ବିଜେଡି ପ୍ରାର୍ଥୀ ସସପେନ୍ସରେ ପଞ୍ଚ୍ ମାରିଲେ ମହାରଥୀଙ୍କ ସାନ ଭାଇ

ପୁରୀ: କିଏ ହେବ ପିପିଲିର ପରବର୍ତ୍ତୀ ଦାବିଦାର? ମହାରଥୀ ପରିବାରର ରାଜ୍ ଚାଲିବ ନା ଲୋକ ବଦଳାଇବେ ମନ? ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ପରିବାର ଭିତରୁ କିଏ ପାଇବ ଟିକେଟ? ତାକୁ ନେଇ ରାଜନୀତି ଆରମ୍ଭ ହୋଇଗଲାଣି। ମହାରଥୀଙ୍କ ଗୋଟିଏ ଗୋଷ୍ଠୀ ପୁଅ ରୁଦ୍ରଙ୍କ ସପକ୍ଷରେ ମତ ରଖୁଥିବାବେଳେ ଅନ୍ୟଗୋଷ୍ଠୀ ପତ୍ନି ପ୍ରତିଭା ମହାରଥୀଙ୍କ ସମର୍ଥନରେ ବାହାରିଛନ୍ତି। ନିର୍ବାଚନ ତାରିଖ ଘୋଷଣା ପରେ ପିପିଲି ପାଣିପାଗ ରୋଚକ ହେଉଛି।

ଏଭଳି ସ୍ଥିତିରେ ବିଜେଡି ପ୍ରାର୍ଥୀ ସସପେନ୍ସରେ ମହାରଥୀଙ୍କ ସାନ ଭାଇ ପଞ୍ଚ୍ ମାରିଛନ୍ତି। ପ୍ରଦୀପ ମହାରଥୀଙ୍କ ସାନ ଭାଇ ପ୍ରଣୟ ମହାରଥୀ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ପୁତୁରା ରୁଦ୍ର ପ୍ରତାପଙ୍କ ସପକ୍ଷରେ ସେ ଯୁକ୍ତି ବାଢିଛନ୍ତି। ଆଗକୁ ପଞ୍ଚାୟତ, ପୌର ନିର୍ବାଚନ। ଜଣେ ଯୁବକଙ୍କୁ ପ୍ରାର୍ଥୀ କଲେ ଭଲ। ରୁଦ୍ର ପ୍ରତାପଙ୍କୁ ପ୍ରାର୍ଥୀ କଲେ ବହୁତ ଭଲ ବୋଲି ପ୍ରଣୟ କହିଛନ୍ତି। ରୁଦ୍ରକୁ ପ୍ରାର୍ଥୀ କଲେ ଆମେମାନେ, ପୂରା ପରିବାର ତା ପଛରେ ଅଛୁ।

ଭାଉଜ ପ୍ରତିଭା ମହାରଥୀଙ୍କ ସମ୍ଭାବ୍ୟ ପ୍ରାର୍ଥିତ୍ୱ ନେଇ ପ୍ରଣୟ କହିଛନ୍ତି ଯେ ଉପନିର୍ବାଚନ ହେଲେ ପ୍ରତିଭା ଜିତିବେ ତ ଯେମିତି ହେଲେ କିନ୍ତୁ ଭବିଷ୍ୟତ କଥା ଆମେ କହିପାରିବୁ ନାହିଁ। ଭବିଷ୍ୟତ ପାଇଁ ଏଠି ବିଜେଡିର ସ୍ଥିତି ରହିବ ନାହିଁ ବୋଲି ସେ କହିଛନ୍ତି। ପିପିଲିକୁ ଏବେ ଦରକାର ସଂଗଠନ, ଯାହା ମୁଖ୍ୟମନ୍ତ୍ରୀ କରିବେ।

ତେବେ ବିଜେଡି ସୁପ୍ରିମୋ କାହାକୁ ଦେବେ ଟିକେଟ୍? ବର୍ତ୍ତମାନ ବିଜେଡି ଫୋକସରେ ଉଭୟ ମହିଳା ଓ ଯୁବ ଗୋଷ୍ଠୀ। ତେଣୁ ଟିକେଟ୍ କାହାକୁ ମିଳିବ, ସେନେଇ ସ୍ପଷ୍ଟତା ଆସି ନଥିବାବେଳେ ଉଭୟ କିନ୍ତୁ ନିଜ ନିଜ ତରିକାରେ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସଭା ସମିତି ସହ କର୍ମୀଙ୍କୁ ଏକଜୁଟ୍ କରାଇବାକୁ ପିପିଲିରେ ଅଲଗା ଅଲଗା ଘନ ଘନ ବୈଠକ କରୁଛନ୍ତି ମା ଓ ପୁଅ। ହେଲେ ଟିକଟ୍ ନିଷ୍ପତ୍ତି କିନ୍ତୁ ଦଳର ସୁପ୍ରିମୋଙ୍କ ଉପରେ ଛାଡିଛନ୍ତି ପ୍ରତିଭା ଓ ରୁଦ୍ର।

ପିପିଲି ଉପ ନିର୍ବାଚନ ଆସନ୍ତା ମାସ ଏପ୍ରିଲ ୧୭ ତାରିଖରେ ନିର୍ବାଚନ ହେବ ବୋଲି ଜଣାଯାଇଛି। ନିର୍ବାଚନ ଲାଗି ଚଳିତ ମାସ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାସହ ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ ବୋଲି ସୂଚନା ମିଳିଛି। ଏହାସହ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ତାରିଖ ରହିଛି। ମେ ମାସ ୨ ତାରିଖରେ ଭୋଟ ଗଣତି ସହ ଫଳ ପ୍ରକାଶ ପାଇବ ବୋଲି ଜଣାଯାଇଛି।

You might also like