ଆଜି ବସୁଛି ବିଜେଡି କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଆଜି ବସୁଛି ବିଜେଡି କାର୍ଯ୍ୟକାରିଣୀ ବୈଠକ। ଦଳୀୟ କାର୍ଯ୍ୟାଳୟରେ ହେବାକୁ ଥିବା ଏହି ବୈଠକରେ ସଭାପତି ନବୀନ ପଟ୍ଟନାୟକ ସଭାପତିତ୍ୱ କରିବେ।  କାର୍ଯ୍ୟକାରିଣୀରେ ସ୍ଥାନ ପାଇଥିବା ସଦସ୍ୟମାନେ ଏଥିରେ ଯୋଗଦେବେ।

ବୈଠକରେ କେନ୍ଦ୍ର ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇପାରେ। ଏହାପରେ ସଦସ୍ୟମାନଙ୍କର ମତାମତ ଲୋଡ଼ାଯିବ।  ଏଥିସହ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଧାନର ଏମଏସପି ବୃଦ୍ଧି, ମହାନଦୀର ପାଣିପ୍ରସଙ୍ଗକୁ ନେଇ ବିଜେଡି ପକ୍ଷରୁ ଆଲୋଚନା ହେବାର ସମ୍ଭାବନା ରହିଛି। ସୂଚନା ଥାଉକି, ବିଜେଡିର ନୂଆ ଟିମ୍ ଗଠନ ହେବା ପରେ ଆଜି ପ୍ରଥମ କାର୍ଯ୍ୟକାରିଣୀ ବୈଠକ ବସୁଛି।

ପୂର୍ବରୁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗକୁ ନେଇ ଡିସେମ୍ବର ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ନିର୍ବାଚନ ବେଳେ ବିଜେପି ଓ କଂଗ୍ରେସ ସ୍ୱତନ୍ତ୍ର ପାହ୍ୟାକୁ ନେଇ ଇସ୍ତାହାରରେ ଘୋଷଣା କରିଥିଲେ। ହେଲେ ପରେ ଏସବୁକୁ ବିଜେପି ଭୁଲି ଯାଇଛି ବୋଲି ନବୀନ କହିଥିଲେ।

ଏଥିସହିତ ସେ ଆହୁରି ମଧ୍ୟ କହିଥିଲେ ଯେ, ଜାତୀୟ ଦଳ କେବଳ ନିର୍ବାଚନ ଜିତିବା ପାଇଁ କାର୍ଯ୍ୟ କରେ। ସେହିଭଳି କଂଗ୍ରେସର ରିମୋଟ୍ ଦିଲ୍ଲୀରୁ ପରିଚାଳିତ ହୁଏ। ବିଜେପି ଓ କଂଗ୍ରେସ ଏହି ଦୁଇ ଦଳ BOSSଙ୍କ ଦ୍ୱାରା ପରିଚାଳିତ। ହେଲେ ବିଜେଡି ପାଇଁ BOSS ହେଉଛନ୍ତି ଓଡ଼ିଶାବାସୀ। ବିଜେଡି ସବୁବେଳେ ଓଡ଼ିଆଙ୍କ ପାଇଁ ଏବଂ ଓଡ଼ିଶାର  ସ୍ୱାର୍ଥ ପାଇଁ ଲଢ଼େଇ କରୁଛି ବୋଲି ନବୀନ କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରତିକ୍ରିୟାକୁ ନେଇ କଡ଼ା ଭାଷାରେ ସମାଲୋଚନା କରିଥିଲେ ବିଜେପି ଓ କଂଗ୍ରେସ। କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଓଡ଼ିଶାକୁ ସମସ୍ତ ପ୍ରକାର ସହାୟତା କରାଯାଇଛି। ଓଡ଼ିଶାର ସ୍ୱର ଦିଲ୍ଲୀ ଦରବାରରେ ପହଞ୍ଚିଛି। ହସ୍ପିଟାଲରୁ କୋଷ୍ଟାଲ୍ ହାଇୱେ କେବଳ ମୋଦି ସରକାରଙ୍କ ପାଇଁ ସମ୍ଭବପର ହୋଇଛି ବୋଲି ବିଜେପି ନେତା ଗୋଲକ ମହାପାତ୍ର କହିଥିଲେ। ଓଡ଼ିଶା ଭିତରେ ଥିବା ଜଳ ବିବାଦର ସମାଧାନ କରିପାରୁନଥିବା ନବୀନ ମହାନଦୀ ପ୍ରସଙ୍ଗ ଉଠାଉଛନ୍ତି ବୋଲି କହି ସେ କଟ୍ଟାକ୍ଷ କରିଥିଲେ।

ସେହିପରି ବିଜେଡି ପାଖରେ କୌଣସି ପ୍ରସଙ୍ଗ ନଥିବାରୁ ଏବଂ ବିଜେପି-ବିଜେଡି ସମ୍ପର୍କକୁ ନେଇ ଚର୍ଚ୍ଚା ଲାଗି ରହିଥିବାରୁ ନବୀନ ଏପରି ବୟାନ ଦେଇଥିବା କହିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଗତକାଲି ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚା କରିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ସେ କହିଥିଲେ ଯେ ନିଜେ କେନ୍ଦ୍ରମନ୍ତ୍ରୀ ଥିବାବେଳେ କାହିଁକି ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କରାଇ ଦେଲେନି। ସ୍ୱତନ୍ତ୍ର ରାଜ୍ୟ ପାଇଁ ଆବଶ୍ୟକ ମାନଦଣ୍ଡ ପୂରଣ କରିପାରୁନି ରାଜ୍ୟ। ତେଣୁ ସ୍ୱତନ୍ତ୍ର ରାଜ୍ୟ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ସେହିପରି ରାଜ୍ୟକୁ କେନ୍ଦ୍ରର ସହଯୋ ନେଇ ପ୍ରତାପ କହିଥିଲେ, ଏନଡିଏ ସମୟରେ ୟୁପିଏ ଠାରୁ ୪ ଗୁଣା ଅଧିକ ଅନୁଦାନ ଓଡ଼ିଶା ପାଇଛି। କିନ୍ତୁ ରାଜ୍ୟ ସରକାର ଠିକ୍ ଭାବେ ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି। ବିଜେଡିର ଅଧିକ ସାଂସଦ ଅଛନ୍ତି। ଉନ୍ନତିମୂଳକ କାମ ହେଉନଥିଲେ ସେମାନେ ହିଁ ଦାୟୀ ବୋଲି ସେ କହିଛନ୍ତି।

You might also like