ପୋଖରୀରୁ ମିଳିଥିବା ଲେଗିଙ୍ଗସ୍‌ ମୃତ ନାବାଳିକାର ତ ?

ନୟାଗଡ଼: ନୟାଗଡ଼ର ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରମାଣ ଏକାଠି କରୁଥିବା ଏସଆଇଟି ହାତରେ ଲାଗିଛି ପୀଡ଼ିତାଙ୍କ ଏକ ଲେଗିଙ୍ଗସ୍‌। ନୟାଗଡ଼ ଯଦୁପୁରର ଏକ ପୋଖରୀରୁ ପୀଡ଼ିତାଙ୍କ ଏକ ଲେଗିଙ୍ଗସ୍‌ ପୋଲିସ ଉଦ୍ଧାର କରିଛି । ଗତକାଲି ଦିନ ତମାମ ପୋଖରୀର ଜଳ ନିଷ୍କାସନ ପରେ ଏହି ଲେଗିଙ୍ଗ୍ସ ମିଳିଛି। ହେଲେ ସେଇ ଲେଗିଙ୍ଗସ୍‌ ସଂପୃକ୍ତ ନାବାଳିକାର ତ?

ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ୧୬ ଘଣ୍ଟା ଧରି ଜଳ ନିଷ୍କାସନ ପରେ ପୋଖରୀକୁ ଶୁଖାଯାଇ ଲେଗିଙ୍ଗସ୍‌କୁ ଉଦ୍ଧାର କରିଥିଲେ। ଲେଗିଙ୍ଗସ୍‌ ମିଳିବା ପରେ ତାକୁ ନିଜ ହେପାଜତକୁ ନେଇଛି SIT।  ତେବେ ଯେଉଁ ଲେଗିଙ୍ଗସ୍‌କୁ ପୋଖରୀରୁ ଉଦ୍ଧାର କରାଯାଇଛି ତାହା ପ୍ରକୃତରେ ସଂପୃକ୍ତ ନାବାଳିକାର ନା ନୁହେଁ,  ତାକୁ ନେଇ ପ୍ରଶ୍ନ ଉଠିଛି।

ନାବାଳିକା ପରିବାର ସଦସ୍ୟଙ୍କ କହିଛନ୍ତି, ଘଟଣା ଦିନ  ନାବାଳିକା ପିନ୍ଧିଥିବା ଲେଗିଙ୍ଗସ୍‌ର ରଙ୍ଗ ଥିଲା ନୀଳ ରଙ୍ଗର।  ଉଦ୍ଧାର ହୋଇଥିବା ଲେଗିନ୍ସର ରଙ୍ଗ ସ୍ପଷ୍ଟ ହୋଇନଥିବା ବେଳେ ଏସଆଇଟି ପକ୍ଷରୁ ସ୍ପଷ୍ଟ କରାଗଲେ ହିଁ ଏ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ।

ସେପଟେ ପୋଖରୀରୁ ଲେଗିଙ୍ଗସ୍‌  ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ସେଠାରେ ଉପସ୍ଥିତ ଥିବା ଅନ୍ୟ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ବୋଥ୍ରା । ଆଜି ପୁଣି ଥରେ ଏହି ମାମଲାରେ ଅଧିକ ପ୍ରମାଣ ଖୋଜିବା ପାଇଁ ଚେଷ୍ଟା ଜାରି ରଖିବ ଏସଆଇଟି ଟିମ୍ । ଏହା ସହ ରିମାଣ୍ଡରେ ଥିବା ଅଭିଯୁକ୍ତକୁ ବିଭିନ୍ନ ଦିଗକୁ ନେଇ ତଦନ୍ତ ହେବା ସହ ଅଭିଯୁକ୍ତଙ୍କୁ ପଚରାଉଚରା କରାଯିବ।

ତେବେ ମିଳିଥିବା ଲେଗିଙ୍ଗସ୍‌ କୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ। ଏ ଲେଗିଙ୍ଗସ୍‌ ପ୍ରକୃତରେ କାହାର ? ମୃତ ନାବାଳିକାର ନା ଏହା ନାବାଳିକା ମୃତ୍ୟୁ କାହାଣୀର ଆଉ ଏକ ଫର୍ଦ୍ଦ? ଗତକାଲି SIT ମୁଖ୍ୟ ଅରୁଣ ବୋଥ୍ରା ନୟାଗଡ଼ ନାବାଳିକା ମୃତ୍ୟୁକୁ ନେଇ କାହାଣୀ ସାମ୍ବାଦିକ ସମ୍ମିଳନୀରେ କହିଲେ ସେହି ଅନୁସାରେ ଲେଗିଙ୍ଗସ୍‌ ତ ମିଳିଗଲା। ହେଲେ ପରିବାର ଲୋକେ ଏହା ଝିଅର ନୁହେଁ ବୋଲି କହୁଛନ୍ତି।

ସୂଚନା ଥାଉ କି, ୫ ମାସ ବିତି ଯାଇଥିଲେ ବି ନୟାଗଡ଼ ନାବାଳିକା ନିଖୋଜ ଓ ହତ୍ୟା ମାମଲାର ଟେର ପାଉ ନ ଥିଲା ଜିଲ୍ଲା ପୋଲିସ । ହେଲେ ମାତ୍ର କେଇ ଦିନରେ SIT ତଦନ୍ତ କରି ସବୁ ତଥ୍ୟ, ପ୍ରମାଣ ପାଇଗଲା। ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀକୁ ବି ଗିରଫ  କଲା। ଗତକାଲି  SIT  ମୁଖ୍ୟ ଅରୁଣ ବୋଥ୍ରା ଏକ ସାମ୍ବାଦିକ ସମ୍ମିଳନୀରେ ହତ୍ୟା ଘଟଣାର ଲୋମଟାଙ୍କୁରା କାହାଣୀ ଶୁଣାଇଲେ। ହେଲେ ବୋଥ୍ରାଙ୍କର ଏହି କାହାଣୀକୁ ସମ୍ପୂର୍ଣ୍ଣ ମନଗଢ଼ା କହି ଅଭିଯୁକ୍ତର ମା’ ଉଠାଇଛନ୍ତି ନାନା ପ୍ରଶ୍ନ। ପ୍ରାୟ ୫ ମାସ ଧରି ଯେଉଁ ମାମଲାକୁ ନୟାଗଡ଼ ପୋଲିସ ତଦନ୍ତ କରୁଥିଲା, ମାତ୍ର ଅଳ୍ପ ଦିନରେ ବୋଥ୍ରା ଏତେ ତଥ୍ୟ ପାଇଲେ କେମିତି ? ନିର୍ଦ୍ଦୋଷ ପୁଅକୁ ମାଡ଼ ମାରି ଏବଂ ଡରେଇ ମିଛ କଥାରେ ହଁ ଭରିବାକୁ କାହିଁକି କୁହାଯାଉଛି ବୋଲି କହିଛନ୍ତି ଅଭିଯୁକ୍ତର ମାଆ ।

କେବଳ ସରୋଜର ପରିବାର ନୁହେଁ, ନାବାଳିକାର ମାଓ ବାପା ବି ସମାନ ଢଙ୍ଗରେ ପ୍ରଶ୍ନ ଉଠାଇଛନ୍ତି । ଗିରଫ ଅଭିଯୁକ୍ତ ସେଭଳି ପିଲା ନୁହେଁ। ତାଙ୍କୁ ମୋହରା ବନାଯାଇଛି। ମାମଲାର ସିବିଆଇ ତଦନ୍ତ ଦାବି ହେବାରୁ ଏହା ନାଟକ ବୋଲି କହିଛନ୍ତି ସେମାନେ। ଘଟଣା ଦିନ ନାବାଳିକାକୁ କାହ୍ନୁ ନାଏକ ନେଇଯାଇ ବାବୁଲି ନାୟକକୁ ଦେଇଥିବା ଦୁଇ ଜଣ ପିଲା କହୁଛନ୍ତି। ତେଣୁ ବାବୁଲି ନାୟକ ନେଇ ଅଙ୍ଗତସ୍କରୀ କରିଛି ବୋଲି ମନ୍ତବ୍ୟକୁ ଦୋହରାଇଛନ୍ତି ପୀଡ଼ିତାଙ୍କ ବାପା।

You might also like