ଦେଶର ଆର୍ଥିକ ପ୍ରଗତିକୁ ଆଗେଇ ନେବା ଭଳି ଏକ କ୍ରାନ୍ତିକାରୀ ବଜେଟ : ରାଜ୍ୟ ବିଜେପି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଦ୍ୱିତୀୟ ପାଳିର ଦ୍ୱିତୀୟ ଆର୍ଥିକ ବଜେଟ ହେଉଛି ଦେଶର ଆର୍ଥିକ ପ୍ରଗତିକୁ ଆଗେଇ ନେବା ଭଳି ଏକ କ୍ରାନ୍ତିକାରୀ ବଜେଟ। ଏହା ସବୁ ବର୍ଗର ଆଶା-ଆକାଂକ୍ଷାକୁ ପୂରା କରିବା ଭଳି ବଜେଟ୍ ବୋଲି ରାଜ୍ୟ ବିଜେପି କହିଛି।

ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କେନ୍ଦ୍ରୀୟ ବଜେଟ୍ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ୭୦ ବର୍ଷର କଂଗ୍ରେସ ସରକାର ଯାହା ୭୦ ବର୍ଷରେ କରିପାରି ନଥିଲା ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପ୍ରଥମ ୫ ବର୍ଷରେ କରିପାରିଲେ । ପ୍ରତି ପରିବାରକୁ ପାଇଖାନା, ବିଜୁଳି, ରୋଷେଇ କରିବା ପାଇଁ ଗ୍ୟାସ, ମୁଣ୍ଡକୁ ଛାତ ଘର, ସାମାଜିକ ସୁରକ୍ଷା ପାଇଁ ପେନସନ, କୃଷକଙ୍କ ପାଇଁ ଭତ୍ତା ଏସବୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ମୋଦିଙ୍କ ସରକାରର ପ୍ରଥମ ପାଳିର ମୂଳ ଲକ୍ଷ୍ୟ ଥିଲା। ପ୍ରଥମ ପାଳି ଥିଲା ଆବଶ୍ୟକତାର ୫ ବର୍ଷ । ଏବେ ଦ୍ୱିତୀୟ ପାଳିର ୫ ବର୍ଷ ହେଉଛି ଆକାଂକ୍ଷାର ୫ ବର୍ଷ । ଦେଶର ସବୁ ବର୍ଗର ଲୋକମାନଙ୍କ ଆକାଂକ୍ଷାକୁ ପୂରଣ କରିବା ଦିଗରେ ଏ ସରକାର କାମ କରୁଛି ଓ କରିବ।

ଏହି ବଜେଟ ଆକାଂକ୍ଷାର ଭାରତ ନିର୍ମାଣ, ଅର୍ଥନୈତିକ ପ୍ରଗତି, ଓ ଏକ ଯତ୍ନବାନ ସମାଜର ନିର୍ମାଣର ଚିନ୍ତାଧାରା ଉପରେ ପରିବେଷ୍ଟିତ। ପ୍ରଧାନମନ୍ତ୍ରୀ ମୋଦିଙ୍କର ନୁଆ ଭାରତର ପରିକଳ୍ପନାକୁ ବାସ୍ତବତାରେ ପରିଣତ କରିବା ଦିଗରେ ଏହି ବଜେଟ ସଫଳ ହେବ । ଦେଶର ଚାଷ ଠାରୁ ଆରମ୍ଭ କରି ଗବେଷଣା ପର୍ଯ୍ୟନ୍ତ, ଦେଶର ବିକାଶ ଓ ପ୍ରଗତି ଦିଗରେ ଗୁରୁତ୍ୱ ବହନ କରୁଥିବା ସମସ୍ତ କ୍ଷେତ୍ର ପ୍ରତି ଧ୍ୟାନ ଦିଆଯାଇଛି। ବାର୍ଷିକ ରୋଜଗାର ୫ ଲକ୍ଷରୁ ୧୫ ଲକ୍ଷ ସୀମାରେ ଆୟକର କମାଇବା ଦେଶର ଆର୍ଥିକ ପ୍ରଗତିରେ ଏକ ବଡ଼ ଭାଗିଦାରୀ ଦେଇ ଆସିଥିବା ମଧ୍ୟମ ବର୍ଗଙ୍କୁ ଲାଭ ଦେବ। ନୂଆ ବଜେଟରେ ଆସିଥିବା ଆୟକର ଦେଶର ଇତିହାସରେ ସବୁଠାରୁ କମ୍। ଦେଶର ଯୁବ ବର୍ଗଙ୍କର ସ୍ୱପ୍ନକୁ ପୂରଣ କରିବା ଦିଗରେ ଏହି ବଜେଟ ଆଗାମୀ ଦିନରେ ଏକ ବଡ଼ ଭୂମିକା ନେବାକୁ ଯାଉଛି ।

ସେହିପରି ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠାର ଘୋଷଣା ଓଡ଼ିଶା ଭଳି ରାଜ୍ୟକୁ ଯାହା ସ୍ୱାସ୍ଥ୍ୟସେବାରେ ପଛୁଆ ବଡ଼ ଲାଭ ଦେବ। ୧୫୦ ଡିଗ୍ରୀ-ଡିପ୍ଲୋମା ଇଂଜିନିୟରିଂ କଲେଜ ଦେଶରେ ପ୍ରତିଷ୍ଠା ହେବ। ବଜେଟରେ ୩.୬ ଲକ୍ଷ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଗ୍ରାମାଞ୍ଚଳରେ ପ୍ରତି ଘରକୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦେବା ପାଇଁ। ଓଡ଼ିଶାର ଗ୍ରାମାଞ୍ଚଳରେ ମାତ୍ର ୫% ପରିବାର ପାଇପ ଯୋଗେ ପିଇବା ପାଣି ପାଉଛନ୍ତି, ଏହି ବଜେଟ ଓଡ଼ିଶା ପାଇଁ ବରଦାନ ହେବା ଭଳି ହେବ। ମାଛ ଚାଷର ବିକାଶ ପାଇଁ ଏହି ବଜେଟରେ ବ୍ୟାପକ ଧ୍ୟାନ ଦିଆଯାଇଥିବାରୁ ଓଡ଼ିଶାର ବିଶାଳ ଜଳସମ୍ପଦ ଥିବା ଯୋଗୁ ଏକ ବଡ ଲାଭାର୍ଥୀ ରାଜ୍ୟ ହୋଇପାରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଉପସ୍ଥିତ ଥିଲେ।

You might also like