କଲରାପତରିଆ ବାଘ ଚମଡ଼ା ଜବତ, ଜଣେ ଗିରଫ

ସୋନପୁର: ଏକ କଲରାପତରିଆ ବାଘ ଚମଡ଼ା ଜବତ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍। ଅଭିଯୁକ୍ତ ଜଣକ ବାଘ ଚମଡ଼ା ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଏସଟିଏଫ ଚଢ଼ାଉ କରିଥିଲା। ସୋନପୁର ଆଇଟିଆଇ ନିକଟରେ ଡିଲ୍ କରୁଥିବା ବେଳେ ଗତକାଲି ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତର ନାଁ ଅଶୋକ ଛତ୍ରିଆ। ସେ ସମ୍ବଲପୁର, ମହୁଆପଲି ଅଞ୍ଚଳର ବୋଲି ଜଣାପଡ଼ିଛି।

ଅଭିଯୁକ୍ତକୁ ପୋଲିସ୍ ଆଜି କୋର୍ଟ ଚାଲାଣ କରିଛି। ଏପଟେ ବାଘଚମଡ଼ାର ରାସାୟନିକ ପରୀକ୍ଷା ପାଇଁ ଡେରାଡୁନର ୱାଇଲଡ୍ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ପଠାଯାଇଛି।

ଚୋରା କାରାବାର ନେଇ ଗୁଇନ୍ଦା ତଥ୍ୟ ଆଧାରରେ ସ୍ପେଶାଲ ଡ୍ରାଇଭ ଚାଲିଥିଲା। ଏହି ସମୟରେ ଅଭିଯୁକ୍ତ ଧରାପଡ଼ିଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏସଟିଏଫ ଏସ୍.ପି।

କିଛି ମାସ ପୂର୍ବରୁ ନୂଆପଡ଼ା ଜିଲ୍ଲା ଟିପାଝର ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ବାଘର କଟା ମୁଣ୍ଡ ଏବଂ ଛାଲ ମିଳିଥିଲା। ସେହିପରି ନୟଗାଡ ଦଶପଲ୍ଲାର ଗିରିପୂଜା ଜଙ୍ଗଲରେ ଚଢ଼ାଉ କରାଯାଇ ବାଘ ଛାଲ ମଧ୍ୟ ଜବତ କରାଯାଇଥିଲା।

You might also like