ଆଉ କିଛି ସମୟର ବ୍ୟବଧାନ; ସବୁଠି ଶୁଭିବ ‘ବନ୍ଦେ ଉତ୍କଳ ଜନନୀ’।

ଭୁବନେଶ୍ୱର:ଆଉ କିଛି ସମୟ ପରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ରାଜ୍ୟବାସୀ ଗାଇବେ ‘ବନ୍ଦେ ଉତ୍କଳ ଜନନୀ’।  ସାଢେ ୫ଟା ବାଜିବାକୁ ଆଉ ମାତ୍ର କେତେ ମିନିଟ ବାକି। କରୋନା ମୁକାବିଲା କରିବାରେ ରାଜ୍ୟବାସୀ ସଫଳ ହୋଇଛନ୍ତି। ତେଣୁ କରୋନା ଯୋଦ୍ଧାଙ୍କ ସମ୍ମାନ ଉଦ୍ଦେଶ୍ୟରେ ଆଜି ସାଢେ ୫ଟାବେଳେ  ବନ୍ଦେ ଉତ୍କଳ ଜନନୀର ସମୂହ ଗାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।

ଏମିତିକି କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କ ମହତ କାର୍ଯ୍ୟକୁ ଉତ୍ସାହିତ ପାଇଁ ରାଜ୍ୟ ବାହାରେ ତଥା ବିଦେଶରେ ଥିବା ସବୁ ଓଡ଼ିଆଙ୍କୁ ସମୂହ ଗାନ ପାଇଁ ଅନୁରୋଧ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଆ ଭାଇଭଉଣୀମାନେ ଯେଉଁଠି ବି ଥାଆନ୍ତୁ, ବନ୍ଦେ ଉତ୍କଳ ଜନନୀ ଗାଇବା ପାଇଁ ଅନୁରୋଧ କରାଯାଇଛି ।ସବୁ ଟ୍ରାଫିକ ବନ୍ଦ ରଖିବା ପାଇଁ ବି ଅନୁରୋଧ କରାଯାଇଛି।

ଏହି କାର୍ଯ୍ୟକ୍ରମକୁ ପାଳନ କରିବା ଲାଗି କାଲିଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ପୋଲିସ କମିଶନରେଟ୍ । ଏଥିପାଇଁ ଗତକାଲି କମିଶନରେଟ୍ ପୋଲିସ ମୁଖ୍ୟାଳୟରେ ବନ୍ଦେ ଉତ୍କଳ ଜନନୀ ଗୀତର ଅଭ୍ୟାସ କରାଯାଇଥିଲା । କମିଶନରେଟ୍ ପୋଲିସର ବ୍ୟାଣ୍ଡ ପକ୍ଷରୁ ଏହି ଗୀତର ଅଭ୍ୟାସ କରାଯାଇଥିଲା । ଏହି ଅବସରରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସହ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ ।

ଏପଟେ ପୂର୍ବତଟ ରେଳପଥ ପକ୍ଷରୁ ମଧ୍ୟ ପ୍ରସ୍ତୁତି କରାଯାଇଛି । ସମସ୍ତ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ, ରେଳ କାର୍ଯ୍ୟାଳୟ, ରେଳ କଲୋନୀରେ ଯେଉଁଠି ସମବେଦ ଗାୟନ କରାଯାଇପାରିବ, ସେଠାରେ ଗାନ କରିବାକୁ ପୂର୍ବତଟ ରେଲେଓ୍ୱ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । 

 

You might also like