ପିପିଲି ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ: ସୁର !

ପିପିଲିର କଂଗ୍ରେସ ପ୍ରାର୍ଥୀ କିଏ?

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ବିଜେପି ଓ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିଲେ ମଧ୍ୟ ଏଯାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି କଂଗ୍ରେସ। ଏ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ପ୍ରାର୍ଥୀ ଘୋଷଣା ଏତେ ବିଳମ୍ବ ହେବା ଉଚିତ ନୁହେଁ। କଟାକ୍ଷ କରି ସୁରେଶ କହିଛନ୍ତି, ଆମେ ସବୁ ପ୍ରକାର ମାପ ଚୁପ କରୁଛୁ, ସରସା କ୍ୟାଣ୍ଡିଡେଟ୍ ଖୋଜା ଚାଲିଛି। ଜ୍ଞାନ, ଧନ, ମାନ ଥିବା ଲୋକ ଦେଖି ପ୍ରାର୍ଥୀ ବାଛୁଚୁ। କମିଟି ବହୁ ଆଗରୁ ଅଶାୟୀଙ୍କ ନାଁ ଦେଇସାରିଛି। ଯେତେ ଡେରି ହେବ ସେତେ ଖରାପ ବୋଲି ସୁରେଶ କହିଛନ୍ତି। ଡେରି କରିବା ଆବଶ୍ୟକତା ନାହିଁ ଡେରି ହେବା ଦ୍ୱାରା ଖରାପ ବାର୍ତ୍ତା ଯାଉଛି ବୋଲି ମଧ୍ୟ ସୁର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଆମେ ପାଂଚ ଜଣଙ୍କ ନା ଦେଇଛୁ। ଆଉ ସେମାନଙ୍କ ମଧ୍ୟରୁ ସୋନିଆ ଗାନ୍ଧୀ ଯାହା ନାଁରେ ମୋହର ମାରିବେ ସେ ହିଁ ପିପିଲିର କଂଗ୍ରେସ ପ୍ରାର୍ଥୀ ହେବ ବୋଲି ସୁର କହିବା ସହ ଆଜି ପ୍ରାର୍ଥୀ ନାଁ ଘୋଷଣା କରାଯିବ ବୋଲି ସୁର କହିଛନ୍ତି।

ତେବେ ପିପିଲି ଉପନିର୍ବାଚନ ଲାଗି ବିଜେପି ଓ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଆଶ୍ରିତ ପଟ୍ଟନାୟକଙ୍କୁ ପିପିଲି ଲାଗି ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅକୁ ପିପିଲି ଲାଗି ଟିକେଟ୍‌ ଦେଇଛି ବିଜେଡି। ତେବେ୨୦୧୯ ନିର୍ବାଚନରେ ମଧ୍ୟ ବିଜେପି ଆଶ୍ରିତଙ୍କୁ ପ୍ରାର୍ଥୀ କରିଥିଲା। ସେ ୭୨,୭୩୧ ଖଣ୍ଡ ଭୋଟ ପାଇଥିଲା। ସେତେବେଳେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ୮୮,୫୧୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ। ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ‌ଆସନ ଖାଲି ପଡ଼ିଛି।

ତେବେ ପିପିଲି ଉପ-ନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଟିକେଟ୍‌ ଦେଇସାରିଛି ବିଜେଡି। ରୁଦ୍ର ପ୍ରତାପ ମହାରଥୀଙ୍କ ନାଁରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ। ଆସନ୍ତାମାସ ଅର୍ଥାତ୍‌ ଆସନ୍ତା ମାସ ଏପ୍ରିଲ ୧୭ ତାରିଖରେ ନିର୍ବାଚନ ହେବ। ନିର୍ବାଚନ ଲାଗି ଚଳିତ ମାସ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାସହ ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦। ଏହାସହ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ତାରିଖ ରହିଛି। ମେ ମାସ ୨ ତାରିଖରେ ଭୋଟ ଗଣତି ସହ ଫଳ ପ୍ରକାଶ ପାଇବ ବୋଲି ଜଣାଯାଇଛି। ତେବେ ବିଜେଡି ଓ ବିଜେପି  ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସ କେବେ ପ୍ରାର୍ଥୀ ଘୋଷଣା କରିବା ତାହା ଉପରେ ସମସ୍ତଙ୍କ ନଜର ରହିଛି।

You might also like