ରାଜ୍ୟରେ ୧୯୪୩ ଲୋକଙ୍କ ପାଇଁ ଅଛନ୍ତି ମାତ୍ର ଜଣେ ଡାକ୍ତର
ଭୁବନେଶ୍ୱର: ରାଜ୍ୟରେ ଏବେ ୧୯୪୩ ଜଣ ଲୋକଙ୍କ ପାଇଁ ଅଛନ୍ତି ଜଣେ ମାତ୍ର ଡାକ୍ତର। ଆଜି ଏନେଇ ଗୃହରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ। ରାଜ୍ୟର ମୋଟ୍ ଜନସଂଖ୍ୟା ୪ କୋଟି ୩୭ ଲକ୍ଷ ୭୭ ହଜାର ରହିଛି। ଜାତୀୟ ସ୍ୱାସ୍ଥ୍ୟ ପୋର୍ଟାଲ୍ର ତଥ୍ୟ ଅନୁସାରେ, ରାଜ୍ୟରେ ମୋଟ୍ ୨୨ ହଜାର ୫୨୧ ଜଣ ଡାକ୍ତର ରହିଛନ୍ତି।
ସେହି ଅନୁପାତରେ ୧୯୪୩ ଜଣଙ୍କ ପାଇଁ ଜଣେ ଡାକ୍ତର ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଜାତୀୟ ହାର ଏହି ତୁଳନାରେ ବେଶ କମ ରହିଛି। ଦେଶରେ ୧୧୬୧ ଜଣଙ୍କ ପାଇଁ ଗୋଟିଏ ଡାକ୍ତର ରହିଛନ୍ତି।
ଓଡ଼ିଶା ତୁଳନାରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ଡାକ୍ତରଙ୍କ ସଂଖ୍ୟା ଢେର ଅଧିକା ରହିଛି। କାରଣ, ଆନ୍ଧ୍ରରେ ପ୍ରତି ୫୨୦ ଜଣଙ୍କରେ ଜଣେ ଡାକ୍ତର ରହିଛନ୍ତି। ସେହିପରି ପଶ୍ଚିମବଙ୍ଗରେ ୧୩୫୦ ଜଣଙ୍କ ପାଇଁ ଜଣେ ଡାକ୍ତର ରହିଛନ୍ତି।
ଇଣ୍ଡିଆନ୍ ପବ୍ଲିକ୍ ହେଲଥ୍ ଷ୍ଟାଣ୍ଡାଡ୍ ଦ୍ୱାରା ନିର୍ଦ୍ଧାରିତ ମାନ ଅନୁସାରେ ରାଜ୍ୟରେ ପ୍ରତି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଜଣେ ଡାକ୍ତର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୮ ଜଣ ଡାକ୍ତର କାର୍ଯ୍ୟ କରିବା ଜରୁରୀ। ତାଛଡ଼ା ରାଜ୍ୟର ୮୭୧୯ଟି ଡାକ୍ତର ପଦବୀ ରହିଛି। ତେବେ ରାଜ୍ୟରେ ମାତ୍ର ୭ ହଜାର ୨୪ ଜଣ ଡାକ୍ତର କାର୍ଯ୍ୟରେ ଅଛନ୍ତି।