ପିପିଲି ଉପନିର୍ବାଚନ: ୩ କଂପାନୀ କେନ୍ଦ୍ରୀୟ ଫୋର୍ସ ହେବେ ମୁତୟନ

ପିପିଲିରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ

ପିପିଲି: ପିପିଲିରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ। ଆସନ୍ତା ୧୭ରେ ହେବାକୁ ଥିବା ପିପିଲି ଉପନିର୍ବାଚନରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ ବୋଲି ସୂଚନା ମିଳିଛି। ୩ କଂପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ନେଇ ନିଷ୍ପତ୍ତି ହୋଇଛି। ପିପିଲିରେ ଏଡିଜି ଯଶଓ୍ୱନ୍ତ ଜେଠୱାଙ୍କ ସମୀକ୍ଷା ପରେ ଏନେଇ ନିଷ୍ପତ୍ତି ହୋଇଛି। ଖୁବ୍ ଶୀଘ୍ର ପିପିଲିକୁ ୩ କଂପାନୀ CAPF ଆସିବା ନେଇ ଜଣାପଡିଛି। ୧୮ ପ୍ଲାଟୁନ OSAP ମୁତୟନ ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି।

ସେପଟେ ନିର୍ବାଚନକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଛି ବିଜେପି। ପୋଲିସ ଏସ୍କର୍ଟରେ ବିଜେଡି ଟଙ୍କା ଯାଉଛି ବୋଲି ବିଜେପି ଅଭିଯୋଗ ମଧ୍ୟ କରିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଠାରେ ବିଜେପି ଏମିତି ସଂଗୀନ ଅଭିଯୋଗ କରିଛି। ପିପିଲି ପାଇଁ ବିଜେଡିର ଟଙ୍କାକୁ ପୋଲିସ ସୁରକ୍ଷା ଦେଉଛି ବୋଲି ବିଜେପି ସିଧାସଳଖ ଅଭିଯୋଗ କରିଛି। ଏନେଇ ବିଜେପି ନେତା ମନମୋହନ ସାମଲ ଓ ଯତୀନ ମହାନ୍ତି ସିଇଓଙ୍କୁ ଭେଟି ଅଭିଯୋଗ କରିଛନ୍ତି। ପିପିଲିରେ ବିଜେଡିର ଟଙ୍କା ନେଉଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ ପରେ ସେହି ଟଙ୍କାକୁ ଅନ୍ୟ ଏକ ଗାଡ଼ିରେ ପୋଲିସ ଏସକର୍ଟରେ ପହଞ୍ଚା ଯାଇଥିଲା ବୋଲି ବିଜେପି କହିଛି। ଏହାସହ ଗାଡ଼ି ନମ୍ବର, ବିଜେଡି ପତାକା ଓ ଟଙ୍କା ବ୍ୟାଗ୍ ଫଟୋ ବି ବିଜେପି ଦେଇଛି। କେବଳ ଏତିକି ନୁହେଁ ବରଂ ଏ ସମ୍ପର୍କରେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଜେପି ନେତା।

ତେବେ ପିପିଲି ତରାକାଜ ଛକ ନିକଟରୁ ୫୦ ଲକ୍ଷ ଟଙ୍କା ଗତ ୫ ତାରିଖରେ ଜବତ କରାଯାଇଥିଲା । ଏକ ବାଇକରେ ଯାଉଥିବା ୨ ଯୁବକଙ୍କଠାରୁ ଏହି ବିପୁଳ ପରିମାଣର ଟଙ୍କା ଜବତ କରିଥିଲା ପିପିଲି ପୋଲିସ। ପିପିଲି ଟୋଲଗେଟ୍‌ରେ ପୋଲିସର ରୁଟିନ୍ ଚେକିଂ ବେଳେ ଏକ ନୀଳ ପଲସରରେ ଆସୁଥିବା  ଦୁଇ ଯୁବକଙ୍କୁ ଅଟକାଇଥିଲା ପୋଲିସ। କିନ୍ତୁ ସେମାନେ ନ ଅଟକି ପଳାଇଥିଲେ। ପିପିଲି ପୋଲିସ ପିଛା କରି ଦୁଇ ଜଣଙ୍କୁ ତରାକାଜ ଛକରେ ଧରିଥିଲା ଓ ପରେ ସେମାନଙ୍କଠାରୁ ବିପୁଳ ଟଙ୍କା ଜବତ ହୋଇଥିଲା। ଆଉ ସେହି ଟଙ୍କା ବିଜେପିର ବୋଲି ବିଜେଡ଼ି କହିଥିଲା। ଏହାସହ ବିଜେପି ଅନେକ ବାର ଏଭଳି ଆଚରଣ ଦେଖାଇଥିବା ଅଭିଯୋଗ ସହ ପିପିଲିରେ ନିର୍ବାଚନକୁ ଅବାଧ କରିବା ଏବଂ ପୋଲିସ୍ ବଳ ବଢ଼ାଇବାକୁ ଦଳ ପକ୍ଷରୁ ଦାବି ବି କରାଯାଇଥିଲା। ଆସନ୍ତ ୧୭ ତାରିଖରେ ପିପିଲିରେ ନିର୍ବାଚନ ହେବ। ଆଉ ନିର୍ବାଚନ ହେବା ପୂର୍ବରୁ ପୁଣି ଥରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି।

 

You might also like