ଏମିତି ଗାଁ, ଯେଉଁଠିକୁ କେହି ଝିଅ ଦେଉ ନାହାଁନ୍ତି କି ନେଉ ନାହାଁନ୍ତି

କେନ୍ଦୁଝର: ଗାଁ ଚାରିପଟେ ଘେରି ରହିଛି ପାଣି । ଗାଁରୁ ବାହାରିବାକୁ କାଠପୋଲ ହିଁ ଭରସା । ଦୀର୍ଘ ୩୫ ବର୍ଷରୁ ଏପରି ସମସ୍ୟାରେ ଘାଣ୍ଟି ହେଉଛନ୍ତି ଲୋକେ । ବର୍ଷା ଦିନେ ଗାଁ ଏକପ୍ରକାର ଜଳବନ୍ଦୀ ହୋଇ ରୁହନ୍ତି । ଶିକ୍ଷା,ସ୍ୱାସ୍ଥ୍ୟ ଏବେ ବି ଗାଁରେ ଅପହଞ୍ଚ ହୋଇ ରହିଛି । ତେବେ ଗ୍ରାମବାସୀଙ୍କର ସବୁଠାରୁ ବଡ ସମସ୍ୟା ହେଉଛି ଏହି ଗାଁକୁ ନା କିଏ ଝିଅ ଦେଉଛି ନା ଗାଁରୁ କିଏ ଝିଅ ନେଉଛି ।

ଏହି ଅଭିଶପ୍ତ ଗାଁ ହେଉଛି  କେନ୍ଦୁଝର ଜିଲ୍ଲା ସଦର ବ୍ଲକ ରଘୁନାଥପୁର ପଞ୍ଚାୟତର ଖମଣଗୋଡା ସାହି । ଜଙ୍ଗଲରୁ ବାଉଁଶ ଓ କାଠକୁ ଯୋଡି ଲୋକେ ତିଆରି କରିଛନ୍ତି କାଠପୋଲ । ଗୋଟିଏ ନୁହେଁ, ଗାଁରେ ତିଆରି ହୋଇଛି ଏପରି ୨ଟି ପୋଲ । ଏହି ୨ ଟି ପୋଲରେ ପ୍ରତିଦିନ ଅସୁରକ୍ଷିତ ଭାବେ ଛୁଆଠାରୁ ବୁଢାଯାଏ ସମସ୍ତେ ଯିବା ଆସିବା କରିଥାନ୍ତି । ବର୍ଷା ଦିନେ ପୋଲ ଉପରେ ପାଣି ଚାଲୁଥିବାରୁ ଗାଁଲୋକେ ଏକପ୍ରକାର ଜଳବନ୍ଦୀ ହୋଇ ରହନ୍ତି ।

ଗାଁଲୋକଙ୍କ ପାଇଁ ଶିକ୍ଷା,ସ୍ୱାସ୍ଥ୍ୟ ଏବେ ବି ଅପହଞ୍ଚ ହୋଇ ରହିଛି ।  କାନଝରୀ ଡ୍ୟାମ୍ ସମ୍ପୁର୍ଣ୍ଣ ହେବାପରେ ଆରମ୍ଭ ହୋଇଯାଇଥିଲା ଖମଣଗୋଡାବାସୀଙ୍କ ଦୁଃଖ । ୨ଟି କାଠପୋଲ ପାର୍ ହୋଇ ପିଲାମାନେ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ଯାଇଥାନ୍ତି ।ସେପଟେ ହୁଲିଡଙ୍ଗା ସାହାଯ୍ୟରେ ଡ୍ୟାମ୍ ପାର ହେଲେ ପଡେ ହାଇସ୍କୁଲ ଓ ପଞ୍ଚାୟତ କାର୍ଯ୍ୟାଳୟ ।

ଏଭଳି ସମସ୍ୟାରେ ଦୀର୍ଘ ୩୫ବର୍ଷ ଧରି ଘାଣ୍ଟି ହେଉଛନ୍ତି ଖମଣଗୋଡାସାହିର ୨୦ଟି ପରିବାର । ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଏକ ବୈଷୟିକ ଟିମ୍ ଦ୍ୱାରା ସ୍ଥିତି ଅନୁଧ୍ୟାନ କରି ସମସ୍ୟାର ସମାଧାନ ଦିଗରେ ଚେଷ୍ଟା କରାଯିବ ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ।

 

You might also like