ଟ୍ରକ୍‌-ବୋଲେରୋ ମୁହାଁମୁହିଁ ଧକ୍କା; ୪ ମୃତ, ୬ ଗୁରୁତର ଆହତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାର କାତ୍ତିଆ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି।

ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତାହତ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ବୋଲି ଜଣାପଡ଼ିଛି। ଆହତଙ୍କୁ ନିଶ୍ଚିନ୍ତକୋଇଲି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ଆଜି ସକାଳ ପ୍ରାୟ ୬ଟାରୁ ୭ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଘନ କୁହୁଡ଼ି ଯୋଗୁ କେନ୍ଦ୍ରାପଡ଼ା ଆଡୁ କଟକ ଅଭିମୁଖେ ଯାଉଥିବା ବୋଲେରୋ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ସହ  ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ କେନ୍ଦ୍ରାପଡ଼ା ଅଗ୍ନିଶମ ବାହିନୀ ଓ ପୁଲିସ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।

ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। କୁହୁଡ଼ି ଏତେ ମାତ୍ରାରେ ଆଚ୍ଛାଦିତ କରି ରଖିଥିଲା ଯେ ପ୍ରାୟ ୫୦ ମିଟରରୁ ଅଧିକ ଦୂରକୁ ଦେଖିବା ଅସମ୍ଭବ ଥିଲା। ଆଜି ବି ମଧ୍ୟ କିଛି ସ୍ଥାନରେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି।

ଘନ କୁହୁଡ଼ି ଯୋଗୁ ରାସ୍ତାଘାଟ କିଛି ଦେଖାଯାଉନଥିବାରୁ ଦୁର୍ଘଟଣା ଘଟୁଥିବା ଜଣାପଡ଼ିଛି।

You might also like