ସାତକୋଶିଅା ଅଭୟାରଣ୍ୟ ଅଞ୍ଚଳବାସୀଙ୍କୁ ‘ସୁନ୍ଦରୀ’ ଚିନ୍ତା

ବାଘ ଭୟରେ ଘରେ ତାଟି କବାଟ, ପିଲାଙ୍କ ସ୍କୁଲ ବନ୍ଦ

ଅନୁଗୁଳ : ସାତକୋଶିଅାରେ ପାଦ ରଖିବା ପରେ, ସ୍ଥାନୀୟ ଲୋକଙ୍କ ନିଦ ଉଡ଼ାଇ ଦେଇଛି, ବାନ୍ଧବଗଡ଼ର ‘ସୁନ୍ଦରୀ’।  ଗାଁ ମୁଣ୍ଡରେ ବାଘପଞ୍ଝାର ଚିହ୍ନ ଦେଖିବା ପରେ ଗାଁ ସାରା କୋକୁଅା ଭୟ। ଜୀବନ ବଞ୍ଚାଇ ଘରେ ରହିବେ, ନା ପେଟ ପୋଷିବାର ମାଧ୍ୟମ ଛେଳିଗୋରୁଙ୍କୁ ଚରେଇବାକୁ ନେବେ।  ଏବେ ଅଭୟାରଣ୍ୟ ଅଞ୍ଚଳର କଟରଙ୍ଗ ବାସିନ୍ଦାଙ୍କୁ ସେଇ ଚିନ୍ତା ଘାରିଛି।

ବାଘଠାରୁ ରକ୍ଷା ପାଇବାକୁ ଲୋକେ ଠେଙ୍ଗାବାଡ଼ି ଧରି ଦଳବଳ ହୋଇ ପହରା ଦେଉଛନ୍ତି। ଏଣେ କାମଧନ୍ଦା ପାଇଁ ଯାଇପାରୁନଥିବାରୁ ଅନେକଙ୍କ ଘରେ ରୋଷେଇ ବନ୍ଦ। ପିଲାଙ୍କୁ ସ୍କୁଲ ଛାଡିବାକୁ ବି ଲୋକେ ଡରୁଛନ୍ତି। ଏମିତିକି କିଛି ଲୋକ ଘରେ ତାଲା ପକାଇ ଅନ୍ୟତ୍ର ଚାଲିଯାଇଛନ୍ତି।

କେବଳ ଅନୁଗୁଳ କଟରଙ୍ଗ ନୁହେଁ, କଟକ ଜିଲିଣ୍ଡା ରେଞ୍ଜ୍ ଅନ୍ତର୍ଗତ କୁଶଖଳି ଓ ସତ୍ୟଜୟପୁର ଗାଁରେ ବି ସମାନ ସ୍ଥିତି। କିଛି ଲୋକ ବାଘ ଦେଖିଥିବା କହୁଥିବା ବେଳେ, ବାଘ ଘଉଡ଼ାଇବାକୁ ଯାଇ ଜଣେ ଅାହତ ହୋଇଥିବା ଜଣାପଡିଛି।

ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ସ୍ୱତନ୍ତ୍ର ପ୍ରକଳ୍ପ ଅଧୀନରେ କାହ୍ନାରୁ ଗୋଟିଏ ମହାବଳ ଓ ବାନ୍ଧବଗଡ଼ରୁ ବାଘୁଣୀ ‘ସୁନ୍ଦରୀ’କୁ ସାତକୋଶିଅାରେ ଛଡ଼ାଯାଇଛି । ତେବେ ବାଘ ଅାସିବା ଦିନଠାରୁ ଅଭୟାରଣ୍ୟ ଅଞ୍ଚଳରେ ବସବାସ କରୁଥିବା ଲୋକେ ଭୟରେ ଜୀବନ ବିତାଉଛନ୍ତି । ଏହାକୁ ନେଇ ଅସନ୍ତୋଷ ବି ତେଜିବାରେ ଲାଗିଛି।

ପୂର୍ବରୁ  ସ୍ଥାନୀୟ ଲୋକେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଥିଲେ। ତେବେ କିଛି ପଦକ୍ଷେପ ନିଅାନଯିବାରୁ ସେମାନେ ମାନବାଧିକାର କମିଶନ, ସୁପ୍ରିମ କୋର୍ଟ, ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ନିକଟରେ ଫେରାଦ ହେବାକୁ ସଜବାଜ ହେଉଛନ୍ତି। ତେବେ ବାଘର ଗତିବିଧି ଉପରେ ୧୮ ଜଣିଅା ଟିମ୍ ୨୪ ଘଣ୍ଟା ନଜର ରଖିଥିବା ବନ ବିଭାଗ କହିଛି।

ତେବେ ସାତକୋଶିଅା ପ୍ରକଳ୍ପ ସହ ସଂପୃକ୍ତ ତଥା ଓ୍ୱାଇଲ୍‌ଡ ଲାଇଫ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଅାର ବୈଜ୍ଞାନିକ କେ ରମେଶ କହିଛନ୍ତି ଯେ, ନୂଅା ଜଙ୍ଗଲରେ ନିଜର ସ୍ଥାୟୀ ବାସସ୍ଥଳୀ ନବାଛିବା ପର୍ଯ୍ୟନ୍ତ ବାଘ ଜନବସତି ମୁହାଁ ହେବା ସ୍ୱାଭାବିକ। ତେବେ ସେ ଯାହା ହେଉନା କାହିଁକି ବାଘ ଅାସିବା ଦିନଠୁ ଏଠାକାର ଲୋକଙ୍କ ନିଦ ହଜିଯାଇଛି।

You might also like