ରାଜ୍ୟରେ ପିଡିଏସ୍ ସାମଗ୍ରୀର ଚାଲିଛି ବେଧଡକ୍ ହରିଲୁଟ୍

ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ

ଭୁବନେଶ୍ୱର: ଭୂତ ହିତାଧିକାରୀଙ୍କ ନାଁରେ ଚାଲିଛି ପିଡିଏସ୍ ସାମଗ୍ରୀର ହରିଲୁଟ୍। ୨ ଲକ୍ଷରୁ ଅଧିକ ଜାଲ୍ ରାସନ କାର୍ଡରେ ନିୟମିତ ଉଠୁଛି ଚାଉଳ ଓ ଗହମ ବୋଲି ଜଣାପଡ଼ିଛି। ଲକଡାଉନ ସମୟରେ ମୁଖ୍ୟମନ୍ତ୍ରୀ ରାସନକାର୍ଡ ହିତାଧିକାରୀଙ୍କ ପିଛା ଘୋଷଣା କରିଥିବା ହଜାରେ ଟଙ୍କା ଲେଖାଏଁ ସହାୟତା ବଣ୍ଟନରୁ ପଦାକୁ ଆସିଛି ଏହି ସତ। ବିଭିନ୍ନ ଜିଲ୍ଲାରୁ କୋଭିଡ୍ ସହାୟତା ବାବଦ ୨୦ କୋଟିରୁ ଅଧିକ ଟଙ୍କା ଫେରିଆସିବା ପରେ ସରକାରୀ ହିସାବ ଅନୁସାରେ, ୨ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ପତ୍ତା ମିଳୁନଥିବା ସ୍ପଷ୍ଟ ହୋଇଛି। ତେବେ RTIରୁ ତଥ୍ୟ ଆସିବା ପରେ ଏସବୁ କାର୍ଡ କାହା ପାଖରେ ରହିଛି ଓ କିଏ ଏହି ରାସନ ସାମଗ୍ରୀ ନେଉଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ।

ରାଜ୍ୟରେ ଅଛନ୍ତି ୨ ଲକ୍ଷରୁ ଅଧିକ ଭୁତ ରାସନକାର୍ଡ ହିତାଧିକାରୀ। ରାଜ୍ୟ ସରକାରଙ୍କ କୋଭିଡ୍ ସହାୟତା ବଣ୍ଟନ ଖୋଲିଛି ଏହି ଗୁମର। କାହିଁକି ନା ଲକଡାଉନ ସମୟରେ ରାସନକାର୍ଡ ଥିବା ହିତାଧିକାରୀଙ୍କ ପିଛା ହଜାରେ ଟଙ୍କା ଲେଖାଏଁ କୋଭିଡ୍ ସହାୟତା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ୨ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଟଙ୍କା ଫେରିଆସିବା ପରେ ପଦାରେ ଫିଟିଛି ରାସନ ସାମଗ୍ରୀ ବଣ୍ଟନରେ ଚାଲିଥିବା କେଳେଙ୍କେରୀ।

କୋଭିଡ୍ ସହାୟତା ବାବଦକୁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାକୁ ୯୫୫ କୋଟି ୧୬ ଲକ୍ଷ ଟଙ୍କାର ସହାୟତା ଦେଇଥିଲେ ଅର୍ଥ ରାଶି। ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ରହିଥିଲା। କିନ୍ତୁ ହିତାଧିକାରୀ ନମିଳିବାରୁ ରାଜକୋଷକୁ ଫେରିଆସିଛି ୨୦ କୋଟି ୫୬ ଲକ୍ଷ ଟଙ୍କା। ବାଲେଶ୍ୱର ଜିଲ୍ଲାରୁ ୯୦ ଟଙ୍କା ଫେରି ଆସିଥିବା ବେଳେ ନବରଙ୍ଗପୁରରୁ ଫେରିଛି ୫୬ ଲକ୍ଷରୁ ଅଧିକ ଟଙ୍କା। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ବି ୯୬ ଲକ୍ଷରୁ ଅଧିକ ଟଙ୍କା ଫେରି ଆସିଥିବା ସୂଚନା ଅଧିକାର ଆଇନ୍ ତଥ୍ୟରୁ ଜଣାପଡିଛି।

କୋଭିଡ୍ ସହାୟତା ବଣ୍ଟନ ରାଜ୍ୟରେ ରାସନ ସାମଗ୍ରୀରେ ଚାଲିଥିବା ହରିଲୁଟକୁ ପଦାକୁ ଆଣିଛି। କାରଣ କୋଭିଡ୍ ସହାୟତା ସିନା ଫେରିଆସିଲା, ତେବେ ଏସବୁ ହିତାଧିକାରୀଙ୍କ ନାଁରେ ନିୟମିତ ଉଠୁଛି ଚାଉଳ, ଗହମ ଓ ଅନ୍ୟାନ୍ୟ ପିଡିଏସ୍ ସାମଗ୍ରୀ। ତେବେ କିଏ ନେଉଛି ଏସବୁ ସାମଗ୍ରୀ? କାହା ପାଖରେ ରହିଛି ହିତାଧିକାରୀଙ୍କ କାର୍ଡ? କଣ୍ଟ୍ରୋଲ ଡିଲରମାନେ ହିତାଧିକାରୀଙ୍କ କାର୍ଡ ରଖି ନିଜେ ସାମଗ୍ରୀ ଆତ୍ମସାତ୍ କରୁନାହାନ୍ତି ତ? ସେପଟେ କୋଭିଡ୍ ସହାୟତାରୁ ବଞ୍ଚିତ ହୋଇଥିବା ନେଇ କେହି ଅଭିଯୋଗ କରିନଥିବା ରାଜ୍ୟ ଯୋଗାଣ ନିଗମର ସିଜିଏମ୍ କହିଛନ୍ତି। ତେବେ ଆରଟିଆଇରୁ ଆସିଥିବା ତଥ୍ୟ ସଂପର୍କରେ ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି।

ରାଜ୍ୟରେ ରାସନ ସାମଗ୍ରୀ ବଣ୍ଟନରେ ବ୍ୟାପକ ହେରଫେର ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ଏହାକୁ ରୋକିବା ଲାଗି ରାଜ୍ୟ ଯୋଗାଣ ବିଭାଗ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନେଉନଥିବା ବେଳେ, ଭୁତ ହିତାଧିକାରୀଙ୍କ ନାଁରେ କିଭଳି ବିପୁଳ ପରିମାଣର ପିଡିଏସ୍ ସାମଗ୍ରୀକୁ ଚଳୁ କରାଯାଉଛି, କୋଭିଡ୍ ସହାୟତା ବଣ୍ଟନରୁ ସତ ପଦାରେ ପଡିଛି।

ନବରଙ୍ଗପୁରରୁ ନବଘନ ବିଷୋୟୀ, ବାଲେଶ୍ୱରରୁ ରଶ୍ମିରଞ୍ଜନ ଦାସ ଓ ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ ଏବଂ ସୌମ୍ୟ ରଞ୍ଜନ ସାହୁଙ୍କ ରିପୋର୍ଟ

You might also like