କରୋନା ପାଇଁ ମାଡ଼ ଖାଇଗଲା ରଜ ଓ ସାବିତ୍ରୀ

ବିକ୍ରି ଅପେକ୍ଷାରେ କୋଟି କୋଟି ଟଙ୍କାର ବସ୍ତ୍ର

  • ବେପାର ବୁଡ଼ାଇବ ମହାମାରୀ କରୋନା
  • ମୁଣ୍ଡ ଉପରେ ସାବିତ୍ରୀ ଓ ରଜ ଥାଇ ଶାଢ଼ୀ ଦୋକାନରେ ତାଲା
  • ବିକ୍ରି ଅପେକ୍ଷାରେ କୋଟି କୋଟି ଟଙ୍କାର ବସ୍ତ୍ର
  • ୨ରୁ ୩ ଘଣ୍ଟା ଦୋକାନ ଖୋଲିବାକୁ ଅନୁମତି ଦାବି କଲେ ବ୍ୟବସାୟୀ ଓ ଗ୍ରାହକ
  • ପ୍ରାୟ ୨ଶହ କୋଟିର ବେପାର ଘାଟା ଆଶଙ୍କା

ଭୁବନେଶ୍ୱର: ମୁଣ୍ଡ ଉପରେ ସାବିତ୍ରୀ ବ୍ରତ, ଆଗକୁ ଆସୁଛି ରଜ ପର୍ବ। ଯେଉଁ ସମୟରେ ଶାଢ଼ୀ ଓ ନୂଆ ପୋଷାକ କିଣିବାକୁ ଲୋକଙ୍କୁ ତର ନଥାଏ, ତାହା ଏବେ ସମ୍ପୂର୍ଣ୍ଣ ଠପ୍ ଲକଡାଉନ୍‌ ଓ ସଟଡାଉନ୍‌ ପାଇଁ ରାଜ୍ୟର ସବୁ ଛୋଟ ବଡ଼ ଦୋକାନ ଭିତରେ ଗଦା ହୋଇ ରହିଛି କୋଟି କୋଟି ଟଙ୍କାର ବସ୍ତ୍ର। ଉଭୟ ବ୍ୟବସାୟୀ ଓ ଗ୍ରାହକ ସମସ୍ତେ କହୁଛନ୍ତି ଏ ସମୟରେ ୨ରୁ ୩ ଘଣ୍ଟା ପାଇଁ ଦୋକାନ ଖୋଲିବାକୁ ଅନୁମତି ଦିଅନ୍ତୁ ସରକାର। ତଥ୍ୟ କହୁଛି ଲୁଗା ଦୋକାନ ନଖୋଲିଲେ ଅତିକମରେ ଏହି ସମୟରେ ପ୍ରାୟ ୨ଶହ କୋଟି ଟଙ୍କାର କ୍ଷତି ସହିବେ ବ୍ୟବସାୟୀ।

୧୦ ତାରିଖରେ ସାବିତ୍ରୀ, ତାର ଚାରି ଦିନ ପରେ ରଜ। ପ୍ରତିଟି ଓଡ଼ିଆ ଘର ପାଇଁ ଦୁଇଟି ଯାକ ବଡ଼ ପର୍ବ। ସାବିତ୍ରୀରେ ନିହାତି ସଧବା ମହିଳାଙ୍କ ପାଇଁ ନୂଆ ଶାଢ଼ି ଟିଏ ଲୋ଼ଡ଼ା। ହେଲେ କିଣା ହେବ କେଉଁଠୁ ? କରୋନା କଟକଣା ପାଇଁ ତ ସବୁ ଦୋକାନ ବଜାର ବନ୍ଦ ରହିଛି। ଛୋଟ ଶାଢ଼ୀ ଦୋକାନଟିଏ ହେଉ କି ବଡ଼ ବଡ଼ ମଲ୍, ସବୁଠି ସଟର୍ରରେ ତାଲା। ଯେଉଁ ସମୟରେ ଲୁଗା ଦୋକାନରେ ଗ୍ରାହକଙ୍କ ଏତେ ଭିଡ଼ ଜମେ ଯେ, ସୋରିଷ ପକାଇବାକୁ ଯାଗା ମିଳେନି ସେଠି କିନ୍ତୁ ଏବେ ସ୍ଥିତି ପୁରା ଓଲଟା।

କଟକର ସବୁଠୁ ବଡ଼ ହୋଲସେଲ୍ ଶାଢ଼ୀ ମାର୍କେଟ ନନ୍ଦି ସାହିର ଚିତ୍ର ଦେଖିଲେ ସବୁକିଛି । ବାହାରେ ତାଲା, ଗୋଦାମ ଓ ଦୋକାନ ଭିତରେ ଥାକ ମରା ହୋଇ ଥୁଆ ହୋଇଛି ଲକ୍ଷ ଲକ୍ଷ ଟଙ୍କାର ଭଳିକି ଭଳି ଶାଢ଼ୀ ଓ ପୋଷାକ। ଖାଲି ରଜ କି ସାବିତ୍ରୀ ନୁହେଁ ବାହାଘର ଋତୁ ପାଇଁ ବି ବ୍ୟବସାୟୀମାନେ କୋଟି କୋଟି ଟଙ୍କାର ମାଲ୍ ମଗାଇ ଥିଲେ। କାରଣ କଟକର ଏ ମାର୍କେଟ୍ ଉପରେ ଆଖପାଖ ୧୦ଟି ଜିଲ୍ଲାର ଛୋଟ କପଡ଼ା ବ୍ୟବସାୟୀ ଓ ଗ୍ରାହକ ନିର୍ଭର କରନ୍ତି। ହେଲେ ଏବେ ସମସ୍ତେ ହାତ ବାନ୍ଧି ବସିଛନ୍ତି। ସମାନ ସ୍ଥିତି ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି।

ଏଠି ଛୋଟ ବଡ଼ ୫ ହଜାରରୁ ଅଧିକ ଶାଢ଼ୀ ଓ ଡ୍ରେସ୍ ଦୋକାନ ରହିଛି। ସାବିତ୍ରୀ ଓ ରଜ ପାଇଁ ସବୁଠୁ ଅଧିକ ଭିଡ଼ ହେଉଥିବା ମାର୍କେଟ୍ ବିଲଂଡିରେ ତ ମାଛି ଉଡୁନାହାନ୍ତି। ବ୍ୟବସାୟୀ ହତାଶ ହୋଇଛନ୍ତି। ସେମାନେ କହିଛନ୍ତି, ଅତି କମରେ ଏହି ସମୟରେ ୨ରୁ ୪ଘଣ୍ଟା ଦୋକାନ ଖୋଲିବାକୁ ସରକାର ଅନୁମତି ଦେଲେ କମ୍ ସେ କମ୍ ଦୋକାନ ଭଡ଼ା ଓ ଦରମା ଖର୍ଚ୍ଚ ଉଠିଯାନ୍ତା। ଏମିତି କି ସେମାନେ କରୋନା କଟକଣା ବି ମାନିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

ଇଏ ତ ଗଲା ବ୍ୟବସାୟୀଙ୍କ କଥା। ସାବିତ୍ରୀରେ ସଧବା ମହିଳା ହୁଅନ୍ତୁ କି ରଜପାଇଁ ସଜବାଜ ହେବାକୁ ମନ କରିଥିବା ଝିଅ ବୋହୁ ସମସ୍ତେ ଏବେ କରୋନା ପାଇଁ ଘରେ ବନ୍ଦୀ ହୋଇ ରହିଛନ୍ତି। ବାହାରକୁ ଯାଇ ରଜ ପାଳିବା ନହେଲେ ନାଇଁ, ନୂଆ ଶାଢ଼ୀ କି ଡ୍ରେସ୍ ଖଣ୍ଡେ ତ ପିନ୍ଧିବେ। କିନ୍ତୁ ଆଣିବେ କେଉଁଠୁ, ଦେକାନ ତ ଖୋଲୁନି। ସେମାନେ ବି କହିଲେଣି, ସରକାର ଅତି କମରେ ଏହି ସମୟରେ ୨ରୁ ୪ ଘଣ୍ଟା ପାଇଁ ଶାଢ଼ି ଦୋକାନ ଖୋଲିବାକୁ ଅନୁମତି ଦେଲେ, ସେମାନେ ବି କରୋନା କଟକଣାକୁ ମାନି କିଣାକିଣି କରି ପାରନ୍ତେ। ଦୋକାନ ବନ୍ଦ ଥିବାରୁ କେହି କେହି ଅନଲାଇନରେ ଶାଢ଼ୀ କିଣୁଥିଲେ ବି ଏହା ସମସ୍ତଙ୍କ ପାଇଁ ସୁବିଧାଜନକ ହେଉନାହିଁ ବୋଲି କହିଛନ୍ତି।

ସୂଚନା ଅନୁସାରେ କେବଳ ରଜ ଓ ସାବିତ୍ରୀ ସମୟରେ ଓଡ଼ିଶାରେ ଅତି କମରେ ୨ଶହ କୋଟି ଟଙ୍କାର ଶାଢ଼ୀ ଓ ଡ୍ରେସ୍ ବ୍ୟବସାୟ ହୋଇଥାଏ। ହେଲେ ଗତ ଦୁଇ ବର୍ଷ ହେଲାଣି ଏ ବେପାର ସାଂଘାତିକ ଭାବେ ଘାଟା ହୋଇଥିବାବେଳେ ଏବର୍ଷ ପୁରା ବୁଡ଼ିବାକୁ ବସିଛି।

କଟକରୁ ବିଶ୍ୱଜିତ୍ ଆଚାର୍ଯ୍ୟଙ୍କ ସହ ଭୁବନେଶ୍ୱରରୁ ସୌମ୍ୟରଞ୍ଜନ ସାହୁଙ୍କ ରିପୋର୍ଟ

You might also like