କରୋନା ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ଆସିଲା ଦୁଇଟି ଆବେଦନ

ଟିକା ଟେଣ୍ଡରରେ ୨ଟି ବିଡ୍

ଭୁବନେଶ୍ୱର: ଟିକା ଟେଣ୍ଡରରେ ୨ଟି ବିଡ୍ । ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ୨ଟି ଆବେଦନ ମିଳିଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଟେଣ୍ଡରରେ ୨ଟି ବିଡ୍ ମିଳିଥିବା ଏବଂ ତାହା ଉପରେ ତର୍ଜମା ଚାଲିଥିବା କହିଛି ସ୍ୱାସ୍ଥ୍ୟ ବିଭାଗ ।

କିଛି ଦିନ ପୂର୍ବରୁ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ପାଇଁ ଆହ୍ୱାନ ଦେଇଥିଲେ । ହେଲେ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେବାକୁ ଆଗ୍ରହ ଦେଖାଇନଥିଲେ କୌଣସି ଟିକା କମ୍ପାନୀ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ରାଜ୍ୟସ୍ୱାସ୍ଥ୍ୟ ମନ୍ତ୍ରୀ ଚିଠି ଲେଖିଥିଲେ । ଚିଠିରେ ଉଲ୍ଲେଖ ଥିଲା ଯେ, ଟିକା କମ୍ପାନୀମାନେ ଟେଣ୍ଡରରେ ଅଂଶଗ୍ରହଣ କରିବାକୁ ଚାହୁଁନାହାନ୍ତି । ଏପରିକି ପ୍ରି-ବିଡ଼ିଂ ମିଟିଂକୁ ବି ଆସି ନାହାନ୍ତି ସେରମ୍ ଓ ଭାରତ ବାୟୋଟେକ୍ । ତେବେ କମ୍ପାନୀମାନେ କେନ୍ଦ୍ର ସରକାରଙ୍କ ସହ ଡିଲ୍ କରିବାକୁ ଚାହୁଁଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଚିଠିରେ ଉଲ୍ଲେଖ କରିଥିଲେ ।

ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର ଫେଲ୍‌ ହେବା ପରେ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକା ସଙ୍କଟ ଦୂର କରିବା ନେଇ ଚିଠିରେ ସମସ୍ତଙ୍କ ସହମତି ଲୋଡ଼ିଥିଲେ । ଟିକା ପାଇଁ ପରସ୍ପର ଭିତରେ ନ ଲଢ଼ି, ଏକାଠି ଲଢ଼ିବାକୁ ଆହ୍ୱାନ ଦେଇଥିଲେ । ଲୋକଙ୍କୁ ସୁରକ୍ଷା ଦେବାର ଏକମାତ୍ର ମାଧ୍ୟମ ହେଉଛି ଟିକା । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ନକଲେ କୌଣସି ରାଜ୍ୟ ସୁରକ୍ଷିତ ନୁହେଁ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଥିଲେ। 

ଅନ୍ୟପଟେ କେନ୍ଦ୍ର ସରକାର ନିୟମ କୋହଳ କଲା ପରେ କିଛି ରାଜ୍ୟ ଏହି ଟେଣ୍ଡର ପ୍ରକ୍ରିଆ ଆରମ୍ଭ କରିଥିଲେ । କିନ୍ତୁ ଟିକା କଂପାନୀମାନେ କେନ୍ଦ୍ର ସରକାରଙ୍କ ଠାରୁ କ୍ଲିୟରାନ୍ସ ଚାହୁଁଛନ୍ତି । ସେମାନେ ସିଧାସଳଖ ରାଜ୍ୟ ସରକାରଙ୍କ ସହ ଚୁକ୍ତି ଚାହୁଁ ନାହାନ୍ତି ବୋଲି କୁହାଯାଇଛି । ଏଭଳି ସ୍ଥିତିରେ କେନ୍ଦ୍ର ଟିକା ଆଣି ରାଜ୍ୟକୁ ବାଣ୍ଟିବା ଏକମାତ୍ର ବିକଳ୍ପ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି । ସମସ୍ତଙ୍କୁ ଟିକାକରଣ ପାଇଁ ନିୟମରେ କୋହଳ ଲାଗି ରାଜ୍ୟକୁ ଅନୁମତି ଦେବାକୁ ନବୀନ ପ୍ରସ୍ତାବ ରଖିଛନ୍ତି ।

 

You might also like