ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ, ଜାଣନ୍ତୁ କାହିଁକି?

୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

  • ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ
  • ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ଆଜି ୪ ଘଣ୍ଟା ଦର୍ଶନ ବନ୍ଦ ରହିବ
  • ମହାପ୍ରଭୁଙ୍କ ଗୁପ୍ତନୀତି ଖସାପଡ଼ା ନୀତି ପାଇଁ ଦର୍ଶନ ବନ୍ଦ ରହିବ
  • ଅପରାହ୍ନ ୪ଟା ୩୦ରୁ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ

ପୁରୀ: ଆଜି ୪ ଘଣ୍ଟା ଲାଗି ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ମହାପ୍ରଭୁଙ୍କ ଗୁପ୍ତନୀତି ଖସାପଡ଼ା ନୀତି ପାଇଁ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି। ପ୍ରଶାସନର ସୂଚନା ଅନୁସାରେ, ଅପରାହ୍ଣ ୪ଟା ୩୦ ରୁ ୪ ଘଣ୍ଟା ଲାଗି ବନ୍ଦ ରହିବ ଦର୍ଶନ। ଏହି ସମୟରେ ଶ୍ରୀମନ୍ଦିର ମଧ୍ୟକୁ କାହାରିକୁ ଛଡ଼ାଯିବ ନାହିଁ ବୋଲି ସୂଚନା ମିଳିଛି। ମହାପ୍ରଭୁଙ୍କ ଗୁପ୍ତ ନୀତି ଯୋଗୁଁ ସାଧାରଣ ଭକ୍ତଙ୍କ ଦର୍ଶନ ଉପରେ ରୋକ ଲଗାଯାଇଛି।

ତେବେ ସବୁ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ପୂର୍ବରୁ ପ୍ରଶାସନ ନିଷ୍ପତ୍ତି ନେଇସାରିଛି। କରୋନା ବଢୁଥିବାରୁ ପ୍ରଶାସନ ଏମିତି ନିଷ୍ପତ୍ତି ନେଇଛି। ପ୍ରତି ରବିବାର ଶ୍ରୀମନ୍ଦିରକୁ ସାନିଟାଇଜେସନ୍ ପାଇଁ ବନ୍ଦ ରଖବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସୂଚନା ଦେଇଛନ୍ତି। ପୂର୍ବରୁ ଛତିଶା ନିଯୋଗରେ ଏନେଇ ପ୍ରସ୍ତାବ ପାରିତ ହୋଇଥିଲା। କିନ୍ତୁ ଅନ୍ୟଦିନରେ ସାଧାରଣ ଦର୍ଶନ ଉପରେ କୌଣସି ରୋକ ଲଗାଯାଇ ନାହିଁ।  ଶ୍ରୀଜୀଉଙ୍କ ଦର୍ଶନ ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଲୋକ ନିତିଦିନ ପୁରୀକୁ ଆସିଥାଆନ୍ତି। ତେଣୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି।

ଗତ ମାର୍ଚ୍ଚ ୨୦ ତାରିଖରୁ ଭକ୍ତଙ୍କ ପାଇଁ ବନ୍ଦ ହୋଇଯାଇଥିଲା ଶ୍ରୀମନ୍ଦିର। ପ୍ରାୟ ୯ମାସ ପରେ ଅର୍ଥାତ୍‌ ଡିସେମ୍ବରରେ ଖୋଲିଲା ଶ୍ରୀମନ୍ଦିର। ଶ୍ରୀମନ୍ଦିର ଖୋଲିବା ପରେ କଟକଣା କୋହଳ କରାଯାଇଥିଲା। ତାପରେ ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରୀମନ୍ଦିରକୁ ଛୁଟିଥିଲେ ମହାପ୍ରଭୁଙ୍କ ଦର୍ଶନ ପାଇଁ।  କିନ୍ତୁ ଏବେ ପୁନର୍ବାର କୋଭିଡ ସଂକ୍ରମଣ ବ୍ୟାପିବା ପରେ ପୁଣି ଆରମ୍ଭ ହୋଇଛି କଟକଣା।

ଡ଼ିସେମ୍ୱର ୨୩ ରୁ ୨୫ ସେବାୟତ ପରିବାର ସଦସ୍ୟ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।  ଜାନୁଆରୀ ୩ ରୁ କୋଭିଡ଼ ନେଗେଟିଭ ସାର୍ଟିଫିକେଟ ଦେଖାଇ ସର୍ବସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଇଥିଲା।  ପୁନର୍ବିଚାର କରାଯାଇ ଏହି ନିୟମରେ ପରିବର୍ତ୍ତନ ଆଣିଥିଲା ପ୍ରଶାସନ। କେବଳ ମାସ୍କ ବ୍ୟବହାର, ହାତ ସାନିଟାଇଜ, ସମାଜିକ ଦୂରତ୍ୱକୁ କଡ଼ାକଡ଼ି କରାଯାଇ ମନ୍ଦିର ପ୍ରବେଶ ଅନୁମତି ମିଳିଥିଲା। ତେବେ ପୁଣି ଥରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଥିବାରୁ ଏମିତି ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ।

You might also like