ବ୍ୟବସାୟୀଙ୍କୁ ହାଣି ଲୁଟି ନେଲେ ୪ ଲକ୍ଷ ଟଙ୍କା

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଖଣ୍ଡାରେ ଆକ୍ରମଣ କରି ବ୍ୟବସାୟୀଙ୍କ ଠାରୁ ୪ ଲକ୍ଷ ଟଙ୍କା ଲୁଟ୍। ଗୁରୁତର ଅବସ୍ଥାରେ ବ୍ୟବସାୟୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ଚକଲାପଦର ଗାଁ ନିକଟରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ଝରିଗାଁ ବ୍ଲକ୍ ଅନ୍ତର୍ଗତ ଚଚ୍ଚା ଗାଁର ବ୍ୟବସାୟୀ ରାଜେନ୍ଦ୍ର ଯାଦବ ଏକ ବ୍ୟାଗରେ ୪ ଲକ୍ଷ ଟଙ୍କା ଧରି ମୋଟରସାଇକେଲରେ ନିକଟସ୍ଥ କଂଗ୍ରା ବଜାରକୁ ଯାଉଥିଲେ। ସେଇ ରାସ୍ତାର ଚକଲାପଦର ନିକଟରେ ପୂର୍ବରୁ ଏକ ପଲ୍‌ସର୍‌ ବାଇକ୍ ଧରି ଛକି ରହିଥିବା ୩ ଜଣ ଯୁବକ ହଠାତ୍ ଏକ ଧାରୁଆ ଅସ୍ତ୍ରରେ ରାଜେନ୍ଦ୍ରଙ୍କ ଡାହାଣ ହାତକୁ ଆକ୍ରମଣ କରିଥିଲେ। ଏହାପରେ ଟଙ୍କା ବ୍ୟାଗ୍‌କୁ‌ ଛଡ଼ାଇ ନେଇଥିଲେ।

ଆହତ ବ୍ୟବସାୟୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ନବରଙ୍ଗପୁର ମେଡିକାଲରେ ଭର୍ତ୍ତି କରିଛନ୍ତି। ଖବର ପାଇ ଝରିଗାଁ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

You might also like