ଆଗକୁ ଓଡ଼ିଶାରେ ଦୈନିକ ୧୩ ହଜାର ହେବେ ସଂକ୍ରମିତ? ଚିନ୍ତା ବଢାଇବ ମେ’ ମାସ…

ମେ ପହିଲାରୁ ଡରାଇଲା କରୋନାର ବିସ୍ଫୋରକ ରୂପ

  • ମେ ପହିଲାରୁ ଡରାଇଲା କରୋନାର ବିସ୍ଫୋରକ ରୂପ
  • ରାଜ୍ୟରେ ପ୍ରଥମ ଥର ଲାଗି ଦୈନିକ ସଂକ୍ରମଣ ୧୦ ହଜାର ପାର୍
  • ମେ ୧୫ ବେଳକୁ ସ୍ଥିତି ଆହୁରି ଭୟାନକ ହେବା  ସ୍ୱାସ୍ଥ୍ୟ ବିଭାଗର ଆକଳନ
  • ଚ୍ୟାଲେଞ୍ଜ୍ ହେବ ରୋଗୀଙ୍କୁ ବେଡ୍, ଭେଣ୍ଟିଲେଟର୍ ଓ ଅକ୍ସିଜେନ୍ ଯୋଗାଣ

ଭୁବନେଶ୍ୱର: ଏପ୍ରିଲରେ ବିସ୍ଫୋରକ ସ୍ଥିତିରେ ଥିବା କରୋନା, ମେ ମାସରେ ମହାବିସ୍ଫୋରଣ କରିବାର ଆଶଙ୍କା ରହିଛି। ଯାହାର ଝଲକ ମାସର ପ୍ରଥମ ଦିନରୁ ଦେଖିବାକୁ ମିଳିଲାଣି। ରାଜ୍ୟରେ ୨୪ ଘଣ୍ଟା ଭିତରେ ରେ ୧୦ ହଜାରରୁ ଅଧିକ କେଶ୍ ଚିହ୍ନଟ ହୋଇଥିବା ବେଳେ ଦେଶରେ ଏହା ୪ ଲକ୍ଷ ଟପିଯାଇଛି। ଏହି ଅନୁସାରେ ମାଡ଼ି ଚାଲିଲେ ମେ ମାସ ସରକାରଙ୍କ ପାଇଁ ଘାତକ ସାଜିପାରେ। ମହାରାଷ୍ଟ୍ର, ଦିଲ୍ଲୀ ଭଳି ସ୍ଥିତି ଉପୁଜିଲେ ଓଡ଼ିଶା ସରକାର ଏହାର ମୁକାବିଲା କରିବା ପାଇଁ କେତେ ଦୂର ପ୍ରସ୍ତୁତ? ତାହା ଏବେ ବଡ଼ ପ୍ରଶ୍ନ ଭାବରେ ଛିଡ଼ା ହୋଇଛି। ତେବେ ଗତକାଲି ସ୍ୱାସ୍ଥ୍ୟ ବିଭାଗର ACS ଦୃଢୋକ୍ତି ପ୍ରକାଶ କରିଥିଲେ, ମୁକାବିଲା ପାଇଁ ସରକାର ପୁରା ପ୍ରସୁତ।

ଏପ୍ରିଲ ୧ରେ ଦୈନିକ ସଂକ୍ରମଣ ୩୯୪ ଥିବା ବେଳେ ଏପ୍ରିଲ୍ ୩୦ରେ ୮, ୬୮୧ ଥିଲା। ପୁରା ମାସରେ ୧ ଲକ୍ଷରୁ ଅଧିକ କେଶ୍ ହେଲାଣି। ଆଉ ମେ ପସିବା ମାତ୍ରେ ଦୈନିକ ସଂକ୍ରମଣ ସଂଖ୍ୟା ପାର୍ କରିଛି ୧୦ ହଜାର। ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ମୋଟ୍ ୧୦ ହଜାର ୪୧୩ ପଜିଟିଭ୍। ସେପଟେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବି ସବୁ ରେକର୍ଡ ଭାଙ୍ଗି ଦିନକରେ ୪ ଲକ୍ଷ ପାର୍ କରିଛି। ୨୪ ଘଣ୍ଟାରେ ୩, ୫୨୩ ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ରାଜ୍ୟରେ ବି ଯାଇଛି ୧୧ ଜୀବନ। ଏପ୍ରିଲରେ କରୋନାର କରାଳ ରୂପ ଦେଖିବା ପରେ ଚଳିତ ମାସରେ ସ୍ଥିତି କଣ ହେବ ତାହା ଭାବିବା ବେଳକୁ ବି ଦେହ ଶୀତେଇ ଯାଉଛି। ସ୍ୱାସ୍ଥ୍ୟ ବିଭାଗର ପ୍ରାଥମିକ ଆକଳନ କହୁଛି ମେ ୧୫ ବେଳକୁ ରାଜ୍ୟରେ ଦ୍ୱିତୀୟ ଲହରରେ ସମୁଦାୟ ପଜିଟିଭ୍ ସଂଖ୍ୟା ୨ ଲକ୍ଷ ପାର କରିପାରେ। ସେହିଭଳି ଦୈନିକ ୧୩ ହଜାର ପର୍ଯ୍ୟନ୍ତ ଆକ୍ରାନ୍ତ ଚିହ୍ନଟ ହେବା ନେଇ ଆକଳନ କରାଯାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଲୋକଙ୍କ ଢିଲାପଣ, କୋଭିଡ୍ ଗାଇଡ୍ ଲାଇନ୍ ନମାନିବା ଓ ସରକାର ଗତଥର ଭଳି କଠୋର ଆଭିମୁଖ୍ୟ ଗ୍ରହଣ କରୁନଥିବାରୁ ଆଗକୁ ସ୍ଥିତି ଅଧିକ ଖରାପ ହୋଇପାରେ।

ମେ ମାସରେ ମାଡ଼ି ଆସୁଥିବା କରୋନା ସୁନାମିକୁ କିପରି ମୁକାବିଲା କରିବେ ରାଜ୍ୟ ସରକାର? ଏଥିପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ପ୍ରସ୍ତୁତ ଅଛି ତ? ଆକଳନ ଅନୁଯାୟୀ, ମେ ୧୫ ବେଳକୁ ରାଜ୍ୟରେ ୫ ହଜାର ୮୧୫ ଜଣ କରୋନା ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇପାରନ୍ତି। ସେହିଭଳି ୨ ହଜାର ୪୦ କ୍ରିଟିକାଲ କେୟାର ରୋଗୀ ଓ ୪୩୮ ଭେଣ୍ଟିଲେଟର୍ ସପୋର୍ଟ ଦରକାର ହେଉଥିବା ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇପାରନ୍ତି। ମେଡିସିନ୍ ଓ ଅକ୍ସିଜେନ୍ ବ୍ୟବସ୍ଥା ସହିତ ଆଇସିୟୁ ଓ ଭେଣ୍ଟିଲେଟର ବଢ଼ାଇବା ପାଇଁ ଯୋଜନା ହୋଇଛି। ସେହିପରି ଜିଲ୍ଲାପାଳମାନଙ୍କୁ ଅଧିକ କୋଭିଡ୍ ହସ୍ପିଟାଲ ଖୋଲିବା ଏବଂ କୋଭିଡ୍ କେୟାର ସେଣ୍ଟରରେ ବେଡ୍ ସହ ଅକ୍ସିଜେନ ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି। ତେବେ କରୋନାର ଦ୍ୱିତୀୟ ଲହରକୁ ମୁକାବିଲା କରିବା ପାଇଁ ଏହା କଣ ପର୍ଯ୍ୟାପ୍ତ କି? ତାହାକୁ ନେଇ ଉଠିଛି ପ୍ରଶ୍ନ…

କରୋନା ସଂକ୍ରମଣରେ ବ୍ରେକ୍ ଦେବାକୁ ରାଜ୍ୟ ସରକାର ନାଇଟ୍ କର୍ଫ୍ୟୁ ଓ ସପ୍ତାହାନ୍ତ ସଟ୍ ଡାଉନ୍ ଲାଗୁ କରିଛନ୍ତି। ଯେଉଁଠି ଆବଶ୍ୟକ ପଡୁଛି ସେଠାରେ ଦୋକାନ, ବଜାର ବି ବନ୍ଦ କରାଯାଇଛି। ହେଲେ ଏହି ପଦକ୍ଷେପ କରୋନା ସୁନାମିକୁ କେତେଦୂର ଅଟକାଇ ପାରୁଛି ଏବଂ ସରକାର ଏହାର କିପରି ମୁକାବିଲା କରୁଛନ୍ତି ତା ଉପରେ ନଜର ରହିଛି।

You might also like