ଓଡ଼ିଶାର ଏହି ଜିଲ୍ଲାର ୧୨ ସ୍ଥାନ ଘୋଷଣା ହେଲା ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍

ଝାରସୁଗୁଡ଼ା: କରୋନା ସଂକ୍ରମଣ ବଢ଼ିବା ପରେ ଝାରସୁଗୁଡ଼ାକୁ ଫେରିଲା କମେଣ୍ଟମେଣ୍ଟ୍ ଜୋନ୍। ୧୨ଟି ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଝାରସୁଗୁଡ଼ା ପୌର ପରିଷଦର ୮ଟି ଅଞ୍ଚଳ, କିରିିମିରା ବ୍ଲକର ୩ଟି ଅଞ୍ଚଳ ସହ ଲଖନପୁରର ଗୋଟିଏ ଅଞ୍ଚଳକୁ ଝାରସୁଗୁଡ଼ା ଜିଲ୍ଲାପାଳ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି। 

ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା ହୋଇଥିବା ଅଞ୍ଚଳ ଗୁଡ଼ିକ ହେଲା- ବେହେରାମାଲ, ସରବାହଲ, ବମ୍ବେଛକ, ଝଣ୍ଡାଛକ, ରେଳବାଇ କଲୋନୀ, କବରସ୍ତାନପଡ଼ା, ପିପିଲିମାଲ, ମାଲୁଆପଡ଼ା, ନକ୍ସାପାଲି, ଓ କୂଟରାଚୂଆଁ। ଛତିଶଗଡ଼ରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ସୀମାବର୍ତ୍ତୀ ଅଞ୍ଚଳରେ ମାସ୍କ ଚେକିଂକୁ ଜୋରଦାର କରାଯାଇଛି। 

ସେହିପରି କଳାହାଣ୍ଡି ଜିଲ୍ଲାର ଚିଲଚିଲା ଗାଁକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଗାଁରୁ ୭ କରୋନା ସଂକ୍ରମିତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ସୂଚନାଥାଉ କି, କରୋନା ସଂକ୍ରମଣ ବୃଦ୍ଧି ପରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରାଞ୍ଚଳର ୨ଟି ସ୍ଥାନକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଗାଁକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

ଛତିଶଗଡ଼ ପଟୁ ମାଡ଼ି ଆସୁଥିବା ମହାମାରୀକୁ ଚେକ୍ ଦେବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ପଶ୍ଚିମ ଓଡ଼ିଶାର ୭ ଓ ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲାରେ ଆସନ୍ତା ସୋମବାରଠୁ ଲାଗୁ ହେବ ରାତ୍ରି କାଳୀନ କର୍ଫ୍ୟୁ। ରାତି ୧୦ରୁ ସକାଳ ୫ଟା ଯାଏ ଜାରି ରହିବ କଟକଣା।

You might also like