ଭିଏଲଡବ୍ଲୁଙ୍କୁ ଘୋଷାରି ଘୋଷାରି ପିଟିଲେ ମହିଳା: ହେଲେ କାହିଁକି?
କଟକ : ରାସ୍ତା ଉପରେ ଭିଏଲଡବ୍ଲୁଙ୍କୁ ଘୋଷାରି ଘୋଷାରି ପିଟିଲେ ମହିଳା। କିଛି ଏମିତି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ବଜାରରେ। ମିଳିଥିବା ସୂଚନା ଅନୁସାରେ, ନିଆଳି ପଞ୍ଚାୟତର ୧୦ ନମ୍ବର ଓ୍ୱାର୍ଡର ପୂର୍ବତନ ଓ୍ୱାର୍ଡ ସଭ୍ୟା ହାଜୋ ବିବି ପୂର୍ବତନ ଭିଏଲଡବ୍ଲୁ ତ୍ରିଲୋଚନ ସାହୁଙ୍କୁ ଘୋଷାରି ଘୋଷାରି ବିଚ୍ ରାସ୍ତାରେ ମାଡ଼ ମାରୁଥିବା ଦେଖିବାକୁ ମିଳିଛି।
ପୂର୍ବତନ ଭିଏଲଡବ୍ଲୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଆବାସ ଯୋଜନା ନ ଦେବା ଯୋଗୁଁ ତାଙ୍କୁ ମାଡ଼ ମାରିଥିବା କହିଛନ୍ତି ପୂର୍ବତନ ଓ୍ୱାର୍ଡ ସଭ୍ୟା। ଅନ୍ୟପଟେ ମହିଳା ଜଣଙ୍କ ଆଣିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୂର୍ବତନ ଭିଏଲଡବ୍ଲୁ।
ସେପଟେ ଅଭିଯୋଗକାରୀ ମହିଳା ଜଣଙ୍କ କହିଛନ୍ତି ଯେ, ” ପ୍ରକୃତ ହିତାଧିକାରୀ କିଛି ସହାୟତା ରାଶି ପାଉନାହାନ୍ତି। କହି କହି ମୋ କଥା କେହି ଶୁଣୁନାହାନ୍ତି। ମୋ ଘରକୁ ଯାଇ ୨୦ ହଜାର ଆଣିଲେ। କହିଲେ ତତେ ୪୫ ହଜାର ଦେବୁ। କିନ୍ତୁ ପରେ ମୁଁ କହିଲି କି ମତେ ଇନ୍ଦିରା ଆବାସ ମିଳିନାହିଁ। ତା’ପରେ ମତେ କହିଲେ କି ତୁ ୪୫ ହଜାର ଟଙ୍କା ପାଇଛୁ। ଏହାପରେ ବ୍ୟାଙ୍କ ଆକାଉଣ୍ଟ ଖାତା ଧରି ବୁଲୁଛି। ମତେ ଟଙ୍କା ମିଳିନାହିଁ। ମତେ ନ୍ୟାୟ ମିଳୁ ନଚେତ୍ ନିଆଁ ଜଳିବ” ଏମିତି କିଛି ଗଣମାଧ୍ୟମ ଆଗରେ କହିଛନ୍ତି ହାଜୋ।