ମାଓପ୍ରବଣ ଅଞ୍ଚଳରେ ଭୋଟ୍ ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବାଲିଗୁଡ଼ା(ଅଜିତ୍ କୁମାର ନାୟକ): ଆସନ୍ତାକାଲି କନ୍ଧମାଳ ଜିଲ୍ଲାର ମାଓପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ବାଲିଗୁଡା ଓ ଜି.ଉଦୟଗିରି ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ କରାଯିବ। ଏ ନେଇ ଉଭୟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଉଭୟ ଅଞ୍ଚଳର ବହୁ ମତଦାନ କେନ୍ଦ୍ର ମାଓପ୍ରବଣ ତଥା ଅତି ଉତ୍ତେଜନା ପ୍ରବଣ ହୋଇଥିବାରୁ ସେ ସବୁ ସ୍ଥାନରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ସମେତ ଘଞ୍ଚ ଜଙ୍ଗଲରେ କମ୍ବିଂକୁ ଜୋରଦାର କରାଯାଇଛି।

ଏପରିକି ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳର ପ୍ରମୁଖ ରାସ୍ତାରେ ରହି ନାକା ଲଗାଇ ଗାଡ଼ି ଗୁଡିକୁ ଯାଞ୍ଚ କରୁଛି। ବୁଥ୍ କେନ୍ଦ୍ରରେ ଯେପରି କୌଣସି ଅପ୍ରୀତିକର ଘଟଣା ନ ଘଟେ ସେ ନେଇ କନ୍ଧମାଳ ପୁଲିସ୍ ସଜାଗ ରହିଛି। ଜିଲ୍ଲାର ଅନେକ ଅଞ୍ଚଳରେ ମାଓବାଦୀଙ୍କ ପ୍ରଭାବ ରହିଥିବାରୁ ସେ ସବୁ ସ୍ଥାନରେ ଲୋକେ କିଭଳି ଶାନ୍ତି ଶୃଙ୍ଖଳାର ସହ ଭୋଟ୍ ଦେଇପାରିବେ ଏବଂ ପୋଲିଂ ପାର୍ଟି କିଭଳି ସୁରକ୍ଷିତ ଭାବେ ନିର୍ବାଚନ କାର୍ଯ୍ୟ ସାରି ଫେରି ଆସିବେ, ସେ ନେଇ ଅଧିକ ସତର୍କତା ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା, ତୁମୁଡ଼ିବନ୍ଧ, କୋଟଗଡ଼, ଦାରିଙ୍ଗବାଡ଼ି,ରାଇକିଆ, ବ୍ରାହ୍ମଣୀ ଗାଁ, ଜି ଉଦୟଗିରି ଏବଂ କ. ନୂଆଗାଁ ଆଦି ଥାନା ଅଞ୍ଚଳରେ ଲାଲବାହିନୀ ପୂର୍ବରୁ ବ୍ୟାନର ଓ ପୋଷ୍ଟର ମାରି ଭୋଟ୍ ବର୍ଜନ କରିବାକୁ ଚେତାବନୀ ଦେଇଥିଲା।

You might also like