‘ଏଥର ରଥଯାତ୍ରା ଆଶା ଆଉ ନାହିଁ ’

ପୁରୀ:ପୁରୀ ରଥଯାତ୍ରା ହେବ କି ନାହିଁ ଏଯାଏ ସ୍ପଷ୍ଟ କରି ନାହାନ୍ତି ରାଜ୍ୟ ସରକାର। ଏବେ ବି ଦ୍ୱନ୍ଦ୍ୱରେ ରହିଛନ୍ତି ଭକ୍ତ, ସେବାୟତ ..।  ସତରେ କ‘ଣ ଏଥର ବଡଦାଣ୍ଡରେ ରଥ ଗଡ଼ିବନି ? ଏକାଠି ହେବେନି ରଥ..ପଥ..ଭକ୍ତ..? ଏମିତି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ।

ଆଜିକୁ ମିଶାଇ ୧୧ ଦିନ ବିତି ଗଲାଣି। କିନ୍ତୁ ରଥକାମ ଆରମ୍ଭ ହେଲାନି। ଆଜି ନୃସିଂହ ଜନ୍ମ ଅବସରରେ ରଥର କୋଣଗୁଜ ଅନୁକୂଳ ହେବା କଥା। ସେ ନୀତି ମଧ୍ୟ ବନ୍ଦ ରହିଲା। ପୁରୀ ଗ୍ରୀନ ଜୋନରେ ରହିଛି। ଗ୍ରୀନ ଜୋନରେ ନିର୍ମାଣ କାମକୁ ସରକାର ଅନୁମତି ଦେଇଥିବାବେଳେ ରଥ ନିର୍ମାଣ କାମକୁଅନୁମତି ଦେବାକୁ ସେବାୟତମାନେ ପ୍ରଶାସନକୁ ଅନୁରୋଧ କରିଥିଲେ। ଏପରିକି ବିନା ଭକ୍ତରେ ରଥଯାତ୍ରା କରିବା ପାଇଁ ଅନୁମତି ଦେବାକୁ ମଧ୍ୟ ଅନୁରୋଧ କରାଯାଇଥିଲା। ହେଲେ ଏଯାଏ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଲେ ନାହିଁ। ଶେଷରେ ରଥଯାତ୍ରା ହେବ କି ନାହିଁ କେନ୍ଦ୍ର କୋର୍ଟକୁ ବଲ ଫିଙ୍ଗି ଦେଇ ଚୁପ୍‌ ବସି ପଡ଼ିଛନ୍ତି ରାଜ୍ୟ ସରକାର।

ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ଦେଇ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। ଏବର୍ଷ ଆଉ ରଥ ହୋଇ ପାରିବ ନାହିଁ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଏଥର ରଥ ଆଶା ଛାଡି ଦେଇଛୁ ବୋଲି ସେ ହତାଶ ହୋଇ କହିଛନ୍ତି।

ମହାପାତ୍ର କହିଛନ୍ତି, ଚଳିତ ବର୍ଷ ରଥ ନିର୍ମାଣ ଆଶା ଛାଡ଼ି ଦେଇଛୁ । ବିଧି ବିଧାନ ଅନୁସାରେ ଆଉ ରଥ ନିର୍ମାଣ ଅସମ୍ଭବ ନୁହେଁ । ଓଟିଭିକୁ ପ୍ରତିକ୍ରିୟା ରଖି ବିଜୟ କହିଛନ୍ତି, ରଥ ନିର୍ମାଣ ଅକ୍ଷୟ ତୃତୀୟଠାରୁ ଆରମ୍ଭ ହେବା କଥା । ଏହା ଭିତରେ ୧୧ ଦିନ ବିତି ଯାଇଥିଲେ ବି ନିର୍ମାଣ ପାଇଁ ଅନୁମତି ମିଳିପାରନି । ଆଜି ନୃସିଂହ ଚତୁର୍ଦ୍ଦଶୀ ତିଥିରେ ରଥର କୋଣଗୁଜ ଅନୁକୂଳ ହେବା କଥା । ସେହିଭଳି ଭଉଁରୀରେ ଚକ ଡେରା ହେବା କଥା । ହେଲେ ଏଯାଏଁ ରଥ ନିର୍ମାଣ କାମଆରମ୍ଭ ହୋଇନାହିଁ।  ବିଧିବିଧାନ ଅନୁସାରେ ଆଉ କାମ ହୋଇପାରିବ ନାହିଁ । ତେଣୁ ଏ ବର୍ଷ ବୋଧେ ଆଉ ରଥ ହୋଇପାରିବ ନାହିଁ ବୋଲି ଆଶଙ୍କା ପ୍ରକାଶ କରିିଛନ୍ତି ନନ୍ଦିଘୋଷ ରଥର ମୁଖ୍ୟ ମହାରଣା।

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରିଷ୍ଠ ଦଇତାପତି ବିନାୟକ ଦାସ ମହାପାତ୍ର। ଜଗନ୍ନାଥଙ୍କ ସହ ଖେଳ ଚାଲିଛି ବୋଲି  ଅଭିଯୋଗ କରିଛନ୍ତି ବିନାୟକ ।

ସେହିପରି ରଥ ନିର୍ମାଣ ନେଇ ରାଜ୍ୟ କେନ୍ଦ୍ରକୁ ଅନୁମତି ମାଗିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ବିଜୟ ମହାପାତ୍ର।  ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସମାଲୋଚନା କରି ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି- ରଥ ନିଷ୍ପତ୍ତି ରାଜ୍ୟ ସରକାରଙ୍କର। ଏଥିରେ କେନ୍ଦ୍ରର ବିଶେଷ ଭୂମିକା ନାହିଁ। ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ କେନ୍ଦ୍ର ପାଖରୁ ସାହାଯ୍ୟ ଲୋଡ଼ିପାରନ୍ତି। 

ସୂଚନାଥାଉ କି, ଲକଡାଉନ୍ ନିୟମ ପାଳନ କରି ରଥଖଳାରେ ରଥ ନିର୍ମାଣ କିଭଳି ବ୍ୟବସ୍ଥିତ ଢଙ୍ଗରେ କରାଯାଇ ପାରିବ, ସେ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସରକାରଙ୍କ ନିକଟରେ କେତେକ ପ୍ରସ୍ତାବ ରଖାଯାଇଥିଲା। ହେଲେ ରଥ କାମ ହେବ କି ନାହିଁ ଏ ନେଇ କେନ୍ଦ୍ରର ଅନୁମତି ଲୋଡ଼ିଛନ୍ତି ରାଜ୍ୟ ସରକାର । ଏନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି । ପୂର୍ବରୁ ରଥ ନିର୍ମାଣ ନିମନ୍ତେ ଶ୍ରୀମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାରଙ୍କ ଅନୁମତି ଲୋଡ଼ିଥିଲା ।  ପରିଚାଳନା କମିଟି ମିଟିଂ ପରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିଲା।

ଆହୁରି ପଢ଼ନ୍ତୁ

You might also like