ବାଣୀବିହାରର ୩ଟି ବିଭାଗ ସିଲ୍

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ୩ଟି ବିଭାଗ ସିଲ୍। ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ ଜଣେ କୋଭିଡ୍ ପଜିଟିଭଙ୍କ ସଂସ୍ପର୍ଶରେ ଆସିବା ପରେ ପ୍ରଶାସନ ନେଲା ପଦକ୍ଷେପ। ୩ ବିଭାଗକୁ ସିଲ୍ କରିବା ସହ ସମସ୍ତ କର୍ମଚାରୀଙ୍କୁ ଅଫିସ ନଆସିବାକୁ ବାରଣ କରାଯାଇଛି।

ପ୍ରକାଶଥାଉକି ବାଣୀବିହାର କ୍ୟାମ୍ପସରେ ରହୁଥିବା ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏହା ଜଣାପଡ଼ିବା ପରେ ଆଜି ୩ଟି ବିଭାଗକୁ ସିଲ୍ କରାଯାଇଛି। ଇଂରାଜୀ, ଦର୍ଶନ ଓ ଅର୍ଥନୀତି ବିଭାଗକୁ ସିଲ୍ କରାଯାଇଛି। ତିନିଟି ଯାକ ବିଭାଗ ଗୋଟିଏ ବ୍ଲକରେ ଥିବାରୁ ଏହିସବୁ ବିଭାଗକୁ ସିଲ କରିଛି ପ୍ରଶାସନ।

ଏହି ବିଭାଗର ସମସ୍ତ କର୍ମଚାରୀଙ୍କୁ ଅଫିସ୍ ଆସିବାକୁ ବାରଣ କରାଯାଇଛି। ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ସଂପୃକ୍ତ କର୍ମଚାରୀ ଜଣକ ଆକ୍ରାନ୍ତ ହୋଇଛନ୍ତି। ତେବେ କର୍ମଚାରୀ ଜଣକ କେଉଁ ବିଭାଗର ସେ ନେଇ ସୂଚନା ମିଳିନି। ତେବେ ଅନଲକ୍‌-୧ରେ ବିଶ୍ୱବିଦ୍ୟାଳୟ ଖୋଲା ରହିଛି।

ସେହିପରି ଭୁବନେଶ୍ୱରରେ ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ବିଏମ୍‌ସି ସୂଚନା ଦେଇଛି। ଆକ୍ରାନ୍ତ ୫ ଜଣଙ୍କ ମଧ୍ୟରୁ ୪ ଜଣ ହୋମ କ୍ୱାରେଣ୍ଟାଇନରେ ଥିଲେ। ଆଉ ଜଣେ ଆକ୍ରାନ୍ତ ଗଜପତି ନଗରର। ସେ ଲୋକାଲ କେସ୍‌ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୮୬ ଆକ୍ରାନ୍ତ ବାହାରିଲେଣି। ଏହା ମଧ୍ୟରେ ଆକ୍ଟିଭ କେସ୍ ରହିଛି ୩୨।

You might also like