କନ୍ଧମାଳ ପରେ ରାୟଗଡ଼ା, କେନ୍ଦୁଝର ଓ ଖୋର୍ଦ୍ଧାରେ ବି ସଡ଼କ ଦୁର୍ଘଟଣା: ୨ ମୃତ, ୧୭ ଆହତ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ପରି ରାୟଗଡ଼ା ଜିଲ୍ଲା କୋଲନରା ବ୍ଳକ୍‌ର ଝରଡ଼ି ଘାଟି ନିକଟରେ ଏକ ଟିପର ଓଲଟି ପଡ଼ିବାରୁ ଜଣେ ବାଳକର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ରାମନାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଟିପର୍ ଡ୍ରାଇଭର୍‌ ଫେରାର ହୋଇଯାଇଛି। ପୁଲିସ୍ ଏବେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ତେବେ ଏତିକିରେ ସରିନି ସଡ଼କ ଦୁର୍ଘଟଣା ଖବର। କେନ୍ଦୁଝର୍‌ ଜିଲ୍ଲାରେ ମଧ୍ୟ ସଡ଼କ ଦୁର୍ଘଟଣା ଘଟିଛି। ଜିଲ୍ଲାର କାଞ୍ଜିପାଣି ଘାଟିରେ ଏକ ଅଟୋ ଓଲଟି ପଡ଼ିବାରୁ ୭ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହି ଘଟଣା କିପରି ଘଟିଲା ସେ ବିଷୟରେ ଏଯାଏ କିଛି ଜଣା ପଡ଼ିନାହିଁ।

ସେହିଭଳି ଖୋର୍ଦ୍ଧାରେ ମଧ୍ୟ ଘନ କୁହୁଡ଼ି ଯୋଗୁ ଏକ ଟ୍ରକ୍‌କୁ ଆଉ ଏକ ଟ୍ରକ୍‌ ପଛପଟୁ ଧକା ଦେବାରୁ ଡ୍ରାଇଭର୍‌ଙ୍କ ମୃତ୍ୟୁ ହୋଇଛି। ଯାଆଁଳା ଭୁଆସୁଣୀ ମନ୍ଦିର ନିକଟରେ ଏହି ଦୁର୍ଘଟଣା ହୋଇଛି।

ଅନ୍ୟପଟେ କନ୍ଧମାଳ ମିନିଟ୍ରକ୍‌ ଓଲଟି ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୩୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ବ୍ରାହ୍ମଣୀଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମେଡିକାଲ୍‌ରେ ମୃତଦେହକୁ ସମ୍ପର୍କୀୟ ଲୋକ ନ ଛାଡ଼ି କ୍ଷତିପୂରଣ ଦାବି କରୁଛନ୍ତି। ତେବେ ଡାକ୍ତରଖାନାର ଜିଲ୍ଲାପାଳ ଓ ଉପଜିଲ୍ଲାପଳ ପହଞ୍ଚିଛନ୍ତି।

You might also like