ନକଲି ଡାକ୍ତର ହୋଇ ଲୁଟିଥିଲେ, ବନ୍ଧା ହେଲେ

ସମ୍ବଲପୁର: ନିଜକୁ ଡାକ୍ତରର ପରିଚୟ ଦେଇ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ୩୨ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିଥିବା ଅଭିଯୋଗରେ ୩ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ଔଷଧ କିଣାଇଦେବା ବାହାନାରେ ସେମାନେ ଏପରି ଠକେଇ କରିଥିଲେ। ଘଟଣାଟି ସମ୍ବଲପୁର ସଦର ହସ୍ପିଟାଲରେ ଘଟିଛି। ଧରାପଡ଼ିବା ପରେ ଅଭିଯୁକ୍ତ ନକଲି ଡାକ୍ତରମାନେ ଟଙ୍କା ଫେରାଇଛନ୍ତି। ତେବେ ଏହି ଠକେଇ ପଛରେ ହସ୍ପିଟାଲ କର୍ମଚାରୀଙ୍କର କିଛି ସମ୍ପୃକ୍ତି ରହିଛି କି ନାହିଁ, ତଦନ୍ତ ପୁଲିସ୍‌ ଆରମ୍ଭ କରିଛି।

ଲୋକଙ୍କ ହାତରେ ଧରାପଡ଼ିବା ପରେ ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଯଦି ନିଜକୁ ଡାକ୍ତର ବୋଲି କହିଥିବି ତେବେ ମୋ ବଂଶ ବୁଡ଼ି ଯିବ ବୋଲି ସେ ସଫେଇ ଦେଇଛନ୍ତି।

ଘଟଣାଟି ଥିଲା ଏମିତି। ରବିବାର ରାତିରେ ଅନୁଗୁଳ ଛେଣ୍ଡିପଦା ଅଞ୍ଚଳର ଜିତେନ୍ଦ୍ର ନାୟକ ତାଙ୍କ ଭଉଣୀ ପାଇଁ କ୍ୟାନସର ମେଡିସିନ୍ କିଣିବାକୁ ମେଡିକାଲ ଭିତରେ ଥିବା ଏକ ମେଡିସିନ୍ ଦୋକାନକୁ ଯାଇଥିଲେ। ସେହି ଔଷଧ ମିଳିବ ନାହିଁ ବୋଲି କହି ଦୋକାନୀ ଜଣଙ୍କ ଫେରାଇବା ପରେ ଔଷଧ କିଣାଇଦେବା ବାହାନାରେ ଜିତେନ୍ଦ୍ରଙ୍କ ପାଖକୁ ଯାଇଥିଲା ପ୍ରଶାନ୍ତ। ପରେ ଫୋନ୍ କରି ଅନ୍ୟ ଦୁଇ ସାଥୀଙ୍କୁ ଡକାଇଥିଲେ। ସେମାନଙ୍କୁ ଡାକ୍ତର ବୋଲି ପରିଚୟ କରାଇ ପ୍ରେସକ୍ରିପ୍‌ସନ୍‌ ଦେବା ସହ ଔଷଧ କିଣା ବାବଦରେ ୩୨ ହଜାର ୫୦୦ ଟଙ୍କା ଲାଗିବ ବୋଲି କହିଥିଲେ। ଜିତେନ୍ଦ୍ର ଟଙ୍କା ଦେବା ପରେ ଔଷଧ ଆଣିବାକୁ ଯାଇ ସେମାନେ ଆଉ ଫେରିନଥିଲେ।

ଏହାପରେ ଅଭିଯୋଗକାରୀ ଠକାମିର ଶିକାର ହୋଇଥିବା ଜାଣିପାରି ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ୩ ଦଲାଲଙ୍କୁ ଗିରଫ କରିଥିଲା।

You might also like