୬ ବର୍ଷ ହେଲାଣି ଝିଅର ମିଳୁନାହିଁ ଅତାପତ୍ତା, ମାଆ ଆଖିରୁ ଶୁଖୁନାହିଁ ଲୁହ

ଶିଶୁ ଗାଏବ ପଛରେ କିଏ?

କଣ୍ଟାବାଞ୍ଝି: ପରୀ, ପିହୁ, ସ୍ୱାତୀ ଭଳି ରାଜ୍ୟରେ ଏମିତି ଅନେକ ଶିଶୁ ପ୍ରତିମାସ ନିଖୋଜ ହେଉଛନ୍ତି। କିଛିଙ୍କ ପତ୍ତା ମିଳୁଛି ଅନେକ ନିଖୋଜ ତାଲିକାରେ ହିଁ ରହିଯାନ୍ତି। ପୋଲିସରେ ଏତଲା ଦିଆଯାଏ, କିଛି ଦିନ ଖୋଜାଖୋଜି ବି ଚାଲେ। ହେଲେ ଦିନ ଗଢ଼ିବା ସହ ମାମଲା ସବୁ ପୋଲିସ ଫାଇଲ୍ ତଳେ ସବୁ ଦିନ ପାଇଁ ଚାପି ହୋଇ ରହିଯାଏ। ବଲାଙ୍ଗିର କଣ୍ଟାବାଞ୍ଜି ବ୍ଲକରେ ଘଟିଛି କିଛି ଏଭଳି ଘଟଣା। ଶିଶୁ ନିଖୋଜ ହେବାର ୬ ବର୍ଷ ପରେ ବି କୌଣସି ଖୋଜ ଖବର ମିଳୁନି। ଅନ୍ୟପଟେ ବର୍ଷେ ତଳେ ନିଖୋଜ ହେବା ପରେ ଏବେ ପିଲାର ଫେରିବା ବାଟ ଚାହିଁ ରହିଛନ୍ତି ପରିବାରଲୋକେ।

ମାଆର ଆଖିରୁ ଲୁହ ସରୁନି, କାନ୍ଦି କାନ୍ଦି ନୟାନ୍ତ। ଫଟୋ ଦେଖୁଛି, ଆଉଁସି ଦେଇ ତା ଅଳି ଅଳିକୁ ମନେ ପକାଉଛି। ଝିଅର କଥା ମନେ ପଡ଼ିଲେ ଭୋ ଭୋ ହୋଇ କାନ୍ଦି ପୁରୁଣା ସ୍ମୃତିକୁ ତାଜା। କେତେ ଆଦର, ସ୍ନେହରେ ବଢ଼ାଇଥିଲା। ୬ ବର୍ଷ ଯାହାକୁ କାନିରେ ଯାବୁଡ଼ି ରଖିଥିଲା ସେ ଏବେ କେଉଁଠି ତା ପତ୍ତା ବି ମାଆକୁ ଜଣାନାହିଁ। ଖାଲି ଯାହା ପରିବାରର ଫଟୋ ହିଁ ମାଆର ଶେଷ ଆଶା ଓ ଭରସା। ବଲାଙ୍ଗିର କଣ୍ଟାବାଞ୍ଜି କୁକୁଡ଼ାହାଡ଼ ଗାଁର ବିନୋଦ ସରାଫ ଓ ତାଙ୍କ ସ୍ତ୍ରୀ। ଗଲା ୬ ବର୍ଷ ତଳେ ଦୁଇ ଝିଅ ଓ ପୁଅକୁ ଧରି କଣ୍ଟାବାଞ୍ଜୀ ରାବଣପୋଡ଼ୀ ଯାତ୍ରା ଦେଖିବାକୁ ଯାଇଥିଲେ। ହେଲେ ସେଠି ୬ ବର୍ଷର ବଡ଼ ଝିଅ ସ୍ୱପ୍ନା କେଉଁ ଆଡ଼େ ଚାଲି ଯାଇଥିଲା। ନିଖୋଜ ଝିଅକୁ ଖୋଜି ଦେବା ପାଇଁ ତିନି ମାସ ଯାଏ ଥାନାକୁ ଦୌଡ଼ିଥିଲେ। ହେଲେ ଫଳ କିଛି ମିଳିନଥିଲା। ନା ଝିଅକୁ ପାଇଥିଲେ ନା ତା ସମ୍ପର୍କରେ କୌଣସି ଖୋଜଖବର ମିଳିଥିଲା। ଏହାରି ମଧ୍ୟରେ ୬ ବର୍ଷ ବିତିଯାଇଥିଲେ ବି ନିଖୋଜ ସ୍ୱପ୍ନା ସମ୍ପର୍କରେ ଜାଣିପାରିନି ପୋଲିସ୍।

ସମାନ ପରିସ୍ଥିତି କଣ୍ଟାବାଞ୍ଜୀର ଚାଉଳସୁଖା ଗାଁର ଶ୍ରୀଜିତ ଭୋଇଙ୍କ। ୧୨ ବର୍ଷର ପୁଅ ଦେବରାଜ ଗତ ଜାନୁଆରୀରେ ଗାଁ ନିକଟରେ ଫୁଟବଲ୍ ଖେଳିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ନିରାଶ ହୋଇ ଥାନାରେ ଏତଲା ବି ଦିଆଯାଇଥିଲା। ହେଲେ ୧୧ ମାସ ପରେ ବି ଦେବରାଜଙ୍କ ପତ୍ତା ମିଳିନି। ଥାନାରେ ବାରମ୍ବାର ଅଭିଯୋଗ ପରେ ବି କୌଣସି ଫାଇଦା ହୋଇନି। କଣ୍ଟାବାଞ୍ଜିର ଏହି ଦୁଇ ଘଟଣା ଭାତ ହାଣ୍ଡିର ଗୋଟିଏ । ଏପରି ଅନେକ ଘଟଣା ଘଟୁଛି, ଥାନାରେ ଅଭିଯୋଗ ବି ହେଉଛି ହେଲେ ଏସବୁ ଅଭିଯୋଗ କେବଳ ଫାଇଲ୍ ତଳେ ଚାପି ହେଇ ରହି ଯାଉଥିବା କହିଛନ୍ତି ଖୋଦ୍ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି। ଅପରପକ୍ଷେ ଘଟଣାକୁ ନେଇ ବଲାଙ୍ଗିର ଏସ୍ପି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।

You might also like