ସାତକୋଶିଆ ଇକୋ ରିଟ୍ରିଟ୍ରେ ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୩ଟି କଟେଜ୍, ଅଳ୍ପକେ ବର୍ତ୍ତିଲେ ଆଇପିଏସ୍ ଦମ୍ପତି
କଟକ: ନରସିଂହପୁର ଥାନା ବାଲିପୁଟ ନିକଟସ୍ଥ ସାତକୋଶିଆ ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ। ହୁତୁ ହୁତୁ ହୋଇ ଜଳିଗଲା କଟେଜ୍। ଅଗ୍ନିକାଣ୍ଡରେ ୩ଟି କଟେଜ୍ ସମ୍ପୂର୍ଣ୍ଣ ଜଳି ଯାଇ ଛାରଖାର ହୋଇଯାଇଛି । ଭୋର୍ ସମୟରେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ ହେଉଛି। ସୌଭାଗ୍ୟବଶତଃ ଏହି ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପର୍ଯ୍ୟଟକ। ତେବେ ଅଗ୍ନିକାଣ୍ଡ ପରେ ପର୍ଯ୍ୟଟକ ଭୟଭୀତ ଅବସ୍ଥାରେ ଥିବାବେଳେ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି।
ଦମକଳ ବିଭାଗ ପହଞ୍ଚି ନିଆଁକୁ ବର୍ତ୍ତମାନ ସୁଦ୍ଧା ଆୟତ ହୋଇ ସାରିଛି। ଘଟଣାସ୍ଥଳରେ ସ୍ଥାନୀୟ ବିଧାୟକ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ତେବେ ଏହି ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଆଇପିଏସ୍ ଦମ୍ପତି। ଆଇପିଏସ୍ ଦମ୍ପତି ସଞ୍ଜୀବ ପଣ୍ଡା ଓ ସନ୍ତୋଷ ବାଲା ଏଥିରୁ ରକ୍ଷା ପାଇ ଯାଇଛନ୍ତି। ଆଉ ଏନେଇ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି IPS ସଞ୍ଜୀବ ପଣ୍ଡା।
ସୂଚନା ଅନୁସାରେ ଭୋର ପାଞ୍ଚଟା ସମୟରେ କୌଣସି କାରଣରୁ କଟେଜରେ ନିଆଁ ଲାଗିଯାଇଥିଲା। ୨୪ ଟି କଟେଜରେ ଥିଲେ ପର୍ଯ୍ୟଟକ। ପାଖାପାଖି ୪୦ରୁ ଅଧିକ ଇକୋ ରିଟ୍ରିଟ୍ ଏଠାରେ ପ୍ରକୃତିର ମଜା ଉଠାଉଥିଲେ। ତେବେ ନିଆଁ ଲାଗିଥିବା ୩ଟି ରୟାଲ କଟେଜରେ କୌଣସି ପର୍ଯ୍ୟଟକ ନଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡର କାରଣ ମଧ୍ୟ ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।
ନରସିଂହପୁର ଥାନା ବାଲିପୁଟ ଇକୋ ରିଟ୍ରିଟ୍ରେ ଅଗ୍ନିକାଣ୍ଡ, ୩ଟି କଟେଜ୍ ସମ୍ପୂର୍ଣ୍ଣ ଜଳିଯାଇଛି, ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ; ଭୋର୍ ସମୟରେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ #Odisha
— ଓଟିଭି (@otvkhabar) February 28, 2021