ଦାନା ବାନ୍ଧୁଛି ଲଘୁଚାପ, ପ୍ରବଳ ବର୍ଷିବ!

ଭୁବନେଶ୍ୱର: ଏଯାବତ ଓଡ଼ିଶାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚଆର ବିଶ୍ୱାସ। ଜୁନ୍ ୧ରୁ ଅଗଷ୍ଟ ୨ ମଧ୍ୟରେ ୪୮୮.୧ ମିମି ବର୍ଷା ହୋଇଛି। ଏହି ସମୟରେ ସ୍ୱାଭାବିକ ବର୍ଷାର ପରିମାଣ ୫୮୬ ମିମି ରହିଥାଏ। ତେଣୁ ସ୍ୱାଭାବିକ ବର୍ଷା ଠାରୁ ପ୍ରାୟ ୧୭ ପ୍ରତିଶତ କମ୍ ବର୍ଷା ହୋଇଛି।

୧୭ ଜିଲ୍ଲାରେ ସ୍ୱାଭାବିକ ଓ ୧୩ ଜିଲ୍ଲାରେ କମ୍ ବର୍ଷା ହୋଇଛି। ବିଶେଷ କରି ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଟକ, ଯାଜପୁର, ବାଲେଶ୍ୱରରେ କମ୍ ବର୍ଷା ହୋଇଛି। ୪ରୁ ଲଘୁଚାପ ସମ୍ଭାବନା ଥିବାରୁ  ପ୍ରଭାବରେ ୪ ଓ ୫ରେ ଅଧିକ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି।

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ।

ତେବେ ଆଜି କୋରାପୁଟ, ମାଲକାନଗିରି, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼, ବୌଦ୍ଧ, ଢେଙ୍କାନାଳ ଓ ଜଗତସିଂହପୁର ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହିଭଳି ୪ରୁ ୫ ତାରିଖ ଦୁଇ ଦିନ ଧରି ବର୍ଷା ହେବା ସମ୍ଭାବନା ରହିଛି।

ବର୍ଷା ଅଭାବରୁ ରାଜ୍ୟରେ ମରୁଡ଼ିର ପଦଧ୍ୱନୀ ଦେଖାଦେଇଛି। ଏ ବର୍ଷ ଶ୍ରାବଣରେ ବି ବର୍ଷାର ନାଁ ଗନ୍ଧ ନାହିଁ। ରୁଆ-ବେଉଷଣ ପଛେଇ ଯାଇଥିବା ବେଳେ ଅନେକ ଅଞ୍ଚଳରେ ଜମି ଫାଟି ଆଁ କଲାଣି। ମୌସୁମୀ ଅଦୃଶ୍ୟ ହୋଇଯିବା ଭଳି ବର୍ଷାକୁ ଚାହିଁ ଚାହିଁ ଚଷା ପୁଅର ଆଶା ବି ଧୀରେ ଧୀରେ ମିଳାଇ ଯିବାକୁ ବସିଲାଣି। ତୁରନ୍ତ ଯଦି ଭଲ ବର୍ଷା ନହୁଏ ତେବେ ସ୍ଥିତି ସାଂଘାତିକ ହେବା ଆଶଙ୍କା ବଢାଇଛି।

You might also like