ଯୁବକଙ୍କ ମହାନତା : ଗାଁକୁ ରାସ୍ତା ନଥିବାରୁ ନିଜେ ଜମି କିଣି ରାସ୍ତା ତିଆରି କରାଇଲେ 

ପାଣି କାଦୁଅରେ ସଢ଼ୁଥିବା ସାହିଭାଇଙ୍କ ଦୁଃଖ ଦେଖିହେଲାନି

ବାସୁଦେବପୁର(କିରୀଟି ଦାସ): ଗାଁ ପାଇଁ ରାସ୍ତା ତିଆରି କଲା ଗାଁର ପୁଅ। ପ୍ରଶାସନ ଯାହା କରିପାରିଲାନି, ଗାଁର ପୁଅ ତାହା କରି ଦେଖେଇଲା। ପାଣି କାଦୁଅରେ ସଢ଼ୁଥିବା ସାହିଭାଇଙ୍କ ଦୁଃଖ ଦେଖିହେଲାନି । ନିଜ ଗାଁକୁ ଦୀର୍ଘବର୍ଷ ଧରି ଭଲ ରାସ୍ତା ନଥିବାରୁ ଗ୍ରାମବାସୀ ବହୁ କଷ୍ଟରେ ଯିବାଆସିବା କରୁଥିଲେ ।  ସରକାରଙ୍କ ନିକଟରେ ଗ୍ରାମବାସୀ ବହୁ ଥର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ । ନିଜ ଉଦ୍ୟମରେ ଗାଁରେ ରାସ୍ତା ତିଆରି କଲେ ଯୁବକ । ତାଙ୍କର ବୟସ ପାଖାପାଖି ୪୪ ହେବ । ହେଲେ ଏ ସ୍ୱାର୍ଥପର ଦୁନିଆରେ ସେ ମହତ ଚିନ୍ତାଧାରାର ପ୍ରମାଣ ଦେଇଛନ୍ତି  ।  ଗାଁର ଯୁବକ ସନ୍ତୋଷ କୁମାର ନିଜ ଖର୍ଚ୍ଚରେ ଜମି କିଣି ରାସ୍ତା ତିଆରି କରିଛନ୍ତି । ଆଉ ଏହି ରାସ୍ତାର କାଗଜପତ୍ର ଗ୍ରାମବାସୀଙ୍କ ନାମରେ କରାଇ ଦେବାକୁ ଚିନ୍ତା କରିଛନ୍ତି।  

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବ୍ରାହ୍ମଣଗାଁ ପଂଚାୟତର ଦୀକ୍ଷିତ ସାହି । ସାହିରେ ପାଖାପାଖି ୫୦ ପରିବାର ବାସକରନ୍ତି । ସାହି ଭିତରକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ । ପ୍ରତିଦିନ  ଅଣ ଓସାରିଆ ହିଡ ରାସ୍ତାରେ ସାହିବାସୀ ଯିବାଆସିବା କରନ୍ତି । ବର୍ଷା ଦିନ ଆସିଲେ ଆଣ୍ଠୁଏ ପାଣିରେ ପଶି କାଦୁଅରେ ବୁଡ଼ି ଗାଁଲୋକ ଯିବାଆସିବା କରୁଥିଲେ ।  ଗାଁ ରାସ୍ତାର ଓସାର କମ ଥିବାରୁ ଗାଁଲୋକମାନେ ମରାମତି ପାଇଁ ଉଦ୍ୟମ ମଧ୍ୟ କରିଥିଲେ । ହେଲେ ସରକାରୀ ରାସ୍ତାକୁ ଲାଗି ବ୍ୟକ୍ତିଗତ ଜମି ଥିବାରୁ କେତେକ ଲୋକ ବିରୋଧ କରି ମରାମତି କରିବାରା ବାଧା ସୃଷ୍ଟି କରିଥିଲେ । ରାସ୍ତାର ଏହି ସମସ୍ୟାକୁ ନେଇ ଗ୍ରାମାବାସୀ ସରକାରଙ୍କ ନିକଟରେ ବହୁବାର ଅଭିଯୋଗ ମଧ୍ୟ କରିଥିଲେ । ହେଲେ ବ୍ୟକ୍ତିଗତ ଜମିପାଇଁ ଗାଁରେ ରାସ୍ତା ନିର୍ମାଣ କରିବାରେ ବାଧକ ସୃଷ୍ଟି ହୋଇଥିଲା । ଗ୍ରାମବାସୀ ବହୁ କଷ୍ଟରେ ଦୀର୍ଘଦିନ ଧରି ପାଣି କାଦୁରେ ସଢୁଥିବାଦେଖି ଗ୍ରାମର ଯୁବକ ସନ୍ତୋଷ କୁମାର ଦୀକ୍ଷିତ ରାସ୍ତା ନିର୍ମାଣ କରିବା ପାଇଁ ନିଜେ ଅଂଟା ଭିଡିଥିଲେ ।

ପ୍ରଥମେ ନିଜେ ଟଙ୍କା ଦେଇ ରାସ୍ତା ପାଇଁ ପାଖ ଜମିକୁ କିଣି ନେଇଥିଲେ । ଆଉ ଜମି କିଣିବା ପରେ ସେହି ଜମିରେ ରାସ୍ତା ନିର୍ମାଣ ଆରମ୍ଭ କରିଛନ୍ତି । ବ୍ୟକ୍ତିଗତ ଜମିରେ ନିଜେ ଖର୍ଚ୍ଚ କରି ମାଟି ଓ ମେଟାଲ ପକାଇ ରାସ୍ତା ନିର୍ମାଣ କରୁଛନ୍ତି । ତେବେ ଗାଁର ସୁବିଧା ପାଇଁ ସନ୍ତୋଷଙ୍କ ତ୍ୟାଗ ଦେଖି ସହଯୋଗ ପାଇଁ ଆଗେଇ ଆସିଛନ୍ତି ଗ୍ରାମବାସୀ ।  ସମସ୍ତେ ରାସ୍ତା ନିର୍ମାଣ କାମରେ ଲାଗି ପଡିଛନ୍ତି । ଏହି ରାସ୍ତା ନିର୍ମାଣ ଶେଷ ପରେ ଯୁବକ ଜଣକ ରାସ୍ତାଟିକୁ ଗ୍ରାମବାସୀଙ୍କ ନାମରେ କାଗଜପତ୍ର କରିଦେବେ ବୋଲି କହିଛନ୍ତି ।

ପାଣି କାଦୁଅରେ ସଢୁଥିବା ଗ୍ରାମାସବୀଙ୍କ ଦୀର୍ଘଦିନ ପରେ ଦୁଃଖ ଦୂର ହେବାକୁ ଯାଉଛି । ଯେଉଁ କାମ ପ୍ରଶାସନ କରି ପାରିଲାନି ତାହା ଜଣେ ଯୁବକ କରି ଦେଖାଇଛନ୍ତି । ଯୁବକଙ୍କ ଏହି  ବଦାନ୍ୟତାକୁ ଗ୍ରାମବାସୀମାନେ ସାଧୁବାଦ ଜଣାଇବା ସହ ଖୁବ ପ୍ରସଂଶା କରିଛନ୍ତି ।

 

You might also like