ଓଡ଼ିଶାର ଏହି ୨ ସ୍ଥାନ ଘୋଷଣା ହେଲା ମାଇକ୍ରୋ କଣ୍ଟେନ୍ମେଣ୍ଟ୍ ଜୋନ୍
ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୪୦୦ରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ୪୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣ ବୃଦ୍ଧି ପରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରାଞ୍ଚଳର ୨ଟି ସ୍ଥାନକୁ ମାଇକ୍ରୋ କଣ୍ଟେନ୍ମେଣ୍ଟ୍ ଜୋନ୍ ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଗାଁକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି।
ଫୁଲବାଣୀ ପୌରାଞ୍ଚଳର ୨ ନମ୍ବର ୱାର୍ଡ ଡାକପାଲର ସ୍କୁଲ ସାହି ଓ ୫ ନଂ ୱାର୍ଡର ୫ଟି ଘର କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା ହୋଇଛି। ଏନେଇ ଫୁଲବାଣୀ ଜିଲ୍ଲାପାଳ ଘୋଷଣା କରିଛନ୍ତି।
ସୂଚନା ଅନୁସାରେ, ଡାକପାଲର ସ୍କୁଲ୍ ସାହିରୁ ୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫ ନଂ ୱାର୍ଡର ଗୋଟିଏ ଘରୁ ଜଣେ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଫଳରେ ୨ଟି ସ୍ଥାନକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। ମାଇକ୍ରୋ କଣ୍ଟେନ୍ମେଣ୍ଟ୍ ଅଞ୍ଚଳରେ କଟକଣା ପାଳନ ପାଇଁ ଆବଶ୍ୟକ ମୁତାବକ ପୋଲିସ ମୁତୟନ ପାଇଁ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସମ୍ପୃକ୍ତ ଅଞ୍ଚଳରେ ସଚେତନତା ସୃଷ୍ଟି ଲାଗି ଡାକପାଳ ୟୁପି ସ୍କୁଲର ସହକାରୀ ଶିକ୍ଷକ ମିନାକ୍ଷୀ ପ୍ରଧାନଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି। ଏହି ଅଞ୍ଚଳକୁ ଯାତାୟାତ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହାସହ ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଇଛି।
ସେହିପରି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅଞ୍ଚଳ ବୃନ୍ଦାବାହଲ ପଞ୍ଚାୟତର ଲିମସେର ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଗାଁରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟ ଓ ୬ ଜଣ ଆକ୍ରାନ୍ତ ଚିହ୍ନଟ ପରେ ସରପଞ୍ଚ ହେମାଙ୍ଗିନୀ ରାଉତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ଗତକାଲି ମଧ୍ୟରାତ୍ରରୁ ୮ ତାରିଖ ମଧ୍ୟ ରାତ୍ରି ଯାଏ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ଜିଲ୍ଲାରୁ ସର୍ବାଧିକ ୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡିରୁ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କନ୍ଧମାଳରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।