ପୁରୀ: ଏଥର ସ୍ନାନ ଯାତ୍ରାରେ ଛେରାପହଁରା କରିବେନି ଗଜପତି ମହାରାଜ । କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି ।

କୋଭିଡ୍‌ କଟକଣା ଯୋଗୁଁ ପ୍ରଥମେ ବିନା ଭକ୍ତରେ ସ୍ନାନ ଯାତ୍ରା କରିବାକୁ ନିଷ୍ପତି ନିଆ ଯାଇଥିବା ବେଳେ, ଏବେ ସେହି କରୋନା ମହାମାରୀ ଯୋଗୁଁ ଆଉ ଏକ ପରାମ୍ପରା ମଧ୍ୟ ଭଙ୍ଗ ହୋଇଛି ବୋଲି କୁହାଯାଇପାରେ । ଏଥର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ନାନଯାତ୍ରା ବେଳେ ଗଜପତି ମହାରାଜ ଛେରାପହଁରା କରିବେ ନାହିଁ । ବର୍ଷ ବର୍ଷ ଧରି ଚାଲିଆସୁଥିବା ଏହି ପରମ୍ପରା ଏଥର କୋଭିଡ୍ କଟକଣା ପାଇଁ ବାଦ୍‌ ପଡ଼ିଲା । ତେବେ ନୀତି ଅନୁଯାୟୀ ଏଥର ଗଜପତି ମହାରାଜଙ୍କ ବଦଳରେ ତାଙ୍କ ପ୍ରତିନିଧି ମୁଦିରସ୍ତ କରିବେ ଛେରାପହଁରା । ଏନେଇ ଗଜପତି ମହାରାଜାଙ୍କ କାର୍ଯ୍ୟାଳୟ ପକ୍ଷରୁ ସଚିବ ସୂଚନା ଦେଇଛନ୍ତି ।

ତେବେ ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଆଜି ରାତିରୁ ଲାଗୁ ହେବ ୧୪୪ ଧାରା । ରାତି ୧୦ଟାରୁ ୧୪୪ ଧାରା ଜାରି ହୋଇ ୨୫ ତାରିଖ ଯାଏଁ ଏହା ବଳବତ୍ତର ରହିବ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବଂ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଆୟୋଜନ ହେଉଥିବାରୁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ପୁରୀ ପ୍ରବେଶ ପାଇଁ ଅନୁମତି ରହିଛି । ଆଦେଶ ଉଲଙ୍ଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ସ୍ନାନ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସ୍ନାନ ଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ମୁତୟନ ହେବେ ୩୫ ପ୍ଲାଟୁନ୍ ଫୋର୍ସ ୫ ଜଣ ଅତିରିକ୍ତ ଏସ୍‌ପି, ୨୩ ଡିଏସ୍‌ପି ଏବଂ ୪୧ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ ସୁରକ୍ଷା ଦୃଷ୍ଟିରୁ ସହରକୁ ୬ଟି ଜୋନ୍ରେ ବିଭକ୍ତ କରାଯାଇଥିବା ବେଳେ ୧୫ଟି ସିସିଟିଭି କ୍ୟାମେରା ଲଗାଯାଇଛି ।

ସେହିଭଳି ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ନିତିକାନ୍ତି ଶୃଙ୍ଖଳିତ କରାଯାଇ କାଲି ସକାଳ ସାଢେ ୭ଟାରୁ ଶ୍ରୀଜିଉଙ୍କଠାରେ ଜଳଲାଗି ପାଇଁ କରାଯାଇଛି ବ୍ୟବସ୍ଥା । ସ୍ନାନ ଯାତ୍ରାରେ ଭାଗ ନେବାକୁ ଥିବା ୯୦ ଭାଗ ସେବାୟତ ଓ କର୍ମଚାରୀଙ୍କ ଆରଟିପିସିଆର ଟେଷ୍ଟ ନେଗେଟିଭ ଆସିଛି । ଅନ୍ୟପଟେ ସେବାୟତମାନଙ୍କୁ ଦ୍ୱିତୀୟ ଡୋଜ୍ ଟିକାକରଣ ମଧ୍ୟ ଜାରି ରହିଛି । ପାଳିଆ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଛି ସ୍ନାନ ପୂର୍ଣ୍ଣିମା ପାସ୍ । ଏହା ଗୋଟିଏ ଦିନ ପର୍ଯ୍ୟନ୍ତ ଉଦ୍ଦିଷ୍ଟ । ରଥଯାତ୍ରା ପାଇଁ ନୂଆ ପାସ୍ ଜାରି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସ୍ନାନଯାତ୍ରା ଲାଗି ଆଜି ରାତିରୁ ଆରମ୍ଭ ହେବ ଶ୍ରୀଜିଉଙ୍କ ପହଣ୍ଡି ନୀତି ।

ତେବେ ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇ-ଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜା ବିଧି ।

ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ସାଧାରଣ ଦିନପରି ଶ୍ରୀମନ୍ଦିରରେ କବାଟଫିଟା, ପାହାନ୍ତିଆ ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ, ଦ୍ୱିପ୍ରହରଧୂପ ଆଦି ସମସ୍ତ ନୀତିର ସମାପନ ପରେ ସ୍ୱଳ୍ପସମୟ ପାଇଁ ପହୁଡ଼ ହୁଏ ଓ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହେଇଯାଏ । ଏହିଦିନ କୋଠ ସିଆଁସିଆ ମନ୍ଦିରରେ ପ୍ରବେଶ କରନ୍ତି ଓ ପହଣ୍ଡି ପାଇଁ ଚାରମାଳ ବାନ୍ଧନ୍ତି l ପ୍ରଭୁଙ୍କର ସେନାପଟା ଓ ବାହୁଟିନାଗି ହୁଏ । ରତ୍ନ ସିଂହାସନ ଉପରେ ମଙ୍ଗଳାର୍ପଣ କରାଯାଏ ।

Other Stories