ବୁଲା କୁକୁରଙ୍କ ସାହାରା ନିଲୁ, ଗଳି ଗଳିରେ ବୁଲି ଖାଦ୍ୟ ପରଷୁଛନ୍ତି

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଇଶ୍ୱରଙ୍କ ସୃଷ୍ଟିରେ ଯେତେ ସବୁ ପ୍ରାଣୀ ଅଛନ୍ତି ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ ମଣିଷ। ତେବେ ଆମ ସମାଜରେ ବସବାସ କରୁଥିବା କିଛି ମଣିଷ ନିଜର କାର୍ଯ୍ୟଶୈଳୀ ପାଇଁ ଅନ୍ୟମାନଙ୍କ ଠାରୁ ଭିନ୍ନ ହୋଇଥାନ୍ତି। ଆଉ ଏଭଳି ଏକ ଭିନ୍ନ ମଣିଷ ହେଉଛନ୍ତି ଜଗତସିଂହପୁରର ପ୍ରଦୀପ୍ତ ମିତ୍ର ଓରଫ ନିଲୁ।

ଭୋକିଲାର ଭୋକ ମେଣ୍ଟାଇବା ନିଲୁଙ୍କ ନିଶା। ପେଟର ଭୋକକୁ ଅନ୍ୟ ଆଗରେ ପ୍ରକାଶ କରିପାରୁନଥିବା ନୀରିହ ଜୀବଙ୍କୁ ସେ ଖାଦ୍ୟ ପରସିଥାନ୍ତି। ନିଜେ ଖାଦ୍ୟ ରୋଷେଇ କରି ସହରର ବିଭିନ୍ନ ଗଳିରେ ବୁଲା କୁକୁରଙ୍କୁ ସେ ଖାଦ୍ୟ ପରସିଥାନ୍ତି। ବିଶେଷ କରି ବୁଲା କୁକୁରଙ୍କୁ ଖାଇବାକୁ ଦେବା ଏବଂ ସେମାନଙ୍କ ଯତ୍ନ ନେବା ତାଙ୍କର ନିତିଦିନିଆ କାର୍ଯ୍ୟ।

ଗତ ମାର୍ଚ୍ଚରେ କରୋନା ସ୍ଥିତି ପରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ରୁ ଲୋକେ ଘରୁ ବାହାରଲେନି। ହୋଟେଲ ଓ ଦୋକାନ ବନ୍ଦ ରହିବାରୁ ବୁଲା କୁକୁରଙ୍କୁ ଖାଦ୍ୟ ମିଳିଲାନି। କିଛି ଦିନ ପାଇଁ ପୌର ପରିଷଦ ପକ୍ଷରୁ କୁରୁରଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ହୋଇଥିଲା। ଏହି ଖାଦ୍ୟ ଯୋଗାଣ ବନ୍ଦ ହେବା ପରେ ସେହି ଦିନ ଠାରୁ ବୁଲା କୁକୁରଙ୍କୁ ଖାଦ୍ୟ ପରସୁଛନ୍ତି ନିଲୁ। ମଣିଷଙ୍କ ଭଳି ସବୁ ପଶୁପକ୍ଷୀଙ୍କର ବଞ୍ଚିବାର ଅଧିକାର ରହିଛି ବୋଲି ସେ କହିଛନ୍ତି।

ଯୁବକ ବୟସରୁ ନୀଲୁଙ୍କ ପଶୁପକ୍ଷୀଙ୍କ ପ୍ରତି ଅନେକ ପ୍ରେମ ରହିଥିଲା। ଆଉ ଏହି ପଶୁ ପକ୍ଷୀଙ୍କୁ ଭଲପାଇବା ତାଙ୍କୁ ଆଜି ଦେଇଛି ସ୍ୱତନ୍ତ୍ର ପରିଚୟ। ପଶୁପକ୍ଷୀଙ୍କ ପ୍ରତି ନିଲୁଙ୍କର ଏଭଳି କରୁଣା ମନୋଭାବ ଯୋଗୁ ତାଙ୍କୁ ଆନିମଲ ୱେଲଫେୟାର ବୋର୍ଡ ଅଫ୍ ଇଣ୍ଡିଆ ପକ୍ଷରୁ ଜଣେ ସ୍ୱେଚ୍ଛାସେବୀର ପରିଚୟପତ୍ର ପ୍ରଦାନ କରାଯାଇଛି। ନିଲୁଙ୍କର ଏହି ପଶୁପ୍ରେମକୁ ନେଇ ସାଧାରଣରେ ବେଶ୍‌ ପ୍ରଂଶସା ମଧ୍ୟ ମିଳୁଛି।

You might also like