ରାଜ୍ୟରେ କୋଭିଡ ରୋଗୀଙ୍କ ପାଇଁ ଯଥେଷ୍ଟ ବେଡ, ଆଇସିୟୁ ଅଛି -ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଖ୍ୟା ୪ ହଜାର ଟପିଛି। ପରିସ୍ଥିତିକୁ ଦେଖି କରୋନା ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତି ଜାରି ରଖିଛନ୍ତି । ପୁଣି କୋଭିଡ ହସ୍‌ପିଟାଲ ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ରାଜ୍ୟରେ ଏବେ କୋଭିଡ ରୋଗୀଙ୍କ ପାଇଁ ବିଭିନ୍ନ ହସ୍ପିଟାଲରେ ୯ ହଜାର ୮ଟି ବେଡ୍ ରହିଛି । ଘରୋଇ ହସ୍ପିଟାଲରେ ୪ ହଜାର ୬୪୦ ବେଡ୍ ଓ ସରକାରୀ ହସ୍ପିଟାଲରେ ୪ ହଜାର ୩୬୮ଟି ବେଡ୍ ରହିଛି । ସେହି ତୁଳନାରେ ରାଜ୍ୟରେ ଏବେ କରୋନା ରୋଗୀ ୧୫୭୬ ଜଣ ଅଛନ୍ତି ।

ଘରୋଇ ହସ୍ପିଟାଲରେ ୭୫୩ ଜଣ ଥିବାବେଳେ ସରକାରୀ ହସ୍ପିଟାଲରେ ୮୨୩ ଜଣ ଅଛନ୍ତି । ରାଜ୍ୟର ବିଭିନ୍ନ ଘରୋଇ ହସ୍ପିଟାଲରେ ୧୪୯୪ଟି ଆଇସିୟୁ ରହିଥିବାବେଳେ ଏଥିରେ ୩୨୦ ଜଣ ରୋଗୀ ଅଛନ୍ତି । ସରକାରୀ ହସ୍ପିଟାଲରେ ୫୨୪ ଆଇସିୟୁ ଥିବାବେଳେ ୧୦୪ ରୋଗୀ ଅଛନ୍ତି । ରାଜ୍ୟରେ ସମୁଦାୟ ଆଇସିୟୁ ବେଡ୍ ସଂଖ୍ୟା ୨୦୧୮ ହୋଇଥିବାବେଳେ ୪୨୪ ଜଣ ରୋଗୀ ଅଛନ୍ତି । ଯେତିକି ଆଇସିୟୁ ବେଡ୍ ରହିଛି, ତାହାର ମାତ୍ର ୨୧.୧ ପ୍ରତିଶତ ରୋଗୀ ରହିଛନ୍ତି ।

ଘରୋଇ ହସ୍ପିଟାଲରେ ୬୦୩ଟି ଭେଣ୍ଟିଲେଟର ଥିବାବେଳେ ରୋଗୀ ମାତ୍ର ୪୧ ଜଣ ଅଛନ୍ତି ସେହିପରି ସରକାରୀ ହସ୍ପିଟାଲରେ ୧୭୯ଟି ଭେଣ୍ଟିଲେଟର ରହିଥିବାବେଳେ ୧୮ ଜଣ ରୋଗୀ ଅଛନ୍ତି । ଅର୍ଥାତ ସମୁଦାୟ ୭୮୨ ଭେଣ୍ଟିଲେଟରରୁ ମାତ୍ର ୫୯ରେ ରୋଗୀ ଅଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଥାଉ କି, ରାଜ୍ୟରେ ଆଜି ୪୪୪୫ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।  କ୍ୱାରେଣ୍ଟିନ ସେଣ୍ଟରରୁ ୨୫୭୪ ଏବଂ ଲୋକାଲ କଣ୍ଟାକ୍ଟ ରହିଛି ୧୮୭୧। ସର୍ବାଧିକ ରୋଗୀ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି। ଆଜି ଏଠାରୁ ସର୍ବାଧିକ ୭୨୨ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷେ ରାଜ୍ୟରେ କରୋନା ସଂକ୍ରମଣ ରୋକିବାକୁ ବିଏମ୍‌ସି ପୂର୍ବ ରଣକୌଶଳ ଲାଗୁ। ଆଜିଠୁ  ସାମାଜିକ ଦୂରତା ଓ ମାସ୍କ ନଥିଲେ ଦୋକାନ ସିଲ୍ ହେବ ବୋଲି ଘୋଷଣା କରାଯାଇଛି।  ଡୁମୁଡୁମା, ପଟିଆ, ଡମଣା ମାର୍କେଟ, ୟୁନିଟ-୪, ୟୁନିଟ୍-୧, ୟୁନିଟ୍-୨ ମାର୍କେଟରେ ଏହି ନିୟମ କଡ଼ାକଡ଼ି କରାଯାଇଛି। ଏ ନେଇ ସମସ୍ତ ଜୋନାଲ ଡେପୁଟି କମିଶନରଙ୍କୁ ବିଏମ୍‌ସି କମିଶନର ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଆଜିଠୁ ନୀଳାଚଳ ଓ ହାଇଟେକ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ଆସନ୍ତାକାଲି କାର୍ଯ୍ୟକ୍ଷମ ହେବ ବ୍ଲୁ ହ୍ୱିଲ୍ କୋଭିଡ୍ ହସ୍ପିଟାଲ। ଖୁବଶୀଘ୍ର ସ୍ପର୍ଶ ଓ କିମ୍ସ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଛି।

You might also like