ଆଜି ୪ ଘଂଟା ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର, ଜାଣନ୍ତୁ କାହିଁକି…

ଆଜି ବନକଲାଗି ନୀତି

ପୁରୀ: ଆଜି ୪ ଘଂଟା ଲାଗି ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ବନକଲାଗି ନୀତି ପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଦତ୍ତ ମହାପାତ୍ର ସେବକଙ୍କ ଦ୍ୱାରା ହେବ ଶ୍ରୀମୁଖ ଶୃଙ୍ଗାର ହେବ ବୋଲି ସୂଚନା ମିଳିଛି। ଚୈତ୍ର ଶୁକ୍ଳ ତୃତୀୟା ତିଥୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବାର ପରମ୍ପରା ରହିଛି। ଦ୍ୱିପ୍ରହର ଧୁପ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭ ଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳାରଙ୍ଗରେ ଚମକିଉଠିବ ମହାପ୍ରଭୁଙ୍କ ଶ୍ରୀମୁଖ। ତେବେ ମହାପ୍ରଭୁଙ୍କର ଏହା ଗୁପ୍ତ ନୀତି ହୋଇଥିବା କାରଣରୁ ଏହି ସମୟରେ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି।

କରୋନା ଲାଗି ଏଣିକି ସବୁ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ସବୁ ରବିବାର  ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ରହିବ ବୋଲି ପ୍ରଶାସନ ନିଷ୍ପତ୍ତି ହୋଇସାରିଛି । କରୋନା ବଢୁଥିବାରୁ ପ୍ରଶାସନ ଏମିତି ନିଷ୍ପତ୍ତି ନେଇଛି। ପ୍ରତି ରବିବାର ଶ୍ରୀମନ୍ଦିରକୁ ସାନିଟାଇଜେସନ୍ ପାଇଁ ବନ୍ଦ ରଖବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସୂଚନା ଦେଇଥିଲେ। ପୂର୍ବରୁ ଛତିଶା ନିଯୋଗରେ ଏନେଇ ପ୍ରସ୍ତାବ ପାରିତ ହୋଇଥିଲା। କିନ୍ତୁ ଅନ୍ୟଦିନରେ ସାଧାରଣ ଦର୍ଶନ ଉପରେ କୌଣସି ରୋକ ଲଗାଯାଇନାହିଁ। କେବଳ ରବିବାର ହିଁ ଦର୍ଶନ ବନ୍ଦ ରହିବ।

ରଥନିର୍ମାଣ ଆଗକୁ ଥିବାରୁ ସମସ୍ତ ଭୋଇ ଓ ମହାରଣାମାନଙ୍କୁ ଟୀକା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ମିଳିଛି।ଗତବର୍ଷ ମାର୍ଚ୍ଚ ୨୦ ତାରିଖ କରୋନା ପ୍ରଭାବରେ ଥର ହର ହୋଇଥିଲା ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ଶ୍ରୀକ୍ଷେତ୍ର। ଭକ୍ତଙ୍କ ପାଇଁ ବନ୍ଦ ହୋଇଯାଇଥିଲା ଶ୍ରୀମନ୍ଦିର। ପ୍ରାୟ ୯ମାସ ପରେ ଡିସେମ୍ବରରେ ଖୋଲିଲା ଶ୍ରୀମନ୍ଦିର। ତାପରେ ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରୀମନ୍ଦିରକୁ ଛୁଟିଛନ୍ତି ମହାପ୍ରଭୁଙ୍କ ଦର୍ଶନ ପାଇଁ। ଖୋଲାମେଲା ହୋଇଯାଇଥିଲା କଟକଣା କିନ୍ତୁ ଏବେ ପୁନର୍ବାର କୋଭିଡ ସଂକ୍ରମଣ ବ୍ୟାପିବାରେ ଲାଗିବାପରେ ପୁଣି ଆରମ୍ଭ ହୋଇଛି କଟକଣା। ତେବେ ଆଜି ଶ୍ରୀମୁଖ ଶୃଙ୍ଗାର ଲାଗି ୪ ଘଂଟା ବନ୍ଦ ରହିବ ଦର୍ଶନ। କିନ୍ତୁ ନୀତି ସରିବା ପରେ ପୁଣି ଥରେ ଦର୍ଶନ ହେବ ବୋଲି ସୂଚନା ମିଳିଛି। କରୋନା କଟକଣା ମାନି ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରୁଛନ୍ତି ଭକ୍ତ।

You might also like