ଏଥର କାଳିଆ ଯୋଜନା ପାଇଁ କମ୍‌ ଅର୍ଥ ବ୍ୟୟବରାଦ

ଭୁବନେଶ୍ୱର: ଏଥର ବଜେଟରେ କାଳିଆ ଯୋଜନା ପାଇଁ କମ୍ ଅର୍ଥ ବ୍ୟୟବରାଦ ହୋଇଛି। କୃଷି ବଜେଟରେ ଏଥର କାଳିଆ ଯୋଜନା ପାଇଁ ୧୮୦୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ତେବେ ଗତ ଆର୍ଥିକ ବର୍ଷରେ ଏହା ୩ ହଜାର ୧୯୫ କୋଟି ଥିଲା। ଚଳିତ ଆର୍ଥିକ ବର୍ଷରେ କୃଷି ବଜେଟ ପାଇଁ ମୋଟ ୧୭, ୪୬୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଚାଷୀଙ୍କୁ ସୁଧ ରିହାତି ଲାଗି ୮୧୯ କୋଟି ବ୍ୟୟବରାଦ କରାଯାାଇଛି । ଚାଷୀଙ୍କୁ ଆଗୁଆ ବିହନ ଯୋଗାଇବା ପାଇଁ ୧୦୦ ଓ ସାର ପାଇଁ ୧୦୦ କୋଟି ରିଭଲଭିଂ ଫଣ୍ଡ ରହିବ ବୋଲି ଜଣାଯାଇଛି।

ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମ ପାଇଁ ୧୩୨ କୋଟି, ଜାତୀୟ ଉଦ୍ୟାନ କୃଷି ମିଶନ ପାଇଁ ୧୨୦କୋଟି କରାଯାଇଛି। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପାଇଁ ୪୫୦ କୋଟି ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୫୦୦ କୋଟି ରହିଛି। ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୪୧୫ କୋଟି ବ୍ୟୟବରାଦ କରାଯାଇଛି। ରାଜ୍ୟ ସରକାର ମାଛ ଚାଷ ପାଇଁ ନୂଆ ପୋଖରୀ ଖୋଳା ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ ୭୦ କୋଟି ବ୍ୟୟବରାଦ କରାଯାଇଛି। ରାଷ୍ଟ୍ରୀୟ ପଶୁଧନ ବିକାଶ ଯୋଜନା ପାଇଁ ୧୦୨ କୋଟି, ପଶୁଧନ ସ୍ୱାସ୍ଥ୍ୟ ସେବାକୁ ଉନ୍ନତ କରିବା ଲାଗି ୧୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ପଶୁଙ୍କୁ ଜରୁରୀକାଳୀନ ଚିକିତ୍ସା ପାଇଁ ଆରମ୍ଭ ହେବ ପଶୁ ହେଲପ ଲାଇନ ସେବା।

୩୦ କୋଟି ବ୍ୟୟରେ ରାଜ୍ୟରେ ପ୍ରତିଷ୍ଠା ହେବ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ୱବିଦ୍ୟାଳୟ। ସେହିପରି ଜଳସମ୍ପଦ ବିଭାଗ ପାଇଁ ୮୨୬୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ତ୍ୱରିତ ଜଳସେଚନ ସୁବିଧା ଯୋଜନା ପାଇଁ ୨ ହଜାର ୨୫୮ କୋଟି ବ୍ୟବସ୍ଥା କରାଯାଇଥିବା ବେଳେ ବନ୍ୟା ନିୟନ୍ତ୍ରଣ ଏବଂ ଜଳ ନିଷ୍କାସନ କାର୍ଯ୍ୟ ନିମନ୍ତେ ୭୧୦ କୋଟି ବ୍ୟୟବରାଦ ହୋଇଛି। ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଲାଗି ୮୬୦ କୋଟି, ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭ କୋଟି ବ୍ୟୟବରାଦ କରାଯାଇଛି। ସେହିପରି ଅଚଳ ଉଠା ଜଳସେଚନ ପଏଣ୍ଟ ପୁନରୁଦ୍ଧାର ପାଇଁ ୧୬୦ କୋଟି ବ୍ୟୟବରାଦ ହୋଇଛି।

ତେବେ କରୋନା ମହାମାରୀ ଯୋଗୁଁ ଦୋହଲି ଯାଇଛି ରାଜ୍ୟର ଆର୍ଥିକ ମେରୁଦଣ୍ଡ। ଏହା ସତ୍ତ୍ୱେ ଚଳିତ ବର୍ଷ ରାଜସ୍ୱ ଆୟ ୧୦% ବୃଦ୍ଧି ଆକଳନ କରାଯାଇଛି। ଆଜି ବିଧାନସଭାରେ ୨୦୨୧-୨୨ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ ବେଳେ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ। ଏଥର ସେ ମୋଟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। ଗତବର୍ଷର ସଂଶୋଧିତ ବଜେଟ୍ ଅପେକ୍ଷା ଏହା ୨୬ ପ୍ରତିଶତ ଅଧିକ। ଚଳିତ ବଜେଟରେ ପ୍ରାଶାସନିକ ବ୍ୟୟ ବରାଦ ବାବଦକୁ ୮୫ ହଜାର କୋଟି ରଖାଯାଇଥିବା ବେଳେ କାର୍ଯ୍ୟକ୍ରମ ବ୍ୟୟ ବରାଦ ୭୫ ହଜାର କୋଟି, ବିପର୍ଯ୍ୟୟ ପ୍ରଶମନ ବ୍ୟୟ ଲାଗି ୩ ହଜାର ୫୦ କୋଟି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତରିତ ହେଉଥିବା ଅର୍ଥରୁ ଖର୍ଚ୍ଚ ପାଇଁ ୬ ହଜାର ୯ ଶହ ୫୦ କୋଟି ଟଙ୍କା ବ୍ୟବସ୍ଥା ରହିଛି।

ବଜେଟ ପାଇଁ ରାଜସ୍ୱ ପ୍ରାପ୍ତିରୁ ମିଳିବ ୧ ଲକ୍ଷ ୨୫ ହଜାର ୬୦୦ କୋଟି ଟଙ୍କା ରହିଛି। ଏଥିରୁ ରାଜ୍ୟର ନିଜସ୍ୱ ଟିକସ ଆକାରରେ ୩୭, ୫୦୦ କୋଟି ଟଙ୍କା ଓ ନିଜସ୍ୱ ଅଣ ଟିକସ ଆୟରୁ ୨୦ ହଜାର କୋଟି ମିଳିବ। କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ବାବଦକୁ ୩୦ ହଜାର ୧୩୭ କୋଟି ଟଙ୍କା ଏବଂ ଜିଏସଟି କ୍ଷତିପୂରଣ ଓ ଅନ୍ୟ କେନ୍ଦ୍ରୀୟ ଅନୁଦାନ ବାବଦକୁ ୩୭ ହଜାର ୯୬୩ କୋଟି ଟଙ୍କା ମିଳିବ ବୋଲି ମନ୍ତ୍ରୀ ନିରଞ୍ଜନ ପୂଜାରି କହିଛନ୍ତି।

You might also like