ଚୋରକୁ ଧରାଇଲା ଚପଲ

ତେଲକୋଇ :  ଚୋରକୁ ଧରାଇଲା ଚପଲ ।  ଚୋର ଚୋରି କରି ଘଟଣାସ୍ଥଳରେ ଚପଲ ଛାଡି ପଳାଇଥିବାରୁ ଧରାପଡି ଗଲା ପୁଲିସ ହାତରେ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧିନ ତେଲକୋଇରେ।

ଗତ ୨୦ତାରିଖ ରାତିରେ ତେଲକୋଇ ଉଚ୍ଚ ବିଦ୍ୟାଳୟ ପାଖରେ ରହୁଥିବା ପଞ୍ଚାନନ ସାମନ୍ତରାୟଙ୍କ ଘର କବାଟ ଭାଙ୍ଗି କେହି ସୁନା, ଗହଣା, ମୋବାଇଲ, ଟ୍ରଲି ବ୍ୟାଗ ଆଦି ଜିନିଷପତ୍ର ଚୋରି କରିନେଇଥିଲା । ଏନେଇ ପଂଚାନନ ତେଲକୋଇ ଥାନାରେ ଅଭିଯୋଗ କରିଥିଲେ।  ପୁଲିସର ପ୍ରାଥମିକ ତଦନ୍ତ ବେଳେ ପଂଚାନନଙ୍କ ଘର ପଛରୁ ଏକ ଜମିରୁ ଟ୍ରଲି ବ୍ୟାଗ ମିଳିଥିଲା ହେଲେ ସେଥିରେ କିଛି ନଥିବା ବେଳେ ପାଖରେ ଏକ ଚପଲ ପ଼ଡିଥିଲା।  ଆଉ ଏହି ଚପଲକୁ ଆଧାର କରି ପୁଲିସ ତଦନ୍ତ କରିଥିଲା।

ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଚାଲିଥିବା ବେଳେ ସନ୍ଧାନୀ କୁକୁର ଚପଲ ଶୁଙ୍ଗି ଚୋର ନିକଟକୁ ବାଟ କଢାଇ ନେଇଥିଲା।  ଆଉ ଶେଷରେ ତେଲକୋଇ ଭୁୟାଁସାହିର ଧର୍ମେନ୍ଦ୍ର ପଲେଇଙ୍କ ଘରକୁ ଯାଇଥିଲା । ସେଠାରେ ପୁଲିସ ସର୍ଚ୍ଚ କରିବା ପରେ ପ୍ରଥମେ ଚୋରି ହୋଇଥିବା ମୋବାଇଲ ଫୋନ ମିଳିଥିଲା । ଚୋରି ଅଭିଯୋଗରେ ଧର୍ମେନ୍ଦ୍ରଙ୍କୁ ପୁଲିସ ଗିରଫ କରିଥିଲା।

You might also like