• translate
Sarbeswar

ମୋ ସ୍ୱାମୀଙ୍କୁ ବଂଚାଇ ଦିଅ….ପାଖରେ ଆଉ ଟଙ୍କା ନାହିଁ, ମୋର ଦୁଇ ପିଲା..ଭୋକରେ ଆଉଟୁ ପାଉଟୁ ହେଉଛନ୍ତି। ସେମାନଙ୍କୁ ଖାଇବାକୁ ଦେବାକୁ କିଛି ନାହିଁ..

ସୋନପୁର(ରବିନ୍ଦ୍ର ହୋତା): ସୋନପୁରର ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ହୁଏତ ତାହା ଦେଖିଲେ ଆପଣଙ୍କୁ କଷ୍ଚ ହୋଇପାରେ । ଆଉ ଆପଣ ଭାବିବେ କାହିଁକି ହାତରେ ଥାଳି ଦେଇ ଗାଁ ରେ ଏମିତି ସ୍ତ୍ରୀ ଲୋକ ଜଣକ ବୁଲୁଛନ୍ତି? କିନ୍ତୁ ଦୃଶ୍ୟ ପଛରେ ଲୁଚି ରହିଛି ଏକ ଦୁଃଖଦ କାହାଣୀ। ଯାହାକୁ ହାତ ଧରି ବିବାହ କରିଥିଲେ ସେ ଆଜି ବିଛଣାରେ। ଦିନେ ଯିଏ ରୋଜଗାର କରି ପରିବାର ମୁହଁରେ ଆହାର ଦେଉଥିଲା ସେ ଆଜି ହାତବାନ୍ଦି ବସିରହିଛି। ସେ ନିଜ ଇଚ୍ଛାରେ ବସିନାହିଁ ବରଂ ରୋଗ ତାକୁ ବିଛଣାରେ ଶୋଇବାକୁ ବାଧ୍ୟ କରିଛି।

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ହନୁମାନପାଲି ଗାଁ ସୌମିତ୍ରୀ ମେହେର ଆଜକୁ ୨ ବର୍ଷ ହେଲାଣି କ୍ୟାନସର ରୋଗରେ ଯୁଝି ହେଉଛନ୍ତି। ଜୀବନ କାଳରେ ଯାହା ଟଙ୍କା ରଖିଥିଲେ ସେତକ ବି ସରିଗଲାଣି। ଚିକିତ୍ସା ପାଇଁ ଆଉ ପାଖରେ ଟଙ୍କା ନାହିଁ। ରୋଗର ଯନ୍ତ୍ରଣାରେ ଛଟପଟ ହେଉଛନ୍ତି କିନ୍ତୁ ଚିକିତ୍ସା ପାଇଁ ଆବଶ୍ୟକତା ଥିବା ଅର୍ଥର ରହିଛି ଘୋର ଅଭାବ। ଆଉ ସ୍ୱାମୀଙ୍କୁ ଭଲ କରିଦେବାକୁ  ଭିକ୍ଷାଥାଳି ଧରିଛନ୍ତି ସ୍ତ୍ରୀ। କେବଳ ସେ ନୁହେଁ ବରଂ ନିଜର ୨ କୁନି କୁନି ପିଲାଙ୍କୁ ଧରି ଗାଁ ମଝିରେ ଭିକ୍ଷା ମାଗୁଛନ୍ତି ସୌମିତ୍ରୀଙ୍କ ପତ୍ନୀ ସୋଭାଗିନୀ । ବର୍ତ୍ତମାନ ପରିସ୍ଥିତି ଏମିତି ହେଲାଣି ଯେ, ଘରେ ଖାଇବାକୁ ପାଖରେ ଆଉ ଟଙ୍କା  ନାହିଁ। ଗୋଟିଏ ପଟେ ଯାହା ସହ ୭ ଜନ୍ମର ସାଥୀ ହୋଇ ରହିବେ ବୋଲି ଅଗ୍ନିକୁ ସାକ୍ଷୀ ରଖି ପ୍ରତିଶ୍ରୁତି ଦେଇଥିଲେ ସେ ଆଜି ବିଛଣାରେ, ଆଉ ସେପଟେ ଭୋକିଲାଙ୍କ ପିଲାଙ୍କ ପେଟରେ କେମିତି ଦାନା ମୁଠେ ଦେବେ ସେ ଚିନ୍ତାରେ ଭୋ ଭୋ ହୋଇ କାନ୍ଦୁଛନ୍ତି ସୋଭାଗିନୀ। କଣ କରିବେ? କେମିତି ନିଜ ସ୍ୱାମୀଙ୍କୁ ଭଲ କରିବେ ଓ ପିଲାଙ୍କ ମୁହଁରେ ଆହାର ଦେବେ ସେହି ଚିନ୍ତାରେ କଟୁଛି ଦିନ।

ତେବେ ସୋଭାଗିନୀଙ୍କୁ କିନ୍ତୁ ଗାଁ ଲୋକ ସାହାଯ୍ୟର ହାତ ବଢାଇଛନ୍ତି। ପୂରା ଘଟଣା ଜାଣିବା ପରେ ଗାଁରେ ତୁରନ୍ତ ବୈଠକ ଡାକି ସୋଭାଗିନୀଙ୍କୁ ଆର୍ଥିକ ସାହାଯ୍ୟ କରାଯାଇଛି। ହେଲେ ତାହା ସମୁଦ୍ରକୁ ସଙ୍ଖେ କହିଲେ ବୋଧହୁଏ କିଛି ଭୁଲ ହେବ ନାହିଁ। ଆଉ ଉନ୍ନତମାନର ଚିକିତ୍ସା ପାଇଁ ସୋଭାଗିନୀଙ୍କୁ ସମସ୍ତେ ସାହାଯ୍ୟ କରନ୍ତୁ ବୋଲି ଗ୍ରାମବାସୀମାନେ ମଧ୍ୟ ନିବେଦନ କରିଛନ୍ତି।

ଆପଣ ଯଦି ସୋଭାଗିନୀଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ୭୬୮୨୦୯୬୫୮୩ ନମ୍ବରରେ ଯୋଗାଯୋଗ କରି ସାହାଯ୍ୟ କରିପାରିବେ।

Other Stories