ବାଲେଶ୍ୱରରେ ବାଘ ଆତଙ୍କ; ଭିଡିଓରେ ଧରାପଡ଼ିଲା ଦୃଶ୍ୟ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଟିପିସିଗଡ଼ଇ ଓ ଏହାର ଆଖପାଖ ଗାଁରେ ବାଘ ଆତଙ୍କ ଖେଳି ଯାଇଛି।  ଗ୍ରାମର କାଂଶବାଂଶ ନଦୀ କୂଳ ବକ୍ରେଶ୍ୱର ମନ୍ଦିର ପାଖରେ ଲୋକ ବାଘ ବୁଲୁଥିବା ଦେଖିଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗତ ୬ ତାରିଖରେ ବାଘ ନଦୀ କୂଳରେ ବୁଲୁଥିବା ଦେଖିବାକୁ ମିଳିଥିଲା। ବାଘକୁ ଦେଖିବା ପରେ ଗ୍ରାମବାସୀ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ।  ଔପଦା ରେଞ୍ଜର ବବିତା ସୋରେନ ଓ ଅନ୍ୟାନ୍ୟ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

ପୁରା ଟିମ୍‌ ଜଙ୍ଗଲରେ ପଇଁତରା ମାରୁଛନ୍ତି । ଜଙ୍ଗଲରେ ରାତିରେ ଜଗିବା ସହିତ ଯଦି ଦରକାର ପଡେ ତେବେ ସେଠାରେ କ୍ୟାମେରା ଲଗାଯିବ ବୋଲି ରେଞ୍ଜେର କହିଛନ୍ତି। ବାଘର ପଦଚିହ୍ନ ଖୋଜାଯାଉଛି । ପାଦ ଚିହ୍ନ ମିଳିଲେ ଏହା ବାଘ ନା କଲରାପତରିଆ ଜାଣିହେବ। ଏ ପର୍ଯ୍ୟନ୍ତ କିଛି ସୁରାକ ମିଳି ପାରି ନାହିଁ।   ସେପରି କିଛି ସୁରାକ ମିଳିଲେ ସୂଚନା ଦିଆଯିବ ବୋଲି କହିଛନ୍ତି ରେଞ୍ଜର ବବିତା ସୋରେନ।

ଅନ୍ୟପକ୍ଷେ ଗ୍ରାମବାସୀ କହିଛନ୍ତି, ଗାଁର ଦୁଇଜଣ ବ୍ୟକ୍ତି ଜାଲ ବସାଇଥିଲେ। ୬ ତାରିଖ ସକାଳେ ଜାଲ ଉଠାଇବାକୁ ଯାଇ ବାଘ ବୁଲୁଥିବା ଦେଖିଥିଲେ। ସେମାନେ ବାଘର ଭିଡିଓ କରିଥିଲେ। ଏଥିରେ ସ୍ପଟ ଜଣା ପଡ଼ୁ ନ ଥିଲେ ହେଁ ଫଟୋରେ ବାଘକୁ ଅନୁମାନ କରି ହେଉଛି।

You might also like