ପୁଅର ଜନ୍ମରୁ ତିନୋଟି ଗୋଡ଼ ; ମା’ ଆଖିରେ ଲୁହ

ବାଲେଶ୍ୱର: ଭଗବାନଙ୍କ ସୃଷ୍ଟି ପ୍ରକୃତରେ ବିଚିତ୍ର।  କାହାକୁ କେମିତି ଗଢ଼ବେ, କହିବା ମୁସ୍କିଲ। ବାଲେଶ୍ୱରର ଏଇ ୧୧ ବର୍ଷର ପିଲାଟିକୁ ଦେଖିଲେ ଏଇକଥା ମନକୁ ଆସିଯାଏ।

ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍ ଅନ୍ତର୍ଗତ ବଡ଼ପୋଖରୀ ଗାଁର ଏଇ ୧୧ ବର୍ଷୀୟ ପିଲାଟିଏ। ନାଁ ତାର ସୁଦାମ। ସୁଦାମର ଶାରୀରିକ ଗଠନକୁ ନେଇ ଗରିବ ବାପା ମଧୁସୂଦନ ବେହେରା -ମା‘ ସୁକୁରୀ ଙ୍କ ଆଖିରୁ ନିଦ ହଜି ଯାଇଛି। ଜନ୍ମରୁ ୩ଟି ଗୋଡ। ଚାଲି ପାରୁନି। ନା ବୁଝି ପାରୁଛି, ନା ଶୁଣି ପାରୁଛି। କେବଳ ଭୋକ ଲାଗିଲେ କାନ୍ଦୁଛି।  ଘୁଷୁରି ଘୁଷୁରି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ପଳାଇ ଯାଉଛି । ଘୁଷୁରିବାରୁ ଗୋଡ଼ ଛିଣ୍ଡି ଘା’ ହୋଇ ଯାଉଛି। ଘା’ର ଉପଯୁକ୍ତ ଚିକିତ୍ସା ନ ହେବାରୁ ଏହା ବଢି ଯାଉଛି।  ବୁଠୁ ଦୁଃଖର କଥା ଗରିବ ବାପା-ମା’ ଅର୍ଥାଭାବରୁ ପୁଅର ଚିକିତ୍ସା କରାଇ ପାରୁନାହାନ୍ତି।

ଘରେ ପୁଅଝିଅଙ୍କୁ ମିଶାଇ ୭ ପ୍ରାଣି କୁଟୁମ୍ବ। ସେମାନଙ୍କ ମୁହଁରେ ଆହାର ଦେବା ପାଇଁ ବାପା ରାଜ୍ୟ ବାହାରକୁ କାମ ପାଇଁ ଯାଇଛନ୍ତି। ମା’ ସୁକୁରୀ କଣ ବା ଆଉ କରିପାରିବେ ?  କାନ୍ଦି କାନ୍ଦି କେବଳ ଠାକୁରଙ୍କୁ ଡାକୁଛନ୍ତି ପୁଅକୁ ଭଲ କରି ଦେବା ପାଇଁ।

କିଛି ସ୍ୱେଚ୍ଛାସେବୀଙ୍କ ସହାୟତାରେ ସୁଦାମକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଡାକ୍ତରଖାନା ଯାଇ ପିଲାଟିକୁ ଦେଖି ତାର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏହାବ୍ୟତୀତ ସୁଦାମର କିପରି ଅପରେସନ ହୋଇପାରିବ ସେ ନେଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି।

ତେବେ ବାଲେଶ୍ୱରରେ ଏହି ଅପରେସନ ସମ୍ଭବ ନଥିବା ଡାକ୍ତରମାନେ ଜଣାଇବା ପରେ ଦିଲ୍ଲୀର ବିଭିନ୍ନ ଡାକ୍ତରମାନଙ୍କ ପରାମର୍ଶ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

You might also like