ଚୋରି କରିବା ପାଇଁ ଫ୍ଲାଇଟ୍‌ରେ ଓଡ଼ିଶାରୁ ଯାଉଥିଲେ ସୁରତ

ସୁରତ: ଓଡ଼ିଶାରୁ ବିମାନରେ ଉଡ଼ି ଚୋରି ପାଇଁ ଯାଉଥିଲେ ସୁରତ। ସେଠାରେ ପହଞ୍ଚିବା ପରେ ଏକ ସ୍କୁଲ୍‌ ବ୍ୟାଗରେ ହାତୁଡ଼ି, କଟର, ଗ୍ଲୋଭ୍ସ, ମାସ୍କ ନେଇ ଚୋରି ପାଇଁ ଯାଉଥିଲେ ଏବଂ ସେଠାରେ ଚୋରି କରି ପୁଣି ବିମାନରେ ଓଡ଼ିଶାରେ ଫେରୁଥିଲେ। ବିନା ସହଯୋଗୀରେ ଦୁର୍ବୃତ୍ତ ଜଣକ ଏକାକୀ ସୁରତର ବିଭିନ୍ନ ସ୍ଥାନରେ ଚୋରି କରୁଥିଲେ। ସୁରତ କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍ ହାତରେ ଏମିତି ଏକ ଚୋର ଧରାପଡ଼ିଛି। ତାଙ୍କ ନାଁ ଦଣ୍ଡପାଣୀ ବିଷୋୟୀ ବୋଲି କ୍ରାଇମ୍‌ବ୍ରାଞ୍ଚ ସୂତ୍ରରୁ ଜଣାପଡ଼ିଛି।

ଦଣ୍ଡପାଣୀଙ୍କ  ନିକଟରୁ ୮ ଲକ୍ଷ ୯୨ ହଜାର ଟଙ୍କାର ସାମଗ୍ରୀ ସମେତ ଟଙ୍କା ମଧ୍ୟ ଜବତ ହୋଇଛି। କିଛି ବିଦେଶୀ ନୋଟ୍‌ ମଧ୍ୟ ଜବତ ହୋଇଛି। ଦଣ୍ଡପାଣୀଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ସୂଚନା ମିଳିଛି।

କେହି ଯେମିତି ତାଙ୍କୁ ସନ୍ଦେହ ନକରନ୍ତି, ସେଥୀପାଇଁ ସେ ନିଜକୁ କେତେବେଳେ ଲାଲା କହୁଥିଲେ ତ ପୁଣି କେତେବେଳେ ନିଲୁ ବୋଲି କହୁଥିଲେ। ଏପରିକି ସେ ସୁରତରେ ଘର ଭଡ଼ା ନେଇ ମଧ୍ୟ ରହୁଥିଲେ। କୌଣସି ଏକ ଅଫିସରେ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି ବୋଲି ଦଣ୍ଡପାଣୀ ପଡ଼ୋଶୀଙ୍କୁ କହିଥିଲେ। ହେଲେ ଶେଷରେ ସେ ସୁରତ କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିବା ସହ ତାଙ୍କର ଏହି ହାଇଟେକ୍‌ ଚୋର ବିଦ୍ୟାର ପର୍ଦ୍ଦାଫାସ ହୋଇଛି।

You might also like