ବହୁ ଚର୍ଚ୍ଚିତ ରାଣୀ ମିଶ୍ର ହତ୍ୟା ମାମଲାର ପରଦା ହଟିଲା: ୩ ଗିରଫ୍
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ କାଠୁଆଗଣ୍ଡ ଲୁଣା ଘେରି ନିକଟରେ ବହୁ ଚର୍ଚ୍ଚିତ ରାଣି ମିଶ୍ର ହତ୍ୟା ମାମାଲାରେ ପୁଲିସ ୩ ଜଣଙ୍କୁ ଗିରଫ୍ କରିଛି। ରାଣୀଙ୍କ ସ୍ୱାମୀ ଅଭିଯୁକ୍ତ ରଞ୍ଜନ ରାଉତ ଓ ତାଙ୍କ ଭାଇ ବିଜୟ କୁମାର ରାଉତଙ୍କୁ ଏବଂ ସଂପର୍କୀୟ ଡେରା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଶୁକଦେବ ଭଦ୍ରାଙ୍କୁ ପୁଲିସ ଗିରଫ କରିଛି।
ଗତ ମାସ 28 ତାରିଖରେ ଦିନ ଅଖା ଭିତରୁ ମହିଳାଙ୍କ ଶବ ମିଳିବା ପରେ ରାଜନଗରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ପୁଲିସ କେଶ ନଂ ୧୧୧/୧୯ରେ ମାମଲା ଋଜୁ କରି ଛାନ ଭିନ ଜାରି ରଖିଥିଲା। ପରେ ମହିଳା ଜଣଙ୍କ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ କୋରୁଅ ଗାଁର ମାଗୁ ପଲାଇଙ୍କ ଝିଅ ଟୁନିଆଁ ପଲାଇ ଓରଫ ରାନି ମିଶ୍ର ବୋଲି ଜଣା ପଡ଼ିଥିଲା।
ଏନେଇ ପଟ୍ଟାମୁଣ୍ଡାଇ ଏସ୍ଡିପିଓ ରଞ୍ଜନ ଦେଙ୍କ ନେତୃତ୍ୱରେ ୨ ଟି ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରାଯାଇଥିଲା। ଦୀର୍ଘ ୧୬ ଦିନ ହେବ ରାଜନଗର ପୁଲିସ ଏହି ଘଟଣାର ଛାନ ଭିନ କରିବା ପରେ ବାଉଁଶକଣି ଗାଁର ଉଦ୍ଧବ ଚରଣ ରାଉତଙ୍କ ମଝିଆ ପୁଅ ରଞନ ରାଉତକୁ ଗିରଫ କରିଛି।
ମୃତ ରାନିଙ୍କୁ ଅଭିଯୁକ୍ତ ରଞ୍ଜନ ରାଉତ ଦ୍ୱିତୀୟ ବିବାହ କରିଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। ରଞ୍ଜନ ଭୁବେନଶ୍ୱରରେ ଏକ ମଦ ଦୋକାନ ରେ କାମ କରୁଥିବା ବେଳେ ରାଣି ତାଙ୍କ ସହ ସେଠାରେ ରହୁଥିଲା। ହତ୍ୟା ପାଇଁ ଯୋଜନା ବଦ୍ଧ ଭାବେ ଗତ ମାସ ୨୫ ତାରିଖରେ ରଞ୍ଜନ ବାଉଁଶକଣୀଗାଁକୁ ଆସି ଏଭଳି କାଣ୍ଡ କରିଥିବା ପୁଲିସ ଆଗରେ ସ୍ୱୀକାର କରିଛି।