ପରିଚୟ ପତ୍ର ନଥିବା ବ୍ୟକ୍ତିଙ୍କୁ ମିଳିବ କରୋନା ଟିକା

  • ପରିଚୟ ପତ୍ର ନଥିବା ବ୍ୟକ୍ତିଙ୍କୁ ମିଳିବ କରୋନା ଟିକା
  • ଟିକାକରଣ ପ୍ରକ୍ରିୟାରେ ସାମିଲ ପାଇଁ ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କମିଶନରଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ(ସ୍ୱାସ୍ଥ୍ୟ ବିଭାଗ)ଙ୍କ ଚିଠି
  • ୧୮ ବର୍ଷରୁ ଅଧିକ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଟିକାକରଣ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଯେଉଁ ବ୍ୟକ୍ତିଙ୍କ ପରିଚୟ ପତ୍ର ନାହିଁ, ସେମାନେ ଟିକାକରଣରୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ପରିଚୟ ପତ୍ର ନଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କୁ କିଭଳି ଭାବରେ ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯାଇପାରିବ ସେଥିଲାଗି ଅତିରିକ୍ତ ମୁଖ୍ୟ ଶାସନ ସଚିବ(ସ୍ୱାସ୍ଥ୍ୟ ବିଭାଗ) ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସେ ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲଖିଛନ୍ତି।

ଚିଠିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଲ୍ଲେଖ କରିଛନ୍ତି ଯେ, ଟିକା ପାଇଁ ପଞ୍ଜୀକରଣ କରିବାକୁ ହେଲେ ୭ଟି ପରିଚୟ ପତ୍ର ମଧ୍ୟରୁ ଗୋଟିଏ ଦେଖାଇବାକୁ ପଡୁଛି। ହେଲେ ରାଜ୍ୟରେ ବହୁ ବର୍ଗର ଲୋକ ଅଛନ୍ତି ଯେଉଁମାନଙ୍କ ନିକଟରେ ଏହି ପରିଚୟ ପତ୍ର ମଧ୍ୟରୁ କୌଣସିଟି ବି ନାହିଁ। କିନ୍ତୁ ସେମାନେ ବି କୋଭିଡ ସଂକ୍ରମିତ ହୋଇପାରନ୍ତି। ବିଭିନ୍ନ ଧର୍ମର ସାଧୁ, ସନ୍ଥ, ଯାଯାବର ଜୀବନ ବିତାଉଥିବା ନିରାଶ୍ରୟ, ଭିକ୍ଷୁକ, ବୃଦ୍ଧାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କୁ ଏହି ବର୍ଗରେ ତାଲିକାଭୁକ୍ତ କରାଯାଇଛି। ଏହି ବର୍ଗର ୧୮ ବର୍ଷରୁ ଅଧିକ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଟିକାକରଣ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ନିୟନ୍ତ୍ରଣାଧୀନ ଥିବା ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।  ସେ ସୂଚନା ଦେଇଛନ୍ତି, ରାଜ୍ୟରେ ଯେତେ ପଜିଟିଭ ବାହାରିବେ ବୋଲି ପୂର୍ବରୁ ଆକଳନ କରାଯାଇଥିଲା, ତା’ଠାରୁ ବହୁତ କମ୍ ରହିଛି ସଂକ୍ରମଣ। ସରକାରଙ୍କ ପଦକ୍ଷେପ ଯୋଗୁ ଜାତୀୟ ହାରରୁ ଆମର ସ୍ଥିତି ଭଲ ଅଛି।

ଅନ୍ୟପକ୍ଷେ, ରାଜ୍ୟରେ ଗତ ୨୪ ଘଣ୍ଟାରେ ପୁଣି ୧୭ ମୁଣ୍ଡ ନେଲା କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୩୨କୁ ବୃଦ୍ଧି ପାଇଛି । ଦୀର୍ଘ କିଛି ଦିନ ଧରି କରୋନା ସଂକ୍ରମଣ ସ୍ଥିର ରହିଥିବା ବେଳେ ଆଜି ପୁଣି ୧୦ ହଜାର ପାର କରିଛି ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୧୦,୯୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୭ ତାରିଖରେ ରାଜ୍ୟରେ ସର୍ବାଧିକ ୧୨,୨୩୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।

You might also like