ବ୍ୟାଘ୍ର ପ୍ରକଳ୍ପ ଓ ବ୍ୟାଘ୍ର ଅଭୟାରଣ୍ୟ ବୁଲିବେ ସାତକୋଶିଆବାସୀ

ଅନୁଗୁଳ: ବାଘ ସହ ସହବସ୍ଥାନ ଏହା କିପରି ସମ୍ଭବ, ସେ ସଂପର୍କରେ ଜାଣିବା ଲାଗି କେରଳ କିମ୍ବା ମଧ୍ୟପ୍ରଦେଶ ଯିବେ ସାତକୋଶିଆ ବାସିନ୍ଦା। ବାଘ ଥିବା ଜଙ୍ଗଲ ଅଞ୍ଚଳରେ ଲୋକେ କିଭଳି ବସବାସ କରୁଛନ୍ତି, ସେ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯିବ। ଏଥିସହିତ ସାତକୋଶିଆ ବାସିନ୍ଦାଙ୍କ ଆସ୍ଥା ଭାଜନ ହେବା ପାଇଁ ମଧ୍ୟ ବନ ବିଭାଗ ନୂଆ ଯୋଜନା କରୁଛି।

ସାତକୋଶିଆ ବାସିନ୍ଦାଙ୍କୁ ବ୍ୟାଘ୍ର ପ୍ରକଳ୍ପ ଓ ବ୍ୟାଘ୍ର ଅଭୟାରଣ୍ୟ ବୁଲାଇବାକୁ ଯୋଜନା କରାଯାଉଛି। କେରଳ ପେରିୟାର ହେଉ କି ମଧ୍ୟପ୍ରଦେଶର କାହ୍ନା, ପାନ୍ନା କିମ୍ବା ବାନ୍ଧବଗଡ଼ ଗାଁ।  ଏହି ସ୍ଥାନରେ ବନ୍ୟଯନ୍ତୁ ଥିଲେ ମଧ୍ୟ ଏସବୁ ସ୍ଥାନର ଲୋକେ କିଭଳି ବସବାସ କରୁଛନ୍ତି ସେ ଅନୁଭୂତି ସାଉଁଟିବେ ସାତକୋଶିଆବାସୀ।

ବନବିଭାଗ ଓ ସ୍ଥାନୀୟ ଲୋକଙ୍କ ଭିତରେ କିଭଳି ସମନ୍ୱୟ ରହିଛି ଓ ବନ୍ୟଜନ୍ତୁ ରହିବା ଦ୍ୱାରା ଗାଁ ଲୋକେ କିଭଳି ଉପକୃତ ହେଉଛନ୍ତି ସେ ସଂପର୍କରେ ମଧ୍ୟ ଅନୁଧ୍ୟାନ କରିବେ। ସେଥିପାଇଁ ସୋତକୋଶିଆବାସୀଙ୍କୁ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳକୁ ନେବା ଲାଗି ଯୋଜନା କରୁଛି ବନ ବିଭାଗ।

ବାଘୁଣୀ ସୁନ୍ଦରୀ ମଣିଷଙ୍କୁ ଆକ୍ରମଣ କରିବା ହେଉ କି କାହ୍ନାରୁ ଆସିଥିବା ମହାବଳର ମୃତ୍ୟୁ ଘଟଣା, ସାତକୋଶିଆରେ ସୃଷ୍ଟି ହୋଇଥିବା ଅସ୍ୱାଭାବିକ ପରିସ୍ଥିତିକୁ ସୁଧାରିବା ଲକ୍ଷ୍ୟରେ ଏଭଳି ଯୋଜନା କରାଯାଇଛି।

ଅନ୍ୟପଟେ ନ୍ୟାଶନାଲ୍ ଟାଇଗର୍‌ କନଜର୍‌ଭେସନ୍‌ ଅଥରିଟି-NTCA, ୱାଇଲ୍‌ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ-WII ଟିମ୍ ସାତକୋଶିଆ ଗସ୍ତ କର ଯେଉଁ ତଥ୍ୟ ସଂଗ୍ରହ କରିଛନ୍ତି, ସେ ସଂକ୍ରାନ୍ତରେ ଏକ ବିଶଦ୍ ରିପୋର୍ଟ ରାଜ୍ୟ ବନ ବିଭାଗକୁ ପ୍ରଦାନ କରିବେ। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଚିଫ୍ ୱାଇଲ୍‌ଡ ଲାଇଫ୍ ୱାର୍ଡେନ୍ ସନ୍ଦୀପ ତ୍ରିପାଠୀ କହିଛନ୍ତି।

ଅନ୍ୟପଟେ ରାଜ୍ୟରେ ବଢ଼ି ଚାଲିଥିବା ବନ୍ୟଜନ୍ତୁ ଅପରାଧର ସଠିକ୍ ଓ ବୈଜ୍ଞାନିକ ପଦ୍ଧତିରେ ତଦନ୍ତ ନେଇ ଭୁବନେଶ୍ୱରରେ ଏକ କର୍ମଶାଳା ଆରମ୍ଭ ହୋଇଛି। ୱାଇଲ୍‌ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ୍‌ ବ୍ୟୁରୋ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ପୁଲିସ୍‌ ଓ ବନ ବିଭାଗ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରାଯାଉଛି। ବନବିଭାଗ ଓ ପୁଲିସ୍‌ ସହ ଏହି କର୍ମଶାଳାରେ କଷ୍ଟମ୍‌ସ, ସିଆଇଏସ୍ଏଫ୍ ଓ ଆର୍ପିଏଫ୍ କର୍ମଚାରୀ ମଧ୍ୟ ସାମିଲ ହୋଇଛନ୍ତି।

କାହ୍ନାରୁ ଆସିଥିବା ମହାବଳର ମୃତ୍ୟୁ ହୋଇଥିଲେ ମଧ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ବନ୍ଦ ହେବ ନାହିଁ ବୋଲି NTCA କର୍ତ୍ତୃପକ୍ଷ କହିଛନ୍ତି। ସେଦୃଷ୍ଟିରୁ ସାତକୋଶିଆବାସୀଙ୍କ ଆସ୍ଥାଭାଜନ ହୋଇ ବ୍ୟାଘ୍ର ପ୍ରକଳ୍ପ ଯୋଜନାକୁ ଆଗେଇ ନେବା ଲାଗି ବନ ବିଭାଗ ସାନି ପ୍ରୟାସ ଆରମ୍ଭ କରିଛି।

You might also like