ଏଥର ବି ପୁରୀକୁ ଛାଡ଼ି ଆଉ କେଉଁଠି ବି ଗଡ଼ିବନାହିଁ ରଥ

ଏଥର ବି ବିନାଭକ୍ତରେ ହେବ ମହାପ୍ରଭୁଙ୍କ ରଥଯାତ୍ରା

  • ଏଥର ବି ବିନାଭକ୍ତରେ ହେବ ମହାପ୍ରଭୁଙ୍କ ରଥଯାତ୍ରା
  • କୋଭିଡ୍ ସଂକ୍ରମଣ ଦେଖି ରାଜ୍ୟ ସରକାରଙ୍କ ନିଷ୍ପତ୍ତି
  • ସେବାୟତଙ୍କ ପାଇଁ ଜରୁରୀ କରୋନା ଟିକାର ଡବଲ ଡୋଜ୍
  • ନଚେତ୍ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଜରୁରୀ
  • କେବଳ ପୁରୀରେ ଅନୁମତିକୁ ନେଇ ଅନ୍ୟ ମନ୍ଦିର ସେବାୟତଙ୍କ ଆପତ୍ତି

ଭୁବନେଶ୍ୱର: କୋଭିଡ୍ ସଂକ୍ରମଣ ଥମିନଥିବାରୁ ଗତବର୍ଷ ଭଳି ଏଥର ବି କେବଳ ପୁରୀରେ ବିନା ଭକ୍ତରେ ହେବ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା। ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥ ପାଇଁ ଅନୁମତି ଦିଆଯିବନି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏଭଳି ନିଷ୍ପତ୍ତିକୁ ଶ୍ରୀମନ୍ଦିର ସେବାୟତ ସ୍ୱାଗତ କରିଛନ୍ତି। ପୁରୀ ପ୍ରଶାସନ ମଧ୍ୟ ଗତବର୍ଷର ଅଭିଜ୍ଞତାକୁ ଆଧାର କରି ଯାତ୍ରା ଆୟୋଜନ କରିବ ବୋଲି କହିଛି। ତେବେ ବାରିପଦା ଜଗନ୍ନାଥ ମନ୍ଦିର ସହ କେନ୍ଦ୍ରାପଡ଼ାର ବଳଦେବଜୀଉ ମନ୍ଦିର ସେବାୟତ କିନ୍ତୁ ଶହ ଶହ ବର୍ଷର ପରମ୍ପରା ରକ୍ଷା ଲାଗି କୋଭିଡ୍ କଟକଣାରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି।

ମହମାରୀର ମହାକୋପ ଭିତରେ ଏବର୍ଷ ବି ହେବ ଶ୍ରୀକ୍ଷେତ୍ରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ହେଲେ ଗତଥର ଭଳି ଏଥର ବି ବଡ଼ଦାଣ୍ଡରେ ହେବନି ଭକ୍ତଙ୍କ ସହ ଭଗବାନଙ୍କ ମିଳନ। କୋଭିଡର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଥିବାରୁ କେବଳ ପୁରୀରେ ଘୋଷଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥ ଗଡ଼ିବନି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ,  ଗତବର୍ଷ ପୁରୀରେ ରଥଯାତ୍ରାବେଳେ ଯେଉଁଭଳି କଟକଣା ଥିଲା, ଏବର୍ଷ ସେମିତି ରହିବ। ରଥଯାତ୍ରାରେ ଭକ୍ତଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ଯେଉଁ ସେବାୟତମାନେ ରଥଯାତ୍ରାରେ ସାମିଲ ହେବେ ସେମାନେ କରୋନା ଟିକାର ୨ଟି ଯାକ ଡୋଜ୍ ନେଇଥିବେ କିମ୍ବା ୪୮ଘଣ୍ଟା ପୂର୍ବରୁ ଆର୍ଟିପିସିଆର ରିପୋର୍ଟରେ ନେଗେଟିଭ ଥିବା ବାଧ୍ୟତାମୂଳକ। ରଥଯାତ୍ରା ସମୟରେ କୋଭିଡ୍ କଟକଣା ଓ ସାମାଜିକ ଦୂରତ୍ୱ ମାନିବା ନିତ୍ୟାନ୍ତ ଜରୁରୀ। ରଥଯାତ୍ରା ପାଇଁ ପୁରୀ ସହରରେ କର୍ଫ୍ୟୁ ଲାଗିବ, ସହରକୁ ଗାଡ଼ି ମୋଟର ଚଳାଚଳ ଉପରେ କଟକଣା ଲଗାଯିବ। ଘରେ ବସି ଲୋକେ ଯେପରି ରଥଯାତ୍ରାର ସାନିଧ୍ୟ ପାଇବେ, ତାର ସିଧାପ୍ରସାରଣ ଦାୟିତ୍ୱ ସୂଚନା ଓ ଲୋକସଂପର୍କ ବିଭାଗ ନେବ।

ପୁରୀରେ ଭକ୍ତଶୂନ୍ୟ ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ଗାଇଡ୍ଲାଇନ୍ସର ଯଥାସମ୍ଭବ ଅନୁପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ଗତବର୍ଷର ଅଭିଜ୍ଞତା ସାଙ୍ଗକୁ ବର୍ତ୍ତମାନର କରୋନା ସ୍ଥିତିକୁ ଦେଖି ଏଥର ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଏସଓପି ପ୍ରସ୍ତୁତ ହେବ ବୋଲି କହିଛନ୍ତି ଜିଲ୍ଲାପାଳ। ତେବେ ତାପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ, ଛତିଶା ନିଯୋଗ ଓ ପୋଲିସ ପ୍ରଶାସନ ସହ ବିସ୍ତୃତ ଭାବେ ଆଲୋଚନା କରାଯିବ। ସେପଟେ ଆଗକୁ ଶ୍ରୀଜିଉଙ୍କ ସ୍ନାନଯାତ୍ରା, ତାପରେ ଅନବସର ନୀତି ଓ ଶେଷରେ ରଥଯାତ୍ରା ଗୋଷ୍ଠୀଗତ ସେବା ହୋଇଥିବାରୁ ଏସବୁ ନୀତିକାନ୍ତି ସହ ସଂପୃକ୍ତ ସମସ୍ତ ସେବାୟତଙ୍କୁ ଶୀଘ୍ର ଡବଲ୍ ଡୋଜ୍ କରୋନା ଟିକା ଦେବାକୁ ଦାବି କରିଛନ୍ତି ବରିଷ୍ଠ ସେବାୟତ।

ତେବେ ଆସନ୍ତା ଜୁଲାଇ ୧୨ରେ କେବଳ ପୁରୀରେ ରଥଯାତ୍ରା ହେବ ଓ ଠାକୁର ବାହାରକୁ ଆସିବେ। ହେଲେ ରାଜ୍ୟର ଅନ୍ୟ ସବୁ ଜଗନ୍ନାଥ ମନ୍ଦିର ପରିସରରରେ ହିଁ ଘୋଷଯାତ୍ରା ନୀତିକାନ୍ତି ପାଳନ ହେବ ବୋଲି ସରକାରଙ୍କ ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରି ନାହାନ୍ତି କିଛି ପ୍ରମୁଖ ମନ୍ଦିରର ସେବାୟତ ଓ କର୍ମକର୍ତ୍ତା। ସବୁଠି ରଥ ନିର୍ମାଣ ସହ ଆନୁସଙ୍ଗିକ କାମ ଜୋରସରରେ ଚାଲିଛି। ତେଣୁ ପୁରୀ ଭଳି ସେମାନଙ୍କୁ ମଧ୍ୟ କୋଭିଡ୍ କଟକଣାରେ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦେବାକୁ ରାଜ୍ୟର କେତେକ ଜଗନ୍ନାଥ ମନ୍ଦିର କର୍ତ୍ତପକ୍ଷ ସରକାରଙ୍କୁ ନିବେଦନ କରିଛନ୍ତି।

You might also like