ଏଥର ବିଧାନସଭାରେ ରହିବ ପ୍ରଶ୍ନକାଳ ଓ ଶୂନ୍ୟକାଳ: ବାଚସ୍ପତି

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିଛି। ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିବା ନେଇ ଆଜି ସଦସ୍ୟଙ୍କ ସହ ବାଚସ୍ପତି ସୂର୍ଯ୍ୟ ପାତ୍ର ଆଲୋଚନା କରିଛନ୍ତି। ଏଥର ବିଧାନସଭାରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ରହିବ। ଦିନ ସାଢ଼େ ୧୦ରୁ ସାଢ଼େ ୧ଟା, ଅପରାହ୍ନ ୪ରୁ ୬ଟା ଯାଏ ଅଧିବେଶନ ଚାଲିବ। ସ୍ୱତନ୍ତ୍ର କାର୍ଯ୍ୟ ଦିବସରେ ଅଧିବେଶନ ସନ୍ଧ୍ୟା ୭ଟା ଯାଏ ଚାଲିବ। ପୂର୍ବଭଳି ଦିନ ୧୦ଟା ୩୦ରୁ ୧୧ଟା ୩୦ ଯାଏ ପ୍ରଶ୍ନକାଳ ହେବ। ମୁଲତବି ଆଲୋଚନା ବି ହେବ ଓ ସମୟ ଦେଢ଼ ଘଣ୍ଟା ରହିବ। ଦେଢ଼ ଘଣ୍ଟାରୁ ୫୫ ମିନିଟ ବିରୋଧୀଙ୍କ ପାଇଁ ଉଦ୍ଦିଷ୍ଟ ରହିବ। ସର୍ବଦଳୀୟ ବୈଠକ ପରେ ବାଚସ୍ପତି ସୂର୍ଯ୍ୟ ପାତ୍ର ଏନେଇ ସୂଚନା ଦେଇଛନ୍ତି।

ପୂର୍ବ ଅଧିବେଶନ ଭଳି ଏଥର ବି ସକାଳ ସାଢ଼େ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବ। ତେବେ ଅପରାହ୍ନ ଅଧିବେଶନ ୩ଟା ପରିବର୍ତ୍ତେ ୪ଟାରୁ ହେବ। ଆଜି ସର୍ବଦଳୀୟ ବୈଠକ ପରେ ଏନେଇ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ସୂଚନା ଦେଇଛନ୍ତି। ଏଥର ବି ପ୍ରଶ୍ନକାଳ ରହିବ ବୋଲି ସେ ଦୋହରାଇଛନ୍ତି। ଏହାସହ ମୁଲତବି ଆଲୋଚନା ଅବଧି ଦେଢ଼ ଘଣ୍ଟା ରହିବାକୁ ନିଷ୍ପତ୍ତି ହୋଇଛି।

କୋଭିଡ୍ କଟକଣା ଭିତରେ ବିଧାନସଭାର ବଜେଟ ଅଧିବେଶନ ବସୁଥିବାରୁ କେମିତି ହେବ ବ୍ୟବସ୍ଥା ସେନେଇ ମଧ୍ୟ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି। ସେପଟେ ୩ଟି ପ୍ରମୁଖ ଦଳ ନିଜ ରଣନୀତି ପ୍ରସ୍ତୁତ କରିଛନ୍ତି। ସରକାରୀଙ୍କୁ ଘେରିବାକୁ ବିରୋଧୀ ଯୋଜନା କରିଥିବା ବେଳେ ଶାସକ ଦଳ ଏନେଇ ଆଜି ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିବ।

ଅନ୍ୟପକ୍ଷେ, ବିଧାନସଭା ଅଧିବେଶନ ପୂର୍ବରୁ ପୋଲିସ ଡିଜି ଅଭୟ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଗତ ଅଧିବେଶନ ତୁଳନାରେ ଏଥର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ। ତ୍ରିସ୍ତରୀୟ  ସୁରକ୍ଷା ବ୍ୟବସ୍ଥା ହେବ। ଏଥିସହ ଅଧିବେଶନ ବେଳେ ଲୋୟର ପିଏମଜିରେ ବିକ୍ଷୋଭକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେଠାରେ ଆବଶ୍ୟକୀୟ ବନ୍ଦୋବସ୍ତ କରାଯାଇଛି। ଗତ ଅଧିବେଶନରେ ଦାବି ପୂରଣ ପାଇଁ ଅନେକ ଆତ୍ମଦାହ ଉଦ୍ୟମ ହୋଇଥିବାରୁ ଏହାକୁ ଏଡାଇବା ପାଇଁ ପୋଲିସ ପକ୍ଷରୁ ନଜର ରଖାଯିବ।

ବିଧାନସଭାର ନିରାପତ୍ତ ଦୃଷ୍ଟି କୋଣରୁ ତିନି ଥାକିଆ ନିରାପତ୍ତା ବ୍ୟବସ୍ଥା କରାଯାଇଛି। ଭିତରେ ସାଧାପୋଷାକରେ ଗୁଇନ୍ଦା ବିଭାଗର କର୍ମଚାରୀମାନେ ସୁରକ୍ଷା ଦାୟିତ୍ୱରେ ରହିବେ। ବାହାରେ ଦୁଇଟି ଥାକରେ ସଶସ୍ତ୍ର ପୋଲିସ୍‌ ମୁତୟନ ହେବେ। ଏହି ସମୟରେ ଅନେକ ପ୍ରତିବାଦ ଅର୍ଥାତ୍‌ ବିକ୍ଷୋଭ କରୁଥିବାରୁ ଲୋୟର ପିଏମ୍‌ଜି ଧାରଣା ସ୍ଥଳରେ ଆବଶ୍ୟକୀୟ ବନ୍ଦୋବସ୍ତ କରାଯାଇଛି। ଯେଉଁମାନଙ୍କର କିଛି ଅଭିଯୋଗ ଅଛି ସେମାନେ ଅଭିଯୋଗ ପ୍ରକୋଷ୍ଠକୁ ଯାଆନ୍ତୁ।

-ସୁଧାଂଶୁ ଷଡଙ୍ଗୀ, ପୋଲିସ କମିଶନର 

You might also like