ଆହୁରି ବଢ଼ିବାର ଆଶଙ୍କା ଦେଖାଦେଇଛି। କାରଣ ଚାରିଆଡ଼େ ଖୋଲାମେଲା ଅବସ୍ଥା ରହିଛି, କହିବାକୁ ଗଲେ କୌଣସିଠାରେ ରାଜ୍ୟରେ ଲକଡାଉନ କିମ୍ବା ସଟଡାଉନ ହୋଇନାହିଁ। ତାହାରି ଭିତରେ ଚିନ୍ତା ବଢ଼ାଇ ଚାଲିଛି ଛତିଶଗଡ଼ ସୀମାନ୍ତ। ନୂଆପଡ଼ା ପରେ କଳାହାଣ୍ଡି ଏବେ କରୋନା ଭୂତାଣୁର ରାଡାରରେ ରହିଛି। ଆଜି ରାଜ୍ୟରେ ସର୍ବାଧତ୍କ ୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି କଳାହାଣ୍ଡି ଜିଲ୍ଲାରେ। ଏହାକୁ ଦୃଷ୍ଟିରେ ରଖି ହାଟେବାଟେ କୋଭିଡ୍ ନିୟମ ପାଳନ ପାଇଁ ଲୋକଙ୍କୁ ସଚେତନ କରିଚାଲିଛି ଜିଲ୍ଲା ପ୍ରଶାସନ।

ବଢ଼ିଚାଲିଥିବା ଦୈନିକ ସଂକ୍ରମଣ ଭିତରେ ଗୁରୁବାରଠାରୁ ଆରମ୍ଭ ହେଉଛି ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ କୋଭିଡ୍ ଟୀକାକରଣ ଅଭିଯାନ। କରୋନା ପ୍ରବଣ ଜିଲ୍ଲା ଯଥା କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର, ବରଗଡ଼, ନବରଙ୍ଗପୁର ଏବଂ ମୟୁରଭଞ୍ଜକୁ ଅଧିକ ପ୍ରାଧାନ୍ୟ ଦିଆଯିବ ବୋଲି ସୂଚନା ମିଳିଛି। ଏହାବାଦ୍ ମାଛ ମାଂସ ବିକ୍ରେତା, ସେଲୁନ, ଷ୍ଟ୍ରିଟ୍ ଭେଣ୍ଡର, ଅଟୋ ଓ ବସ ଡ୍ରାଇଭର, ସ୍କୁଲ ଓ କଲେଜ ଶିକ୍ଷକ, ରେଷ୍ଟୁରାଣ୍ଟ କର୍ମଚାରୀ ଭଳି ସମ୍ବେଦନଶୀଳ ବର୍ଗଙ୍କୁ ବି ଟିକା ଦିଆଯିବ ବୋଲି ଜଣାଯାଇଛି। ଏଥିପାଇଁ ଟୀକାକରଣ କେନ୍ଦ୍ର ବଢାଇବା ସହ କର୍ମୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

ତେଣେ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୩ଟି ଜୋନରେ ଭ୍ୟାକ୍ସିନେସନ୍ ପ୍ରକ୍ରିୟା ଆରମ୍ଭ ହେଉଛି। ଗୁରୁବାରଠାରୁ ଭୁବନେଶ୍ୱରର ୨୪ଟି ସରକାରୀ ଓ ୩୧ଟି ଘରୋଇ ହସ୍ପିଟାଲରେ ଟୀକାକରଣ କରାଯିବ। ତେବେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ବଢ଼ିଚାଲିଥିବା ସଂକ୍ରମଣ ସ୍ଥିତିକୁ ନଜରରେ ରଖି ପଦକ୍ଷେପ ନିଆଯାଉଥିବା କହିଛନ୍ତି ବିଏମ୍ସି କର୍ତ୍ତୃପକ୍ଷ। ତାହାରି ଭିତରେ ଆଜି ରମାଦେବୀ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପିକା ପଜିଟିଭ୍ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଛାତ୍ରୀ ଓ କର୍ମଚାରୀଙ୍କ ଆସନ୍ତାକାଲି ଟେଷ୍ଟ ହେବ ବୋଲି ଜଣାଯାଇଛି।

  • ରାଜ୍ୟରେ ବେକାବୁ ହେଲାଣି କରୋନା ମହାମାରୀ
  • ଗତ ୧୦ ଦିନ ମଧ୍ୟରେ ୨ହଜାର ପଜିଟିଭ୍ ଚିହ୍ନଟ
  • ଆଜି ଏବର୍ଷର ରେକର୍ଡ ଭାଙ୍ଗିଛି କରୋନା ଗ୍ରାଫ୍
  • ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୨୯୭ ରୋଗୀ ଚିହ୍ନଟ
  • କାଲିଠୁ ରାଜ୍ୟରେ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ
  • ସୀମାନ୍ତ ଜିଲ୍ଲାଗୁଡ଼ିକର ୪୫ ବର୍ଷରୁ ଅଧିକ ଲୋକଙ୍କୁ ପ୍ରାଧାନ୍ୟ

ତେଣେ ଆମେରିକାର ଫାଇଜର ଫାର୍ମା କମ୍ପାନି ଓ ଜର୍ମାନୀର ବାୟୋ ଏନ୍ ଟେକ୍ ଦ୍ୱାରା ବିକଶିତ କୋଭିଡ ୧୯ ଟିକା ୧୨ରୁ ୧୫ ବର୍ଷର ପିଲାଙ୍କ କ୍ଷେତ୍ରରେ ଶତ ପ୍ରତିଶତ କାମ କରୁଥିବା ଦାବି କରିଛନ୍ତି ଉଭୟ କଂପାନୀ। ଆମେରିକାରେ ୨ହଜାର ୨ଶହ ୬୦ ଜଣ କିଶୋର କିଶୋରୀଙ୍କ ଠାରେ ସେମାନଙ୍କ ଦ୍ୱାରା ବିକଶିତ ଟିକାର ଫେଜ୍-ଥ୍ରୀ ଟ୍ରାଏଲ୍ କରାଯାଇଥିଲା। ଏହି ସଫଳତା ପରେ ଆସନ୍ତା ଶିକ୍ଷାବର୍ଷରୁ ଟିକାକୁ ଅନୁମୋଦନ ମିଳିପାରେ ବୋଲି ଆଶା ରଖିଛି କମ୍ପାନୀ।

 

You might also like