‘ଚାକିରି ନାଁରେ ଠକାମିର ଶିକାର ହୋଇଥିଲେ, ରିପୋର୍ଟ କରନ୍ତୁ’

ଭୁବନେଶ୍ୱର: ଟାଟା ମୋଟର୍ସରେ ଚାକିରି କରାଇ ଦେବାକୁ କହି ଠକେଇ କରିଥିବା ଆଇଏଫ୍ଏସ୍ ଅଭୟ କାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇ କ୍ରାଇମ୍‌ବ୍ରାଞ୍ଚ ଜେରା କରୁଛି।

ଆଜି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସ୍‌ମିଟ୍‌ କରି କହିଛନ୍ତି, ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଇନ୍‌ଚାର୍ଜ ମ୍ୟାନେଜିଂ ଡାଇରେକ୍ଟର ଭାବେ ପରିଚୟ ଦେଇ ଲୋକଙ୍କୁ ଠକିଥିଲେ। ସେ ଟାଟା ମୋଟର୍ସର ଲୋଗୋ, ନକଲି ଆଇଡି କାର୍ଡ, ଭିଜିଟିଙ୍ଗ୍‌ କାର୍ଡ, ଏପରିକି ଫେକ୍‌ ଇମେଲ୍‌ ଆଇଡି କରି ଲୋକଙ୍କୁ ଠକି ଥିଲେ। ଆକାଶ ଚାକିରି ଆଶାୟୀ ଯୁବକଯୁବତୀଙ୍କୁ ଚାକିରି ଦେବାକୁ କହି ସେମାନଙ୍କ ନିକଟରୁ ଟଙ୍କା ନେଇ ଠକିଥିଲେ। ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ, ଅଭିଯୋଗ ଆଣିଥିବା ୬ଜଣ ବ୍ୟକ୍ତି ଟାଟା ମୋଟର୍ସରେ ଚାକିରି ପାଇବା ପାଇଁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କର ସହଯୋଗୀଙ୍କୁ ବିପୁଳ ପରିମାଣର ଅର୍ଥ ଦେଇଥିଲେ। ଯେହେତୁ ଆକାଶ, ପ୍ରଦୀପ ପାଣିଗ୍ରାହୀଙ୍କ ଭାବି ଜ୍ୱାଇଁ ଥିଲେ ଓ ନିଜକୁ ଟାଟା ମୋଟର୍ସର ଏମ୍‌ଡି ଥିଲେ ବୋଲି କହୁଥିଲେ, ତେଣୁ ଟାଟା ମୋଟର୍ସରେ ଚାକିରି କରାଇ ଦେବା ପାଇଁ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କର ସହଯୋଗୀ ଅନେକ ଆଶାୟୀପ୍ରାର୍ଥୀଙ୍କ ନିକଟରୁ ନିଜେ ଓ ସହଯୋଗୀଙ୍କ ମାଧ୍ୟମରେ ଟଙ୍କା ନେଇଛନ୍ତି। ଏହି ୬ ଅଭିଯୋଗକାରୀଙ୍କ ମଧ୍ୟରୁ ୨ଜଣ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍‌ କରିଥିଲେ। ଅନ୍ୟ ୪ ଜଣ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଘନିଷ୍ଠ ସହଯୋଗୀଙ୍କୁ ଟଙ୍କା ଦେଇଥିଲେ।

କ୍ରାଇମ୍‌ବ୍ରାଞ୍ଚ ଏଡିଜି ଆହୁରି କହିଛନ୍ତି, ତଦନ୍ତରୁ ଜଣାପଡ଼ିଛି, ଆକାଶ ପାଠକ ଅନେକ ଚାକିରି ଆଶାୟୀପ୍ରାର୍ଥୀଙ୍କ ଠାରୁ ଭାବି ଶ୍ୱଶୁର ତଥା ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଘନିଷ୍ଠ ସହଯୋଗୀଙ୍କ ମାଧ୍ୟମରେ ଟଙ୍କା ନେଇ ଜାଲ୍‌ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ।

‘ଯେଉଁ ଚାକିରି ଆଶାୟୀ ଯୁବକଯୁବତୀ ଏଭଳି ଟଙ୍କା ଦେଇ ଠକାମିର ଶିକାର ହୋଇଛନ୍ତି ଏବଂ ଏ ବିଷୟରେ ଭୟ ଓ ଅନ୍ୟ କୌଣସି କାରଣରୁ ପୋଲିସ୍‌ରେ ରିପୋର୍ଟ କରି ନାହାନ୍ତି, ସେମାନେ ତୁରନ୍ତ ଆସି ରିପୋର୍ଟ କରନ୍ତୁ ଓ ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ’ ବୋଲି ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି କ୍ରାଇମ୍‌ବ୍ରାଞ୍ଚ ଏଡିଜି।

You might also like